ହରଡବାଡିରେ କିଡିନ ରୋଗରେ ପୁଣି ଜଣକର ମୃତ୍ୟୁ, ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି
ହାଟଡିହି---- ହାଟଡିହି ବ୍ଲକ ହଦଗଡ ପଞ୍ଚାୟତ ହରଡବାଡିରେ ମଙ୍ଗଳବାର ଜଣେ କିଡିନି ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ଘଟିଛି । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଗତ ବର୍ଷକ ଭିତରେ ୨୦ରୁ ଉର୍ଦ୍ଧ ଲୋକ କିଡିନି ରୋଗରେ ମୃତ୍ୟୁବରଣ କରିଥିବାବେଳେ ଏବେବି ୨୦ରୁ ଉର୍ଦ୍ଧ ଆକ୍ରାନ୍ତ ଅଛନ୍ତି । ଖବରରୁ ଜଣାଯାଇଛି ଯେ ହରଡବାଡି ଗ୍ରାମରେ ଗତ କିଛିବର୍ଷ ହେଲା ଲୋକମାନେ ବହୁ ସଂଖ୍ୟାରେ ଏହି ରୋଗରେ ଆକ୍ରାନ୍ତ ହୋଇ ପଡିଛନ୍ତି । ପ୍ରଥମେ ପ୍ରଥମେ ଜ୍ୱର ହେଉଛି ଓ ପରେ ଟାଇଫଏଡ ହେବାପରେ ସେମାନେ କିଡିନି ରୋଗରେ ଆକ୍ରାନ୍ତ ବୋଲି ଜଣାପଡୁଛି । ଗତ କିଛିଦିନ ହେଲା ଗ୍ରାମର ବିକାନ ବାସ୍କେ (୩୪)ନାମକ ଜଣେ ବ୍ୟକ୍ତି କଡିନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ଆଜି ଗୁରୁତର ହେବାରୁ ଡାକ୍ତରଖାନା ନେବା ବାଟରେ ସେ ପ୍ରାଣ ହରାଇଛନ୍ତି । ସେହିପରି ଗ୍ରାମର ଦୀନବନ୍ଧୁ ମାଝୀ, କାସିରାମ କିସ୍କୁ, କାରମି ହାଁସଦା, ଦୁଗାର ଟୁଡୁ, ବାସନ୍ତୀ ହାଁସଦା, ଲମ୍ବୋଦର କିସ୍କୁ, ପାଣ୍ଡବ ମାରାଣ୍ଡି ପ୍ରମୁଖ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ ଏନେଇ ସେ ଦୁଇ ଦୁଇଥର ଜିଲ୍ଲାପରିଷଦ ବୈଠକରେ ଆଲୋଚନା କରିବା ସହ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଜଣାଇଥିଲେବି କୈଣସି ପ୍ରତିକାର କରାଯାଉ ନଥିବା ସେ ଅଭିଯୋଗ କରିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ହରଡବାଡି ଗ୍ରାମକୁ ଏକ ଡାକ୍ତରୀଦଳ ପଠାଯାଇ ରୋଗର କାରଣ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଜିଲ୍ଲାପରିଷଦ ସଦସ୍ୟ ଟିକି କିସ୍କୁ ଦାବି କରିଛନ୍ତି ।
ହାଟଡିହିରୁ ବିକାଶ ବିଶ୍ୱାଳ
ହାଟଡିହିରୁ ବିକାଶ ବିଶ୍ୱାଳ