ମା ରାଧାଙ୍କ ସହିତ ସାକ୍ଷୀଗୋପିନାଥ କୁମାରପୁର୍ଣ୍ଣମୀରେ କଉଡି ଖେଳିଲେ
ସାକ୍ଷୀଗୋପାଳ ---- ଆଜି ପବିତ୍ର କୁମାର ପୂର୍ଣ୍ଣମୀ ଅବସରରେ ମା ରାଧା ଦେବୀଙ୍କ ସହ ସାକ୍ଷୀଗୋପିନାଥ ଦେବ କୁମାର ପୂର୍ଣ୍ଣମୀ ବେଦୀରେ କଉଡି ଖେଳିଛନ୍ତି । ଏହି କଉଡି ଖେଳ ଦେଖିବା ପାଇଁ ଭକ୍ତ ମାନଙ୍କର ଗହଳି ଲାଗିଥିଲା । ସୁଚନାଯୋଗ୍ୟ ଯେ ସତ୍ୟବାଦୀର ଠାକୁର ସାକ୍ଷୀଗୋପିନାଥଙ୍କ ପାରମ୍ପରିକ ରୀତିନୀତି ଅନୁଯାୟୀ ଭୋରରୁ ଦ୍ୱାର ଉନ୍ମୋଚନ, ମଙ୍ଗଳ ଆଳତି,ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ବଲ୍ଲବ, ସକାଳଧୂପ ଓ ସଂଧ୍ୟାରେ ବିଜେ ପତିମା ମଦନମୋହନ ସୁସଜିତ ବିମାନରେ କୁମାର ପୁର୍ଣ୍ଣମି ବେଦୀକ୍ୁ ବିଜେ କରିଥିଲେ । ସରପୁଳି, ଡାଲିମ୍ବ, ଗଜା ,ଖୁରୁମା, ଖଇକୋରା, ଫଳମୂଳ ଓ ଧୁଆ ମୁଗ ନଡିଆ ପନ୍ତୀ ଭୋଗ ଆଳତି ପୂଜା ପଣ୍ଡାଙ୍କ ଦ୍ୱାରା କରାଯାଇଥିଲା । ସେଠାରେ ମା ଶ୍ରୀ ରାଧା ଠାକୁରାଣୀଙ୍କ ସହିତ ପରମ୍ପରା ଅନୁଯାୟୀ କଉଡି ଖେଳ ଅନୁଷ୍ଠିତ ହୋଇଥିଲା । ଠାକୁରଙ୍କ ତରଫରୁ ପୂଜାପଣ୍ଡା, ପାଳିଆପତ୍ରି ସେବାୟତ ଦୁଇ ଭାଗ ହୋଇ ରୂପାରେ ନିର୍ମିତ କଉଡିରେ ଖେଳ ହୋଇଥିଲା । ଏହି କଉଡି ଖେଳ ନିମନ୍ତେ ଶ୍ରୀଜିଉଙ୍କ ସଂରକ୍ଷିତ ଭଣ୍ଡାର ଘରୁ ମେକାପ ସେବାୟତଙ୍କ ମାଧ୍ୟମରେ ରୂପା କଉଡି ଅଣାଯାଇଥିଲା । ଏହି ଖଉଡି ଖେଳ ପରେ ଠାକୁର ବିମାନରେ ବିଜେ କରି ମନ୍ଦିର ବାହୁଡା ହୋଇଥିଲେ । ସେହିପରି ମା ଧନଲକ୍ଷ୍ମୀଙ୍କର ପ୍ରତିମୂତ୍ତି ବିଭିନ୍ନ ବଜାର ଛକ ମାନଙ୍କରେ ପୂଜିତ ହୋଇଥିବାର ଦେଖାଯାଇଛି । ଆଜି ଭୋରୁ ଭୋରୁ କୁମାରୀ ମାନେ ଗାଧୁଆ ପାଧୁଆ ସାରି ନୁଆ ଜାମା ପିନ୍ଧି ଚଉରା ମୂଳରେ ଫୁଲ, ଦ୍ୱୀପ, ଧୂପ ଜଳାଇ ଲିଆଖଇ, ନଡିଆ, ଆଖୁ, ଫଳମୂଳ ଥୋଇ ଆଞ୍ଜୁଳା ଟେକିଥାନ୍ତି । ସଂଧ୍ୟାରେ ଆକାଶରେ ଜହ୍ନ ଦେଖିଲାପରେ ଛେନା, କ୍ଷୀର, ଚିନି, ଅଧାଭୋଗ ହୋଇ ରହିଥିବା ସେହି ଲିଆଖଇ, ଫଳମୂଳ ଏକାଠି କରି ଚକାଟା ହେବାପରେ ପୁର୍ନବାର ଚାନ୍ଦ ବା ଜହ୍ନମାମୁଁଙ୍କୁ ଭୋଗ ଅର୍ପଣ କରାଯାଇଥାଏ । ତାହାକୁ ଭୋଗ ଭାବରେ ସମସ୍ତେ ପାଇଥାନ୍ତି । ଏହି ଭୋଗକୁ ନିଜ ନିଜ ମଧ୍ୟରେ ଖୁଆଖୁଇ ହେବାପରେ ଚାନ୍ଦ ନାମରେ ନାମିତ ହୋଇଥାନ୍ତି । ଏଣୁ ଗ୍ରାମ ମାନଙ୍କରେ ଚାନ୍ଦ ନାମରେ ସାଙ୍ଗମାନେ ଡକା ଡକି ହୋଉଥିବାର ଜଣାପଡେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି