Breaking News

ପାଲକଷଣ୍ଢା ରେ “ନଳ ବାଉଁଶ ଯାତ୍ରା”



ଭଞ୍ଜନଗର-  ଘୁମୁସର ର  ପାରମ୍ପାରିକ କୃଷିଭିତ୍ତିକ ପର୍ବ ନଳ ବାଉଁଶ ଯାତ୍ରା ।    ଦୀର୍ଘ ବର୍ଷ ହେବ ଏହି ଯାତ୍ରା ପାଳନ ହୋଇ ଆସୁଛି ।ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ପାଲକଷଣ୍ଢା ଗାଁର ଏହା ଗଣପର୍ବ ଭାବେ ପରିଚିତ । ଏଠି “ବାଉଁଶ” କୁ ଶକ୍ତିର ପ୍ରତୀକ ଠାକୁରାଣୀ ଭାବେ ପୂଜା କରାଯାଏ । ଗାଁ ର ଠାକୁରାଣୀ ଷଣ୍ଢେଶ୍ବରୀ, ଦଳୁଆ ଓ କାଳୁଆ ଠାକୁରାଣୀଙ୍କ ନାମରେ ୩ ଟି ବଡ଼ ବାଉଁଶ କୁ ପୂଜା କରାଯାଏ । ଗାଁର ବଢେଇ ସେବାୟତଙ୍କ ଦ୍ବାରା ପାଖ ଜଙ୍ଗଲର ଗୋଟିଏ ବାଉଁଶ କୁମ୍ଭରୁ ତିନୋଟି ବାଉଁଶ ସଂଗ୍ରହ କରି ଅଣାଯାଏ । ଗାଁ କରଣ ଙ୍କ ଘରେ ଆଗରେ , ତିନୋଟି ବାଉଁଶ କୁ ନୂଆ ଲୁଗା ଓ ଫୁଲରେ ସଜାଇ ଦିଆଯାଏ । ପାରମ୍ପରିକ ରୀତି ଅନୁସାରେ ପୂଜାର୍ଚ୍ଚନା କରାଯାଏ ।  ତିନିଜଣ ଭକ୍ତ ଅଣ୍ଟାରେ, ନଳ ବାଉଁଶ ଠାକୁରାଣୀ ଙ୍କୁ ଧରିଥାନ୍ତି । ଚାଙ୍ଗୁବାଦ୍ୟ ର ତାଳେ ତାଳେ ଶହଶହ ଭକ୍ତଙ୍କୁ ସାଥିରେ ନେଇ ଗାଁ ପରିକ୍ରମା କରନ୍ତି । ଗାଁ ପରିକ୍ରମା ସମୟରେ, କିଛି ଭକ୍ତଙ୍କ ଘର ଆଗରେ ପୂଜାର୍ଚ୍ଚନା ମଧ୍ୟ କରାଯାଏ । ବିଶ୍ବାସ ରହିଛି, ଠାକୁରାଣୀଙ୍କ ପ୍ରତୀକ “ବାଉଁଶ” କୁ ପୂଜାକଲେ, ଫସଲରେ ରୋଗ-ପୋକ ଲାଗିବ ନାହିଁ । ଭଲ ବର୍ଷା ହେବ ଏବଂ ପ୍ରଚୁର ଫସଲ ଅମଳ ହେବ । ଏହାସହ ଗୃହ ପାଳିତ ପଶୁ ମାନେ ନିରୋଗ ରହିବେ । ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ, ଅଞ୍ଚଳବାସୀ ଏବଂ ସମଗ୍ର ବିଶ୍ବ ବାସୀଙ୍କ ମଙ୍ଗଳ ହେବ ବୋଲି, ବିଶ୍ୱାସ ରହିଛି । ଏହି ଲକ୍ଷ୍ୟ ନେଇ, ପାଲକଷଣ୍ଢା ଗ୍ରାମବାସୀ ପାଳନ କରି ଆସୁଛନ୍ତି ଏହି “ନଳ ବାଉଁଶ” ଯାତ୍ରା ।ଗାଁ କାର୍ଜୀ, କରଣ , ନାଇକ ଓ ସେବାୟତଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି ପର୍ବକୁ, ପୀଢ଼ି ପରେ ପୀଢ଼ି ପାଳନ କରି ଆସୁଛନ୍ତି  । ପ୍ରତ୍ୟେକ ବର୍ଷ ଭାଦ୍ରବ ମାସରେ ଜନ୍ମାଷ୍ଟମୀ ପରେ  ଆୟୋଜିତ ହୁଏ ନଳ ବାଉଁଶ ଯାତ୍ରା । ଗାଁର ସମସ୍ତ ଜନସାଧାରଣଙ୍କ ସମେତ  ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏକାଠି ହୁଅନ୍ତି । ବିଶେଷ କରି ଏହି ଯାତ୍ରା ଆୟୋଜନ ଦ୍ବାରା ଗାଁ ରେ ଭାଇଚାରା ସୃଷ୍ଟି ହୋଇଥାଏ । ମାନ ଅଭିମାନ ଭୁଲି ସମସ୍ତେ ଏକାଠି ହୁଅନ୍ତି । ଏହାସହ  ପ୍ରକୃତି ଓ ପରିବେଶକୁ ପୂଜା କରିବାର, ନିଆରା ପରମ୍ପରା ଦେଖିବାକୁ ମିଳେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୯/୨୦୨୪---୧୨,୨୫ Sakhigopal News,5/9/2024

Blog Archive

Popular Posts