ପଙ୍କପାଳ କୃଷି ସେବାସମବାୟ ସମିତି ସମ୍ପାଦକଙ୍କ ନାମରେ ଜିଲ୍ଲାପାଳଙ୍କ ପାଖରେ ଚାଷୀ କଲେ ଅଭିଯୋଗ
କୁଜଙ୍ଗ----- କୁଜଙ୍ଗ ବ୍ଲକର ପଙ୍କପାଳ କୃଷି ସେବା ସମବାୟ ସମିତିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଚାଷିମାନେ ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । କୃଷିପାଇଁ ଋଣ ନେବାକୁ ଚାହୁଁଥିବା ଚାଷିଙ୍କ ଠାରୁ ୧ହଜାର ଋଣ ଟଙ୍କା ପିଛା ୫୦ଟଙ୍କା ଲେଖାଏଁ ବେଆଇନ ଭାବେ ସମ୍ପାଦକ ଆଦାୟ କରୁଛନ୍ତି । ଯେଉଁ ଚାଷି ଏହି ହାତଗୁଞ୍ଜା ଟଙ୍କା ନଦେଉଛି ସେ ଋଣ ଟଙ୍କା ପାଇବାରୁ ବଂଚିତ ହେଉଛି । ସମ୍ପାଦକ ଗତ ବର୍ଷର ଅଖା ପଇସା ଚାଷିଙ୍କୁ ନଦେଇ ଆତ୍ମସାତ କରିଛନ୍ତି । ଚାଷିମାନଙ୍କଠାରୁ ଧାନସଂଗ୍ରହ ସମୟରେ ପେମେଣ୍ଟ ରେଜିଷ୍ଟରରେ କ୍ରୟମୂଲ୍ୟ ସହିତ ଅଖାବାବଦ ଅର୍ଥ ଉଲ୍ଲେଖ କରି ଚାଷିଙ୍କ ଠାରୁ ଦସ୍ତଖତ ନେଇଥିବା ବେଳେ କେବଳ ଧାନର କ୍ରୟମୂଲ୍ୟ ଚାଷି ପାଇଥିବା କହିଛନ୍ତି । ୩୫୦ଜଣ ଚାଷିଙ୍କର ଅଖା ବାବଦ ଅର୍ଥ ୬୪ହଜାରରୁ ଉଦ୍ଧ୍ୱର୍ ଟଙ୍କା ସମ୍ପାଦକ ହେରଫେର କରିଥିବାର ଜଣାପଡିଛି । ଏ ସମ୍ପର୍କରେ ସମବାୟ ବିଭାଗର ସହକାରୀ ପ୍ରବନ୍ଧକ ଓ ଉପ ପ୍ରବନ୍ଧକଙ୍କୁ ଶୋଷଣର ଶିକାର ହୋଇଥିବା ଚାଷିମାନେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇପାରି ନାହାଁନ୍ତି । ସମ୍ପାଦକଙ୍କୁ ସୁହାଇଲା ଭଳି ନାମକୁ ମାତ୍ର ତଦନ୍ତ କରାଯାଇ ତଦନ୍ତ ରିପୋର୍ଟକୁ ଚପାଇ ଦିଆଧାଇଛି ବୋଲି ପଙ୍କପାଳ କୃଷି ସେବା ସମବାୟ ସମିତିର ପୂର୍ବତନ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଏଠାରେ ପ୍ରକାଶ ଥାଉକି ସରକାରଙ୍କ ପକ୍ଷରୁ ଧାନ ସଂଗ୍ରହ ନିମନ୍ତେ ଅନ୍ଲାଇନ ରେଜିଷ୍ଟ୍ରେସନର ବ୍ୟବସ୍ଥା କରାଯାଇଥିବା ସତ୍ୱେ ଏହି ସମବାୟ ସମିତରେ ଏଥିରେ ସ୍ୱଚ୍ଛତା ରହୁ ନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସମ୍ପାଦକ ଧାନ ସଂଗ୍ରହ ଲାଗି ମନଇଛା ଅନ୍ଲାଇନ୍ରେ ରେଜିଷ୍ଟ୍ରେସନ କରିଅଛନ୍ତି । ଯାହାଫଳରେ ପ୍ରକୃତ ଚାଷି ଉପକୃତ ହେବା ପରିବର୍ତେ କିଛି ଅଣଚାଷି ଓ ବ୍ୟବସାୟି ଲାଭବାନ୍ ହେବାର ଯଥେଷ୍ଟ ସନ୍ଦେହ ଉପୁଜିଛି । ମଣ୍ଡି ଖୋଲାଯାଇ ଚାଷିଙ୍କଠାରୁ ଧାନ ସଂଗ୍ରହ ନିମନ୍ତେ ଡାକବାଜି ଯନ୍ତ୍ରରେ ଘୋଷଣା କରାଯିବା କିମ୍ବା ବିଜ୍ଞାପନ ମାଧ୍ୟମରେ ଜଣାଇବା କାର୍ଯ୍ୟ ସମ୍ପାଦକ କରିନଥିବା ସ୍ଥାନିୟ କୃଷକ ମାନେ ଅଭିଯୋଗ କରିଛନ୍ତି । ଏହାର ଉଚ୍ଚସ୍ତରିୟ ତଦନ୍ତ ପାଇଁ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଶହ ଶହ ଚାଷି ଜିଲ୍ଲାପ୍ରଶାସନଙ୍କ ନିକଟରେ ଦାବୀ କରିଛନ୍ତି । ଏହି ଘଟଣା ସଠିକ ତଦନ୍ତ ନ ହେଲେ ଆଗାମି ଦିନରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଚାଷୀ ମାନେ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଆଗାମି ଦିନରେ ଯାହା ଘଟିବ ସେଥିପାଇଁ ଜିଲ୍ଲାପାଳ ସମ୍ପର୍ଣ୍ଣ ଦାୟୀ ରହିବେ ବୋଲି ଚାଷୀ ମାନେ କହିଛନ୍ତି ।
ଜଗତସିଂହପୁରୁରୁ ପ୍ରଳୟ କୁମାର ମହପାତ୍ର
ଜଗତସିଂହପୁରୁରୁ ପ୍ରଳୟ କୁମାର ମହପାତ୍ର