ସାକ୍ଷୀଗୋପିନାଥ ଠାକୁରଙ୍କୁ ସେବାୟତ ଓ ପ୍ରଜାମାନେ ସୁନିଆଁ ଭେଟି ଦେଲେ ; ରାଜା ବେଶରେ ଦର୍ଶନ ଦେଲେ ଠାକୁର
ସାକ୍ଷୀଗୋପାଳ,---- ବର୍ଷକୁ ଥରେ ଠାକୁରଙ୍କୁ ପ୍ରଜା ମାନେ ସୁନିଆଁ ଭେଟି ଦେବାର ପରମ୍ପରା ରହିଆସିଛି । ଏହି ଅବସରରେ ସାକ୍ଷୀଗୋପଳ ମନ୍ଦିରରେ ସୁନିଆଁ ପର୍ବ ପାଳିତ ହୋଇଯାଇଛି । ଦୈନଦିନ ଦେବନୀତି କରାଯିବା ପରେ ଅପରାହ୍ନରେ ମନ୍ଦିର ସିଂହଦ୍ୱାରକୁ ପୂର୍ଣ୍ଣକୁମ୍ଭ କଳସ, କଦଳୀ ଗଛ, ଆମ୍ବ ଡାଳ, ଫୁଲ ଇତ୍ୟାଦରେ ସଜ୍ଜା ଯାଇଥିଲା । ସଂନ୍ଧ୍ୟା ଆଳତି, ଗୋଧନ ବାହୁଡାଭୋଗ ପରେ ସଂନ୍ଧ୍ୟାଧୁପ ବେଶରେ ସେବକ ମାନେ ସୁନିଆଁ ଉପଲକ୍ଷେ ଠାକୁରଙ୍କୁ ରାଜବେଶରେ ସଜ୍ଜିତ କରିଥିଲେ । ପାଟ, ପିତାମ୍ବରୀ, ସୁବର୍ଣ୍ଣ ବଶିଂ, ମକର କୁଣ୍ଡଳ, ଚାପସରୀ, ନୁଡୁକ, ହୀରା ମୁଦ୍ରିକା, ବେଙ୍ଗପାଟିଆ, ସୁବର୍ଣ୍ଣ ମୁକୁଟ, ବାଙ୍କି ନୂପୁର ଓ ତୁଳସି, ଚନ୍ଦନ, ଫୁଲମାଳ ଆଦି ପରିଧାନ କରି ରାଜା ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ । ଯେଉଁପରି ସେ ଯୁଗରେ ରାଜା ମାନେ ସେମାନଙ୍କ ପ୍ରଜା ମାନଙ୍କ ଠାରୁ ଖଜଣା ଆଦାୟ କରିଥାନ୍ତି ଠିକ୍ ସେହି ନୀତି ଅନୁସାରେ ପ୍ରଜାମାନେ ସାକ୍ଷୀଗୋପିନାଥ ଠାକୁର ସୁନିଆଁ ଭେଟି ପ୍ରଦାନ କରିଥାନ୍ତି । ଠାକୁରଙ୍କ ସମ୍ପତି ବା ବାରି ବଗିଚା ଯେଉଁମାନେ ରଖିଛନ୍ତି ବା ଦଖଲ କରିଛନ୍ତି ସେମାନେ ଆଜିର ଦିନରେ ଠାକୁରଙ୍କୁ ସୁନିଆଁ ଭେଟି ପ୍ରଦାନ କରି ଋୁଣମୁକ୍ତ ହୋଇଥାନ୍ତି ବୋଲି କୁହାଯାଇଥାଏ । ପାରମ୍ପରୀକ ସୁନିଆଁ ଭେଟି ଦେବାପାଇଁ ଗୋପାଳପୁର ପଟଣା ଗ୍ରାମରୁ ମହାଜନ ମାନେ ଘଣ୍ଟାବଜାଇ, ମଶାଲ ଜଳାଇ ମନ୍ଦିରରେ ପହଞ୍ଚିଥିଲେ । ଠାକୁର ସମ୍ପତିି ବା ପ୍ରଜା ଭାବରେ ଠାକୁରଙ୍କୁ ଭେଟି ଦେବା ପାଇଁ ବିଭିନ୍ନ ଅଞ୍ଚଳରୁ ବିଭିର୍ନ ବର୍ଗର ଲୋକମାନେ ଆସିଥିବାର ଦେଖାଯାଇଥିଲା । ସାଙ୍ଗରେ ଫୁଲମାଳ ଭୋଗ ନୈବେଦ୍ୟ ଓ ସର ଲବଣୀ ଭାର ଠାକୁରଙ୍କ ପାଇଁ ଆଣିଥିବା ଦେଖାଯାଇଥିଲା । ଉପସ୍ଥିତ ପ୍ରଜା ଓ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିବା ସହିତ ସମ୍ମୁଖରେ ରଖାଯାଇଥିବା ଥାଳିରେ ସୁନିଆଁ ଭେଟି (ଅର୍ଥ) ପକାଇଥିଲେ । ଏହିପର୍ବରେ ମନ୍ଦିରର ବିଭିନ୍ନ ବର୍ଗର ସେବାୟତ ମାନେ ନିଜେନିଜେ ତିଆରି କରିଥିବା କଟୂରୀ, ପନିକି, କୋରଣା, ପିଢା, ରୁଖା, ଆଦି ବର୍ଷକୁଥରେ ମନ୍ଦିରରେ ବ୍ୟବହାର ନିମନ୍ତେ ଅର୍ପଣ କରିଥିଲେ । ସୁନିଆଁ ଭେଟି ନିମନ୍ତେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀଙ୍କ ତତ୍ୱବଧାନରେ ସୁପରଭାଇଜର ବିଶ୍ୱନାଥ ମହାପାତ୍ର ଶ୍ରଦ୍ଧାଳୁ ମାନଙ୍କର ତାଲିକା ପଢ଼ିବାପରେ ଜଣଜଣ କରି ଠାକୁରଙ୍କୁ ଭେଟି ପ୍ରଦାନ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୯/୨୦୨୪---୭,୧୦ Sakhigopal News, 15/9/2024