ନୂଆପଡ଼ା ନୂତନ ରେଳପଥକୁ କେନ୍ଦ୍ର କେବିନେଟର ସବୁଜ ସଙ୍କେତ
ବରଗଡ଼-ନୂଆପଡ଼ା ନୂତନ ରେଳପଥକୁ କେନ୍ଦ୍ର କେବିନେଟର ସବୁଜ ସଙ୍କେତ ମିଳିଛି। ଏଥିପାଇଁ ସମଗ୍ର ବରଗଡ଼ ଜିଲ୍ଲାରେ ବିଶେଷ କରି ପଦ୍ମପୁର ଉପଖଣ୍ଡରେ ଖୁସିର ଲହରୀ ଖେଳିଯାଇଛି। ଚାରି ଦଶନ୍ଧିର ଏହି ଦାବି ପୂରଣ ହେବାର ଖୁସିର ମୁହୂର୍ତ୍ତକୁ ତଥା ଗଣପର୍ବ ନୂଆଁଖାଇର ପାବନ ଅବସରକୁ ଅଗ୍ରଗାମୀ ଯୁବକ ସଂଘ ହଲରେ ଏକ ଉତ୍ସବ ରୂପେ ପାଳନ କରିଥିଲା ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘ। ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ କୁମାର ପୁରୋହିତ, ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡଙ୍ଗୀ ଓ ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ ଅତିଥି ରୂପେ ଯୋଗ ଦେଇଥିବାରୁ ସମସ୍ତେ ଉତ୍ସାହିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ଓ ବିଧାୟକଦ୍ୱୟଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସାଂସଦ ଶ୍ରୀ ପୁରୋହିତ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପକୁ କେବିନେଟ୍ କମିଟିରେ ଅନୁମୋଦନ କରାଇବାକୁ କିପରି ରେଳମନ୍ତ୍ରୀଙ୍କ ସହିତ ବାରମ୍ବାର ସାକ୍ଷାତ କରି ସଫଳତା ପାଇଛନ୍ତି, ସେ ସମ୍ପର୍କରେ କହିଥିଲେ। ବରଗଡ଼ବାସୀଙ୍କ ଦୁଇ ମୁଖ୍ୟ ଦାବୀ – ଭୁବନେଶ୍ୱରକୁ ସକାଳୁଆ ଟ୍ରେନ ଏବଂ ଦିଲ୍ଲୀ ତଥା ପ୍ରୟାଗରାଜ ପାଇଁ ଏହି ରୁଟରେ ସିଧାସଳଖ ଟ୍ରେନର ସୁବିଧା ଯୋଗାଇ ଦେବା ପାଇଁ ସେ ପୂର୍ଣ୍ଣପ୍ରାଣରେ ଉଦ୍ୟମ କରିବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। ବରଗଡ଼ ବିଧାୟକ ଶ୍ରୀ ଷଡଙ୍ଗୀ ମଧ୍ୟ ବରଗଡ଼ର ରେଳ ସମସ୍ୟା ପାଇଁ ଆବଶ୍ୟକ ହେଲେ ଦିଲ୍ଲୀ ଯାଇ ରେଳମନ୍ତ୍ରୀଙ୍କ ସହିତ ଭେଟ ହୋଇ କାମ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଜଣାଇଥିଲେ। ଏହା ବ୍ୟତୀତ, ବରଗଡ଼ର ବିଭିନ୍ନ ଉନ୍ନୟନ କାର୍ଯ୍ୟ ରାସ୍ତା, ପୋଲ, ସ୍ପୋର୍ଟସ କମ୍ପ୍ଲେକ୍ସ ଇତ୍ୟାଦି ଦ୍ଵାରା କିପରି ସହରର ବିକାଶ କରାଯିବ, ସେ ଉପରେ ଆଲୋକପାତ କରିଥିଲେ। ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ଆହୁରି ଚିତ୍ତାକର୍ଷକ ଓ ଲୋକାଭିମୁଖୀ କରିବା ପାଇଁ ଏକ ବ୍ୟାପକ ପରିବର୍ତ୍ତନ କରିବା ସହିତ ଏହାକୁ ବ୍ୟବସାୟିକ ଅପେକ୍ଷା ପାରମ୍ପରିକ ଓ ସାଂସ୍କୃତିକ ଦିଗ ପ୍ରତି ବେଶୀ ଦୃଷ୍ଟି ଦେବା ପାଇଁ ପ୍ରୟାସ କରିବେ ବୋଲି ଶ୍ରୀ ଷଡଙ୍ଗୀ କହିଥିଲେ। ଅତାବିରା ବିଧାୟକ ଶ୍ରୀ ମହାନନ୍ଦ ରେଳ ଉପଭୋକ୍ତା ସଂଘର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଉପରୋକ୍ତ ଦୁଇ ଟ୍ରେନ ଏହି ଅଞ୍ଚଳ ପାଇଁ ନିହାତି ଆବଶ୍ୟକ ହୋଇଥିବାରୁ ଏହି କାର୍ଯ୍ୟରେ ତାଙ୍କର ମଧ୍ୟ ପୂର୍ଣ୍ଣ ସହଯୋଗ ରହିବ ବୋଲି କହିଛନ୍ତି।
ଆଜିର କାର୍ଯ୍ୟକ୍ରମରେ ସଭାପତି ପ୍ରଦୀପ ଦେବତା, କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ଉପସଭାପତି ପ୍ରିତମ ସିଂହ ଓ ଶ୍ରୀମତୀ ଇନ୍ଦିରା ମହାନ୍ତି, ସମ୍ପାଦକ କମଳ ଯୋଶୀ, ଯୁଗ୍ମ ସମ୍ପାଦକ ମନୋରଞ୍ଜନ ପୂଜାରୀ, କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ଦାଶ ତଥା ବରିଷ୍ଠ ସଦସ୍ୟ ଅଚ୍ୟୁତାନନ୍ଦ ବାରିକ, ମଳୟ ମହାନ୍ତି, ଅଭୟ ଭୋଇ, ସତ୍ୟ ନାରାୟଣ ପଣ୍ଡା, ତୁଳସୀ ଦାଶ, ଦେବୀ ପଟ୍ଟନାୟକ, ଉଦ୍ଧବ ବେହେରା, ହରଦୀପ ସିଂହ, ଅଭିଜିତ ପ୍ରତିହାର, ଲକି ମିରୱାନୀ, ଅମିତ ସାହୁ, ପ୍ରଫୁଲ୍ଲ ନନ୍ଦ, ସଞ୍ଜୟ ମେହେର, ଅନିଲ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୯/୨୦୨୪---୯,୩୫ Sakhigopal News,10/9/2024