Breaking News

ଲଗାଣ ବର୍ଷା ଯୋଗୁଁ ପାଣି ଘେରରେ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର

 


କୋଣାର୍କ -  ଲଘୁଚାପ ଆସିଲେ ସୂର୍ଯ୍ୟମନ୍ଦିର ପ୍ରତି ବିପଦ ମାଡିଆସେ । ସାମାନ୍ୟ ବର୍ଷା ହେଲେ ମନ୍ଦିର ପରିସରରେ ବର୍ଷାଜଳ ଠୁଳ ହୋଇ ସମସ୍ୟା ସୃଷ୍ଟି କରିଥାଏ । ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ଠାରୁ ଏଏସଆଇ କତ୍ତୃପକ୍ଷ ଦୈନିକ ଲକ୍ଷଲକ୍ଷ ଟଙ୍କା ଆଦାୟ କରୁଥିଲେ ମଧ୍ୟ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଉ ନ ଥିବା ପର୍ଯ୍ୟଟକମାନେ ଅଭିଯୋଗ ଆଣିଛନ୍ତି । ମନ୍ଦିର ପରିସରରେ ପର୍ଯ୍ୟଟକମାନେ ବର୍ଷା, ଶିତ, କାକର ଓ ଖରା ଦାଉରୁ ବର୍ତ୍ତିବା ପାଇଁ ଆଶ୍ରୟ ସ୍ଥଳିଟିଏ ନ ଥିବାରୁ ଗଛତଳେ ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି । ଗତ ବୁଧବାର ଠାରୁ ପ୍ରବଳ ବର୍ଷା ଲାଗିରହିବା ଯୋଗୁଁ ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ପରିସର କୂର୍ତ୍ତିମ ହ୍ରଦରେ ପରିଣତ ହୋଇଛି ।  ଲାଗାଣ ବର୍ଷା ଯୋଗୁଁ ସୂର୍ଯ୍ୟମନ୍ଦିର ପରିସରରୁ ବର୍ଷା ଜଳ ନିଷ୍କାଷନ ହୋଇ ନ ପାରି ମନ୍ଦିର ପରିସରରେ୧ରୁ ୩ଫୁଟ ଉଚ୍ଚତାରେ ବର୍ଷା ଜଳ ଜମିରହିଛି । ଫଳରେ ଯେଉଁ ପଥଦେଇ ପର୍ଯ୍ୟଟକମାନେ ମନ୍ଦିର ଚତୁପାଶ୍ୱର୍ରେ ଥିବା  ସୁକ୍ଷ୍ମ କାରୁକାର୍ଯ୍ୟକୁ ବୁଲି ଦେଖିଥାନ୍ତି ସେହି ପଥ ଓ ମନ୍ଦିରର ବଗିଚା ବର୍ଷା ଜଳରେ ବୁଡି ରହିଥିବା ଯୋଗୁଁ ପର୍ଯ୍ୟଟକମାନେ ପଥ ଜାଣି ନ ପାରି ମନ୍ଦିର ପରିସରରେ ଥିବା ଖାଲଖମାରେ ପଡି ଖଣ୍ଡିଆ ଖବରା ହେବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୂର୍ଯ୍ୟମନ୍ଦିର ସଂରକ୍ଷଣ ଦାଇତ୍ୱରେ ଥିବା ଏଏସଆଇ କତ୍ତୃପକ୍ଷଙ୍କ  ପକ୍ଷରୁ ୪ଟି ପାଣିବୁହା ମଟର ଲଗାଯାଇଥିଲେ ମଧ୍ୟ ଦୁଇଟି ମଟର ଖରାପ ଥିବାରୁ ଦୁଇଟି ମଟରରେ ପାଣି ବୁହା ଯାରିରରହିଛି ।  ମନ୍ଦିର ପରିସରରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବର୍ଷା ଜଳ ନିଷ୍କାସନ ହେବା ସମ୍ଭବପର ହୋଇପାରି ନାହିଁ । ଫଳରେ ଏହି ସମୟରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିଥିବା କେତେକ ପର୍ଯ୍ୟଟକ ମନ୍ଦିରର ଏପରି ଅବସ୍ଥା ଦେଖି ଫେରିଯାଇଥିବା ବେଳେ ଆଉ କେତେକ ପର୍ଯ୍ୟଟକ ପାଣିରେ ପଶି ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ବୁଧବାର ଠାରୁ ଆକାଶ ମେଘାଛନ ରହି ଘଡଘଡି ସହ ତୁହାକୁ ତୁହା ମେଘ ଲଗିରହିବା ଯୋଗୁ କୋଣାର୍କକୁ ପର୍ଯ୍ୟଟକଙ୍କ ଆଗମନ କମିଯାଇଛି । ସୂର୍ଯ୍ୟମନ୍ଦିର ପରିସର ଓ କୋଣାର୍କ ବଜାରରୁ ବର୍ଷାଜଳ ସମସ୍ୟା ଦୂର କରିବା ପାଇଁ  ଡ୍ରେନେଜ ବିଭାଗ ପକ୍ଷରୁ ୨୦୧୧ମସିହାରେ ୬କୋଟି ୮୩ ଲକ୍ଷ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଡ୍ରେନ । ହେଲେ ଯେଉଁ ମହତ ଉଦେଶ୍ୟ ନେଇ ଏହି ଡ୍ରେନ ନିର୍ମାଣ କରାଯାଇଥିଲା ତାହା ଏବେ କାମରେ ଆସୁନାହିଁ । ଏହି ଡ୍ରେନ ଏବେ ସୂର୍ଯ୍ୟମନ୍ଦିର ଓ କୋଣାର୍କ ବଜାରରୁ ଜଳ ନିଷ୍କାସନ  ସମସ୍ୟାକୁ ଦୂର କରିବା ପାଇଁ କାମରେ ଆସୁନଥିବା ପରିଲକ୍ଷିତ ହୋଇଛି । ସୂର୍ଯ୍ୟମନ୍ଦିର ପରିସରରେ ଏଭଳି ଘଟଣା ପ୍ରତ୍ୟକ ବର୍ଷ ଘଟୁଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର ଏଯାବତ ହୋଇପାରୁ ନ ଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।

କୋଣାର୍କରୁ ଅଜିତ କୁମାର ମଲିକ ରିର୍ପୋଟ, ୨୬/୯/୨୦୨୪---୭,୨୫

Blog Archive

Popular Posts