ଜାମୁକୋଳି ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ଦେହାନ୍ତ
ଜଟଣୀ ---ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଜାମୁକୋଳି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ କାର୍ତ୍ତିକ ପରିଡାଙ୍କ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ୍ୟ ବେଳକୁ ତାଙ୍କୁ ମାତ୍ର 48 ବର୍ଷ ବୟସ ହୋଇଥିଲା । ସେ ଲିଭର ଜନିତ ରୋଗରେ ଦୀର୍ଘ ଦିନ ହେଲାଣି ପୀଡିତ ଥିଲେ । ଗତ ସପ୍ତାହରେ ହଠାତ ଗୁରୁତର ଅସୁସ୍ଥ ହେବା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ମଙ୍ଗଳବାର ଭୋର ସମୟରେ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଜାମୁକୋଳି ପଞ୍ଚାୟତ ତଥା ଜଟଣୀ, ଖୋର୍ଦ୍ଧା, ଭୁବନେଶ୍ୱର ଇତ୍ୟାଦି ଅଞ୍ଚଳରୁ ତାଙ୍କର ବହୁ ସମର୍ଥକ ଏବଂ ରାଜନୈତିକ ବନ୍ଧୁ ମାନେ ଜାମୁକୋଳି ରେ ପହଞ୍ଚି ଶୋକ ପ୍ରକାଶ କରିଥିଲେ । ପଞ୍ଚାୟତର ସବୁ ଗାଁରେ ତାଙ୍କ ମର ଶରୀର କୁ ପରିକ୍ରମା କରିବା ସହ ଜନ୍ମମାଟି ଜାମୁକୋଳି ସ୍ମଶାନ ରେ ଶେଷକୃତ୍ୟ ସଂପୂର୍ଣ୍ଣ ହୋଇଛି । ତାଙ୍କର ଏକମାତ୍ର କନ୍ୟା ମୁଖାଗ୍ନି ଦେଇଥିଲେ ।
ସେ କେବଳ ଜାମୁକୋଳି ଗ୍ରାମପଞ୍ଚାୟତର ସରପଞ୍ଚ ନଥିଲେ ବରଂ ଜଟଣୀ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ପୁରୀ ଆଦି ଅଞ୍ଚଳରେ ନିଜର ରାଜନୈତିକ ଗୋଟି ଚାଳନା ପାଇଁ ଖ୍ୟାତି ଅର୍ଜନ କରିଥିଲେ । ସେ ଖୁବ ମେଳାପୀ ସ୍ଵଭାଵର ଥିଲେ । ଛାତ୍ର ଜୀବନରୁ ରାଜନୀତିରେ ପାଦ ଥାପିଥିବା ବେଳେ କଂଗ୍ରେସ ଏବଂ ପରେ ବିଜେଡି ଦଳରେ ସାମିଲ ହୋଇଥିଲେ । ଦୀର୍ଘ 25 ବର୍ଷ ଧରି ପଞ୍ଚାୟତ ନିର୍ବାଚନ ଲଢ଼ିବା ସହ ପ୍ରତ୍ୟକ୍ଷ ଭାବେ ରାଜନୀତିରେ ଜଡିତ ଥିଲେ । ତାଙ୍କ ଧର୍ମପତ୍ନୀ ଏବଂ ସେ ନିଜେ ଦୁଇ ଥର ସରପଞ୍ଚ ଭାବେ ନିର୍ବାଚନ ଜିତିଥିଲେ । ସେ ଜଟଣୀ, ପିପିଲି ଅଞ୍ଚଳର ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ରେ ସାମିଲ ଥିଲେ । ତାଙ୍କ ବିୟୋଗରେ ଜଟଣୀ ବିଧାୟକ ସୁର ରାଉତରାୟ, ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟ, ବିଜେପି ନେତା ବିଶ୍ୱରଂଜନ ବଡ଼ଜେନା,ଜଟଣୀ ବ୍ଲକ ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ, ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ବିଜେପି ନେତା ସୁରଜ ପାଇକରାୟ,ଜଟଣୀ ନାଗରିକ କମିଟି ସଭାପତି ମନ୍ମଥ ରାଉତରାୟ, ଜାମୁକୋଳି ସରପଞ୍ଚ ଗୀତାଞ୍ଜଳି ରାଉଳ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ଜାମୁକୋଳି ସ୍ମଶାନ ରେ କାର୍ତ୍ତିକ ପରିଡା ଙ୍କର ହଜାର ହଜାର ସମର୍ଥକ ଏବଂ ଶୁଭେଛୁ ମାନେ ତାଙ୍କର ଶେଷ ଦର୍ଶନ କରିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୧୧/୨୦୨୨---୮,୩୫ Sakhigopal News,22/11/2022