ରେଳଧାରଣାରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର; ହତ୍ୟା ସନ୍ଦେହ
ବେଗୁନିଆ--- ବେଗୁନିଆ ବ୍ଲକ ବାଘମାରୀ ପଞ୍ଚାୟତ ଅନ୍ତର୍ଗତ ଅଟ୍ରୀ ନିକଟସ୍ଥ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ବାଘମାରୀ-କରଡଗାଡିଆ ରେଳ ଧାରଣାରୁ ପୋଲିସ ଆଜି ସକାଳେ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର କରିଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ୍ଦ କରିବାକୁ ପଠାଇ ଘଟଣାର ତଦନ୍ତ କରୁଛି । ବାଘମାରୀ ଥାନା ସବଇନିସପେକ୍ଟର ରବୀନ୍ଦ୍ର କୁମାର ପଣ୍ଡାଙ୍କ ଠାରୁ ସୂଚନା ଅନୁଯାୟୀ ମୃତା ମହିଳା ଜଣଙ୍କ ପରିଚୟ ମିଳିଛି । ବେଗୁନିଆ ଥାନା ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ପରିଛଳ ଗ୍ରାମର ସୁଶାନ୍ତ ସେଠୀଙ୍କ ଧର୍ମପତ୍ନୀ ପୂର୍ଣ୍ଣିମା ସେଠୀ(୩୮) । ଶ୍ରୀ ସେଠୀ ବିବାହ କରି ଘରଜ୍ୱାଇଁ ଭାବରେ କୁଞୁରୀ ପଞ୍ଚାୟତ ଅନ୍ତର୍ଗତ ପୋଡାପାଟଣା ଗ୍ରାମରେ ଦୀର୍ଘଦିନ ଧରି ରହିଆସୁଥିଲେ । ଶ୍ରୀ ସେଠୀ ଜଣେ ଡ୍ରାଇଭର ହୋଇଥିବାରୁ ରାତିରେ ଗାଡି ଚଲାଇ ସକାଳେ ନିଜ ଘରକୁ ଫେରିଥାନ୍ତି । ଗତ ତିନିଦିନ ତଳେ ସେ ନିଜ ଘରକୁ ଫେରିବା ସମୟରେ ଜଣେ ବ୍ୟକ୍ତି ତାଙ୍କ ଘରୁ ବାହାରି ଯିବାର ଦେଖିଥିଲେ । ଯାହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ କଳି ଲାଗିଥିଲା । କିନ୍ତୁ ଗତକାଲି ନିଜ ପତ୍ନୀକୁ ଖୋଜି ପାଇ ନଥିଲେ । ରେଳ ଧାରଣା ଉପରେ ଏକ ଅଜଣା ମହିଳାଙ୍କ ଶବ ପଡିଥିବାର ସ୍ଥାନୀୟ ଲୋକମାନଙ୍କ ଠାରୁ ଶୁଣିବାକୁ ପାଇଥିଲେ ।ପରେ ସେ ଘଟଣା ସ୍ଥଳରେ ପହଞ୍ଚି ନିଜ ପତ୍ନୀର ଶବକୁ ଚିହ୍ନଟ କରିଥିଲେ । ଏହା ସୁପରିକଳ୍ପିତ ହତ୍ୟା ନା ଆତ୍ମହତ୍ୟାର ରୂପ ଦିଆଯାଇଛି ଶବ ବ୍ୟବଚ୍ଛେଦ୍ଦ ରିପୋର୍ଟ ଆସିଲା ପରେ ଜଣା ପଡିବ ବୋଲି ପୋଲିସ କହିଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା