ଅତାବିରାରେ ପାଣି ମହଙ୍ଗା, ମଦ ଶସ୍ତା, ମଦରେ ଉବୁଟୁବୁ ଅତାବିରା....
ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ଏବେ ପାନୀୟଜଳ ମହଙ୍ଗା ହୋଇଥିବା ବେଳେ ମଦ ଏଠି ଶସ୍ତା ହୋଇଛି ବୋଲି ଲୋକମାନେ କହନ୍ତି । ଅଞ୍ଚଳ ବାସୀ ବହୁଦିନରୁ ପାନୀୟଜଳ ସମସ୍ୟାର ସାମ୍ନା କରିଆସୁଛନ୍ତି। ଅତାବିରା ମଧ୍ୟଦେଇ ୫୩ନଂ ଜାତୀୟରାଜପଥ କରରେ ଯାଇଥିବାବେଳେ ଏହି ଚାରିଥାକିଆ ରାସ୍ତା ନିର୍ମାଣ ପୂର୍ବରୁ ଲୋକେ କଷ୍ଟେମଷ୍ଟେ ପାନୀୟଜଳ ପାଉଥିଲେ। ହେଲେ ରାସ୍ତା ନିର୍ମାଣପରେ ପାନୀୟଜଳର ଅବସ୍ଥା ନ କହିଲେ ଭଲ । ଆଗରୁ ସର୍ବସାଧାରଣ ତଥା ସ୍କୁଲ,କଲେଜର ଛାତ୍ରଛାତ୍ରୀ ମାନଙ୍କ ପାଇଁ ରାସ୍ତାକଡ଼ରେ ନଳକୂପ ବସାଯାଇ ଥିଲା । ତଥା ରାସ୍ତା କଡ଼ ଦେଇ ପାଇପ ଯୋଗେ ୱାର୍ଡ ତଥା ପଡା ମାନଙ୍କର ଷ୍ଟାଣ୍ଡ ପୋଷ୍ଟ ମାନଙ୍କୁ ପାନୀୟଜଳ ଯୋଗାଇ ଦିଆଯାଉଥିଲା। ରାଜରାସ୍ତା ନିର୍ମାଣକାରୀ ଠିକାସଂସ୍ଥା ଅଶୋକା ବିଲଡ଼କାନ ରାସ୍ତା ନିର୍ମାଣବେଳେ ନଳକୂପ ଓ ପାଇପ ଗୁଡିକୁ ଉପାଡି ଦେଇଥିଲା। ନଳକୂପ ଗୁଡିକ ମଧ୍ୟରୁ ଅନେକ ଅଚଳ ପଡିରହିଛି ତ ଆଉ କେତେକ ଅସାଧୁ ବ୍ୟକ୍ତି ଚୋରିକରି ନଳକୂପର ମୁଣ୍ଡ ଖୋଲିଦେଇ ତାଙ୍କ ବ୍ୟକ୍ତିଗତ ବ୍ୟବହାର ପାଇଁ ଅକ୍ତିଆର କରି ବସିଛନ୍ତି।ତେଣୁ ଅଞ୍ଚଳବାସୀ ଏବେ ପାଣି ଟୋପେ ପାଇଁ ଡହଳବିକଲ ହେଉଛନ୍ତି।ସରକାର ଲୋକଙ୍କ ପାଇଁ ପାନୀୟଜଳ ସକାଶେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ ହେଲେ ତାହା କାଗଜ କଲମରେ ସୀମିତ ରହିଯାଉଥିବାର ଲୋକେ କହନ୍ତି।ସେହିପରି ଏନଏସି ପକ୍ଷରୁ ଜଳ ଯୋଗାଇବା ପାଇଁ ଠାଏ ଠାଏ ପାଣି ଟାଙ୍କି ଗୁଡିକ ବସାଇଛି ହେଲେ ତାହା ମଧ୍ୟ ଜଳଶୂନ୍ୟ।ଗୋଟିଏ ପଟେ ଏଠି ପାନୀୟଜଳ ମୁଖ୍ୟ ସମସ୍ୟାର ହେଇ ଉତ୍କଟ ଦେଖା ଯାଉଥିଲାବେଳେ ଏଠାରେ କିନ୍ତୁ ମଦର ବନ୍ୟା ଛୁଟୁଛି।ପ୍ରତ୍ୟେକ ଛକ ତଥା ଗଳିକନ୍ଦି ଯୋଉ ପଟେ ନଜର ବୁଲାଇଲେ ଛକ, ପାନଦୋକାନ, ସରକାରୀ କାର୍ଯ୍ୟାଳୟ ଓ ଆହାରକେନ୍ଦ୍ର ସାମ୍ନାରେ ଅନାୟସରେ ବେନିୟମ ଭାବେ ଖୁଲେଆମରେ ମଦ ବେପାରୀ ମାନେ ସେମାନଙ୍କର ପସରା ଖୋଲିଛନ୍ତି ।ଏପରିକି କୋର୍ଟ,ପୋଲିସଥାନା,ସ୍କୁଲକଲେଜ ସାମ୍ନାକୁ ମଧ୍ୟ ଛାଡୁନାହାନ୍ତି ମଦ ବେପାରୀ ମାନେ। ସରକାରୀ ଦୋକାନ ମାନଙ୍କରୁ ସରକାର ଟିକସ ପାଉଛନ୍ତି । ସ୍ଥାନୀୟ ବିଭାଗୀୟ ଅବକାରୀ ତଥା ପୋଲିସ କର୍ମଚାରୀ ମାନେ ଏଠାରେ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଇ ନିଜ ପକେଟ୍ ଟିକସ ଆଦାୟ କରୁଛନ୍ତି ବୋଲି ଜନସାଧାରଣରେ ଆଲୋଚନା ହେଉଛି। ଯାହା ଫଳରେ କି ଅଞ୍ଚଳରେ ଚୋରାରେ ହୁ ହୁ ହେଇ ଦେଶୀ ବିଦେଶୀ ମଦ ଦୋକାନ ଖୋଲୁଛି । ମୂଲୁ ମାଇଲେ ଯିବସରି ନ୍ୟାୟରେ ଯଦି ସରକାର ତଥା ପୋଲିସ ବିଭାଗ ଗାଁ ଗହଲିର ମଦ ବିରୋଧୀ ଅଭିଯାନ ପାଇଁ ଯଦି ଟିକିଏ ଦୃଷ୍ଟି ଦିଅନ୍ତେ ଓ ସରକାରୀ ନିୟମକୁ ଜଗନ୍ତେ ତେବେ କିଛିଟା ସୁଧାର ଆସିପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରକାଶ ପାଏ। ଅତାବିରା ଏନଏସି ଓ ବ୍ଲକ ରେ ପାନୀୟଜଳ ମିଳିବା ବେଳକୁ ସରକାରୀ ନିୟମ କାନୁନ ଖୋଜା ଚାଲିଛି । ଅନ୍ୟ ପକ୍ଷେ ଦେଶୀ ବା ବିଦେଶୀ ମଦ ଦୋକାନ ଖୋଲିବାକୁ ଗଲେ ନିୟମ କାନୁନ ଦରକାର ପଡୁନାହିଁ ।ସେଥିଯୋଗୁ ଲୋକମାନେ କହନ୍ତି ଏଠାରେ ମଦ ଶସ୍ତା ପାଣି ମହଙ୍ଗା । ଏ ଦିଗ ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ