କଣ୍ଟ୍ରାକ୍ଟରଙ୍କ ଖାମଖିଆଲ ମନୋବୃତ୍ତି :ଗରମ ପିଚୁ କଡେଇ ରେ ପଡି ଯୁବକ ଆହତ
ଜଟଣୀ : ଜଟଣୀ କପିଳପ୍ରସାଦ ରାସ୍ତାରେ ମରାମତି କାର୍ଯ୍ୟ କରୁଥିବା କଣ୍ଟ୍ରାକ୍ଟରଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଗରମ ପିଚୁ କଡେଇ ରେ ଜଣେ ବ୍ୟକ୍ତି ପଡି ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ ଏହି ରାସ୍ତାର ମରାମତି ପାଇଁ ସ୍ଥାନୀୟ ଅଞ୍ଚଳର କଣ୍ଟ୍ରାକ୍ଟର ଠିକା ନେଇଛନ୍ତି । ରାତିରେ ରାସ୍ତା ମରାମତି ପାଇଁ ପିଚୁ ଗରମ କରାଯାଉଥିଲା । କିନ୍ତୁ ସୁରକ୍ଷା ଦୃଷ୍ଟି ରୁ କୌଣସି ପଦକ୍ଷେପ ନେଉ ନାହାନ୍ତି କଣ୍ଟ୍ରାକ୍ଟର । ମନ ଇଛା ଯେଉଁଠି ନାଇଁ ସେଇଠି ପିଚୁ ରାନ୍ଧିବା ପାଇଁ ଚୁଲି ଖୋଳି ଚାଲିଛନ୍ତି । ଗତ କାଲି ସୋମବାର ରାତିରେ କ୍ଷେତ୍ରପାଳ ଗ୍ରାମ ନିକଟ ସୃଷ୍ଟି ଆପାର୍ଟମେଣ୍ଟ ସାମ୍ନାରେ ରାସ୍ତା କଡରେ ପିଚୁ ଗରମ କରିବାକୁ ଚୁଲି ଲଗାଇଥିଲେ । କିନ୍ତୁ ସୁରକ୍ଷା ଦୃଷ୍ଟିରୁ କୌଣସି ବ୍ୟକ୍ତି ଉକ୍ତ ଗରମ ପିଚୁ କଡେଇ ପାଖରେ ରହି ନଥିଲେ । ଅନ୍ଧାର ରାତିରେ ଜାଣି ନପାରି ସ୍ଥାନୀୟ କୁହା ଗ୍ରାମର ଟୁଟୁ ପ୍ରଧାନ ନାମକ ଜଣେ ଯୁବକ ସେହି ଗରମ ପିଚୁ କଡେଇ ଉପରେ ପଡି ଯାଇଥିଲେ । ତାଙ୍କ ମୁଣ୍ଡ,ଦୁଇ ହାତ,ମୁଁହ ଇତ୍ୟାଦି ସ୍ଥାନରେ ଗରମ ପିଚୁ ଲାଗି ଯିବାରୁ ସେ ଗୁରୁତର ଆହତ ହୋଇ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ ।ସେଠାରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲ କୁ ପଠାଇ ଦିଆଯାଇଛି । ଆହତ ଙ୍କ ଭାଇ ଏ ଘଟଣା ବାବଦରେ ଠିକାଦାର ଙ୍କୁ ପଚାରିବାରୁ ସେ ଓଲଟା ଗାଳି ଗୁଲଜ କରିଥିଲେ । ପରିବାର ଲୋକେ ଆହତ ଙ୍କୁ ନେଇ ହସ୍ପିଟାଲ ଯାଇଥିବାରୁ ଏ ନେଇ ଏୟାରଫିଲଡ ଥାନାକୁ ଫୋନ ଯୋଗେ ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଠିକାଦାର ଙ୍କ ସହ ନାମକୁ ମାତ୍ର କଥା ହୋଇ ପଳାଇ ଆସିଥିଲେ । ତେବେ ସୂଚନା ଥାଉ କି ସମ୍ପୃକ୍ତ ଠିକାଦାର ସ୍ଥାନୀୟ ଅଞ୍ଚଳର ହୋଇଥିବା ଯୋଗୁଁ ତାଙ୍କର ପ୍ରଚୁର ଖାମଖିଆଲି ମନୋଭାବ ରହିଛି । ନିମ୍ନ ମାନର କାମ କରିବା, କୌଣସି ସୁରକ୍ଷା ବ୍ୟବସ୍ଥା ନକରି ରାସ୍ତା କଡରେ ପିଚୁ ରାନ୍ଧିବା ଏବଂ ପ୍ରତିବାଦ କଲେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଆଚରଣ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ତାଙ୍କ ନାମରେ ବହୁ ଅଭିଯୋଗ ଆଣିଛନ୍ତି । ତେବେ ଘଟଣା ବାବଦରେ ଦାୟିତ୍ୱରେ ଥିବା ଏସଡ଼ିଓଙ୍କୁ ପଚାରିବାରେ ସେ ମଧ୍ୟ ଅତି ଖାମଖିଆଲ ଭାବେ କହିଲେ ଏଥିରେ ଆମର ଯାଏ ଆସେ ନାହିଁ । କଣ୍ଟ୍ରାକ୍ଟର ସେ କଥା ବୁଝିବେ ।ଏଭଳି ଘଟଣା ଉପରେ ଉପରିସ୍ଥ ଅଧିକାରୀ ମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୧୧/୨୦୨୨---୯,୪୦ Sakhigopal News,29/11/2022