 |
konark News |
କୋଣାର୍କ----- ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଡିସେମ୍ବର ୧ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ । ଏହାକୁ ମନଭରି ଉପଭୋଗ କରିବା ନିମନ୍ତେ ଦର୍ଶକ ମାନଙ୍କ ପାଇଁ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟୁର ପ୍ୟାକେଜର ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ୬ଟାରୁ ରାତି ୮.୩୦ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ଓ ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚନ୍ଦ୍ରଭାଗାର ବେଳାଭୂମିରେ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ ଅନୁଷ୍ଠିତ ହେବ । ଏହି ଅବସରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଘୋଷିତ ସ୍ୱତନ୍ତ୍ର ଟୁର ପ୍ୟାକେଜରେ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବକୁ ଗୋଟିଏ ଦିନ ଦେଖିବା ପାଇଁ ପୁରୀରୁ ଆସୁଥିବା ପର୍ଯ୍ୟଟକଙ୍କ ଠାରୁ ମୁଣ୍ଡ ପିଛା ୧ହଜାର ୯୫ ଟଙ୍କା ଓ ଭୁବନେଶ୍ୱରରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ୧ହଜାର ୪ଶହ ୧୫ଟଙ୍କା ରହିଛି । ସେହିପରି ଦୁଇଦିନ ଓ ଦୁଇରାତି ପାଇଁ ଭୁବନେଶ୍ୱରରୁ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ୭ହଜାର ୬ଶହ ୭୦ଟଙ୍କା, ୩ଦିନ ଓ ୩ରାତି ପାଇଁ ୧୨ହଜାର ୫ଶହ ୨୦ଟଙ୍କା ଏବଂ ୫ଦିନ ୫ରାତି ପାଇଁ ୧୯ହଜାର ୬ଶହ ଟଙ୍କା ରଖାଯାଇଛି । ସକାଳେ ଟିଫିନ, ମଧ୍ୟାହ୍ନ ଓ ରାତ୍ରରେ ଭୋଜନ, ରାତ୍ରୀ ଯାପନର ବ୍ୟବସ୍ଥା ରହିଛି । ଭୁବନେଶ୍ୱର ଓ ପୁରୀ ସ୍ଥିତ ପାନ୍ଥନିବାସରୁ ଏକ ସ୍ୱତନ୍ତ୍ର ବସ ସ୍ୱର୍ଣ୍ଣତ୍ରିଭୁଜରେ ଥିବା ଧଉଳି, ଖଣ୍ଡଗିରି, ଶିଳ୍ପୀ ଗ୍ରାମ ରଘୁରାଜପୁର, ସାତପଡା, ଚିଲିକା, ଜଗନ୍ନାଥ ଦର୍ଶନ ଓ ସୂର୍ଯ୍ୟମନ୍ଦିର ଭ୍ରମଣ ସହିତ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲାଇବା ପରେ ଅପରାହ୍ନରେ ଚନ୍ଦ୍ରଭାଗାଠାର ଆୟୋଜିତ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ ଓ ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ଶାସ୍ତ୍ରୀୟ ନୃତ୍ୟକୁ ମନଭରି ଉପଭୋଗ କରିିିିିିିିିିିିିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆୟୋଜକ ମାନଙ୍କ ପକ୍ଷରୁ କରାଯାଇଛି । ପର୍ଯ୍ୟଟକମାନେ ଏହି ଟୁର ପ୍ୟାକେଜର ଫାଇଦା ଉଠାଇବା ପାଇଁ ହେଲେ ଅନଲାଇନ ମାଧ୍ୟମରେ ଅଗ୍ରୀମ ବୁକିଙ୍ଗ କରିପାରିବେ ବୋଲି ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
କୋଣାର୍କରୁ ଅଜିତ କୁମାର ମଲିକଙ୍କ ରିପୋର୍ଟ