 |
Nayagarh |
ନୟାଗଡ଼--- ଓଡ଼ିଆଙ୍କ ଆରାଧ୍ୟା ଦେବତା ମହାପ୍ରଭୃ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ ନିମନ୍ତେ କାଠ ସଂଗ୍ରହ କରାଯିବା ପାଇଁ ଆଜି ନୟାଗଡ଼ରେ ମହାପ୍ରଭୃଙ୍କ ଆଜ୍ଞାମାଳ ପହଞ୍ଚିଛି । ରଥ ତତ୍ୱାବଧାରକ ସୁର୍ଦଶନ ମେକାପ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ମହାପ୍ରଭୂଙ୍କ ଆଜ୍ଞାମାଳ ଧରି ଆଜି ସଂନ୍ଧ୍ୟାରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଏକ ଧାର୍ମିକ ପରିବେଶରେ ଆଜ୍ଞାମାଳକୁ ସ୍ୱାଗତ କରାଯାଇଛି । ଆସନ୍ତାକାଲି ସକାଳୁ ଗଣିଆ ବନାଂଚଳ ଅନ୍ତର୍ଗତ ବଡ଼ମୂଳଠାରେ ଅବସ୍ଥିତ ବଡ଼ ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ରଥକାଠ ସଂଗ୍ରହ କାର୍ଯ୍ୟାରମ୍ଭ କରାଯିବା ନେଇ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ସୂଚନା ଦେଇଛନ୍ତି । ଚଳିତବର୍ଷ ରଥ ନିର୍ମାଣ ପାଇଁ ମନ୍ଦିର କର୍ତ୍ତପକ୍ଷ ୬୭୨ ଖଣ୍ଡ କାଠ ଆବଶ୍ୟକ କରୁଥିବା ନେଇ ସୂଚନା ଦେଇଥିବା ବେଳେ ନୟାଗଡ଼ ବନଖଣ୍ଡରୁ ୩୬୭ ଖଣ୍ଡ କାଠ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଆଜ୍ଞାମାଳକୁ ସ୍ୱାଗତ କରିବା ପାଇଁ ବନଖଣ୍ଡ ଅଧିକାରୀଙ୍କ ସହ ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି, ବନ କର୍ମଚାରୀ, ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ