ବେଗୁନିଆରେ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ
ବେଗୁନିଆ---- ଅଖିଳ ଭାରତୀୟ ଟ୍ରେଡ ୟୁନିୟନର ଆହ୍ୱାନ କ୍ରମେ ଜାତୀୟ କଂଗ୍ରେସର ସହଯୋଗରେ୧୨ ଦଫା ସମ୍ବଳିତ ଦାବୀକୁ ନେଇ ଦିଆଯାଇଥିବା ଭାରତ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଛି ।ଏ ନେଇ ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ନିଖିଳ ଓଡିଶା ଆଶା କର୍ମୀ ସଂଘର ସଭାପତି ବସନ୍ତ କୁମାର ସେଠୀଙ୍କ ଆବାହକତ୍ୱରେ ଏକ ପ୍ରତିବାଦ ରାଲି ବେଗୁନିଆ ପୋଷ୍ଟ ଅଫିସ ଛକଠାରୁ ବାହାରି ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ବେଗୁନିଆ ମଣ୍ଡଳ ଆଶା କର୍ମୀ ସଭାନେତ୍ରୀ ଟୁନି ମାନସିଂହ ଓ ନିର୍ମାଣ ଶ୍ରମିକ ସଂଘର ସଭାପତି ଯୋଗେଶ ବିଶ୍ୱାଳଙ୍କ ନେତୃତ୍ୱରେ ଆଶା କର୍ମୀ ନଳିନୀ ମହାରଣା,ସବିତା ମଲ୍ଲିକ,ସରସ୍ୱତୀ ଦେବୀ ଓ ନଳିନୀ ରାଉତରାୟଙ୍କ ସମେତ ବହୁ ଆଶାକର୍ମୀ ଯୋଗ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନବିରୋଧି ନୀତି ବିରୁଦ୍ଧରେ ନାରାବାଜି ଲଗାଇବା ସହ ବନ୍ଦ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅପରପକ୍ଷେ କଂଗ୍ରେସ ନେତା ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ସାରୁଅ ସରପଞ୍ଚ ସୁଦର୍ଶନ ବେହେରା,ବେଗୁନିଆର ନାଏବ ସରପଞ୍ଚ ପ୍ରସନ୍ନ କୁମାର ବାରିକ,ପୂର୍ବତନ ସରପଞ୍ଚ ନବ କିଶୋର ସ୍ୱାଇଁ, ବିଜୟ କୁମାର ଗୁମାନସିଂହ,ହାଡି ବନ୍ଧୁ ମହାପାତ୍ର,ସୁଦର୍ଶନ ମାଣିକ,ପୂର୍ବତନ ସମିତିସଭ୍ୟ ଶିଶିର କୁମାର ଆଚାର୍ଯ୍ୟ,ସମାଜସେବୀ ବଂଶୀଧର ପଣ୍ଡା,ପଦ୍ମଲୋଚନ ରାଉତରାୟ,ଶଶୀ ଭୂଷଣ ପାଣିଗ୍ରାହୀ,ଓମ ପ୍ରକାଶ ବାହୁବଳେନ୍ଦ୍ର ଓ ରାଜ କିଶୋର ସାହୁ ପ୍ରମୁଖ ଅଂଶ ଗ୍ରହଣ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷ.କୃଷକ ନୀତି ଓ ଦରଦାମ ବୃଦ୍ଧି ବିରୁଦ୍ଧରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ସ୍ଥାନୀୟ ତହସିଲଦାର ବିବେକାନନ୍ଦ ପରିଡାଙ୍କୁ ଏ ସମ୍ପର୍କରେ ଦାବୀପତ୍ର ଦେଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବେଗୁନିଆ ଥାନା ଅଧିକାରୀ ରଶ୍ମି ରଞନ ସାହୁଙ୍କ ନେତୃତ୍ୱରେ ପୋଲିସ ନିୟୋଜିତ ହୋଇଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା