Breaking News

ପାପୁଲିଏ ଜାଗା


                                                                  
   
    ନୟାଗଡ଼ ---   ସାରା ଗାଁ, ସାରା ପରିବାରକୁ ବାନ୍ଧି ରଖିଥିବା ବାପା, ବୋଉ ବି ଏବେ ପାପୁଲିଏ ଜାଗାରେ ବନ୍ଧା ପଡିଛନ୍ତି । ସେଇ ଜାଗା ହେଉଛି, ବିଜୁଳି, ଚଡଚଡିରେ ଜଳି ଯାଇଥିବା କବନ୍ଧ ନଡିଆ ଗଛ ପାଖ ବାଡିଘର କାଠ ସଙ୍ଗା(ଭାଡି) ତଳ ସନ୍ତ ସନ୍ତିଆ କାନ୍ଥଖୋଳା । ତା’ ଭିତରେ ନାଲି ରଙ୍ଗମାଟିରେ ଲିପା ଦୁଇଟି ଛୋଟ ମାଟି ଘଡି, ତାଭିତରେ ଅଷ୍ଟଧାତୁ ଓ ତେଲ ସମାଧି ନେଇଥିବା ବାପା, ବୋଉଙ୍କ ‘ଅସ୍ଥି’ର ଅସ୍ତିତ୍ୱ । ଅସ୍ଥି କାନ୍ଦେନା, କନ୍ଦାଏ, ଉଦାସ ରହେନା. ରଖାଏ । ‘ଜୀବନରେ ସୁଖ କମ୍ ଦୁଃଖ ବେଶୀ’ ବାପାଙ୍କର ଏଇ କଥା ପଦକ କେବେ କେବେ ସେ ମାଟି ଘଡି ଭିତରୁ ଶୁଭିଯାଉଥାଏ । ବାପା କହୁଥିଲେ ବୋଉକୁ, ଆମେ ଦୁହେଁ ଏକାଠି ବସି ଦୁଃଖ ସୁଖ ହବାର ପିଲାଏ କେବେ ଦେଖି ନାହାନ୍ତି ବୋଲି ତମେ ଅନେକଥର କହିଚ ମତେ । ଏବେ ଦୀର୍ଘ ସାତ ବର୍ଷ ହେଲାଣି ଏଇଠି ମୁଁ ତମ ପାଖରେ ବସିଚି, ଦୁଃଖ ସୁଖ ବାଂଟୁଚି ବୋଲି, ପିଲାଏ ଯେ ଦେଖୁଚନ୍ତି ତମେତ ଜାଣି ପାରୁଥିବ । ହେଲେ ସେମାନଙ୍କ କଥା ଜାଣିଚ ନା? ଆମ ଖଂଜାରେ ତମ ଘରକରଣା ଏବେ ପୁରୁଣାକାଳିଆ ହେଲାଣି । ବାହାଡା ଗୁଣ୍ଡ ମିଶା ମାଟି ଲିପା ତମ ଚୁଲ୍ଲୀମୁଣ୍ଡ କାନ୍ଥ, ମାଟି ପଲମ ଚିତଉ, ପିତଳ ତାଉଆ ସରୁ ଚକୁଳି, ମାର୍ଗଶୀର ମାସର ତମ ଟିପ ଚିତା, ମାଘମାସ ଗହମ ଖିରିସା, ମୁଆଁ ଗମ୍ଭିରୀ, ଅଲଣା ଖିରି ଓଷା, ଚାଇଁ ପଖାଳ, ଆଳୁ ଭରତା, ଶିମ୍ବ ମଂଜି ପୋଡା, ବାଦାମ ସିଝା ଇତ୍ୟାଦି ଇତ୍ୟାଦିର ଜାଗା ନେଇଚି ଏବେ ଓଭନଫ୍ରାଇଙ୍ଗ, ପ୍ୟାନ, ପିଜା, ବର୍ଗର, ନୁଡୁଲ୍ସ, କିଚେନ ହଲର ଡାଇନିଂ ସେଟଟ ଟିଣ ଛାଂଚର ଝୋଟି ଚିତା । ଏହିପରି ଆହୁରି ଅନେକ--- । ବୋଉ ଦୀର୍ଘଶ୍ୱାସ ନେଇ କହିଲା, ‘ହଁ ଆଖି ଅନେଇ ଥିଲେ ମେଂଚେ, ଆଖି ଓଲଟିଗଲେ କେଂଚେ---‘ । ତମର ପାରା ଆଖି ଦୁଷ୍ଟିକୁ ଦେଖୁନା ଟିକିଏ । ତୁମ ଉଦ୍ଭାବକ ମନର କାରିଗରୀ- ପୁସ ଆଣ୍ଡ ପୁଲ କବାଟ, ଓପନ ଆଣ୍ଡ ସଟ୍‌ର ପିଲାଙ୍କର ପଢା ଓ ଡ଼ାଇନିଙ୍ଗ ଟେବୁ,ା କାଠର ପ୍ଳଗ, ଅବନ୍ତି ଗାଡିର ମଟର ଲଗା ତମ ରାଲେ ସାଇକେଲ, କୁଅରୁ ପାଣି କଢା ପୁଲି, ଅଣ୍ଡର ଗ୍ରାଉଣ୍ଡ ରୁମର କଳ୍ପନା, ଚେନ ଲଗା କାଠ ଦୋଳି, ବଜାର ସଉଦା ପାଇଁ ପିଲାଙ୍କର କାଠ ଶଗଡ ଆଦି ଆହୁରି କେତେ ନାଇଁ କେତେ ଜ୍ଞାନକୈାଶଳ ଓ ପ୍ରୟୋଗର ପ୍ରଶଂସା ଆଜି ବି ତମର ସବୁ ପରିଚିତଙ୍କ ମୁହଁରେ ବେଶ୍ ଆଲୋଚନା ହଉଛି । ଅଥଚ ସେଇ ସମସ୍ତ କାରିଗରି ଦେଖ ଘରର ଗୋଟେ କଣରେ ଆଡଋଷା ଦେଇ ମୁହଁ ଲୁଚେଇ ବସିଛନ୍ତି । ଗୁମୁରେଇ କହୁଛନ୍ତି- ବଡବାବୁଙ୍କ ଆକଟ, ତାଗିଦ ଆଉ କଣ ଅଛି? ହଁ ଶୁଣିଲ, ଏଥର ପରା ମହାବାରୁଣି ସ୍ନାନ ଯୋଗ ଆମ ମହାନଦୀ ଗୋଦାବରୀ ତୁଠରେ ପଡୁଛି । ମନ୍ଦିରରୁ ଶ୍ରୀମାଧବ ସ୍ନାନ କରିବାକୁ ଆସିବେ, ସେଇ ଆମ ଅଲେଖ ମହିମା ଟୁଙ୍ଗି  ଶ୍ମଶାନ ପାଖ ନଇକୂଳ ଝଙ୍କା ବରଗଛ ମୂଳକୁ----ା ଆଉ ପିଲାମାନେ କହୁଥିଲେ ତୀର୍ଥରାଜ ପ୍ରୟାଗ ଅପେକ୍ଷା ବାପା ବୋଉଙ୍କର ବେଶୀପ୍ରିୟ ଆମ ନଈ, ଆମ ମଶାଣି ପାଖ ତୁଠ । ଯେଉଁଠି ଆମ ସାଇର ଭାଇ, ବଡ ଜାଆ, ଦେଢଶୁର ସମସ୍ତେ ଚିର ନିଦ୍ରା ଯାଇଛନ୍ତି---,ା  ସେଇ ସ୍ନାନ ଯୋଗରେ ଅସ୍ଥି ବିସର୍ଜନ କଲେ ସ୍ୱର୍ଗପ୍ରାପ୍ତି ହୁଏ । ଆଃ ଶେଷରେ ପାପୁଲିଏ ଜାଗା ବି ଆମ ପାଇଁ ନୋହିଲା । ଟ୍ରାଫିକ ସିଗନାଲ ଦେଖେଇ ଗାଡି ଅଟକେଇ ଦେଲାପରି ବାପା ବୋଉଙ୍କୁ କଥା ମଝିରେ ବ୍ରେକ ଲଗେଇ କହିଲେ, ‘ତମର ପ୍ରଖର ବୁଦ୍ଧିର କଣ ଏଇ ପରିଚୟ ?’ ଶ୍ରଦ୍ଧା ବିହୀନ ଶ୍ରାଦ୍ଧ, ପ୍ରାଣ ବିହୀନ ପ୍ରାଣୀ ପରି । ବୁଡ, ପୂଣ୍ୟ, ଧର୍ମ, ଆଧ୍ୟାତ୍ମିକତା ସବୁ କିଛି ମାନସିକତାର ବିଷୟ । ପୃଥିବୀ ର୍ଦୁମୁଲ୍ୟ ହୀରା ପଥର ନୁହଁ, ର୍ଦୁମୂଲ୍ୟ ହେଉଛି ର୍-ଅନ୍ନ, ଜଳ ଓ ମଧୁର ବ୍ୟବହାର । ଏକଥା ମୁଁ କହୁନି, ଶାସ୍ତ୍ର କୁହନ୍ତି । ତାପରେ ତମେ ବ୍ୟସ୍ତ ଏଇ ଅସ୍ଥି ଆଉ ଏଇ ଆବୋରି ବସିଥିବା ପାପୁଲିଏ ଜାଗା ପାଇଁ--ନା? ହେଲେ ଜାଣିଛ ଅସ୍ଥିତ୍ୱ ଅସ୍ଥିରେ ନଥାଏ, ଥାଏ ମନରେ । ଯେଉଁ ବ୍ୟକ୍ତି ହୃଦୟରେ ଥାଆନ୍ତି, ସିଏ ଯେତେ ଦୂରରେ ରହିଥାନ୍ତୁ ନା କାହିଁକି ସେ ଦୂୂରତା କେବେ ଦୂରତା ନୁହେଁ । ଆଉ ଯେଉଁ ବ୍ୟକ୍ତି ହୃଦୟରେ ନଥାନ୍ତି ସେହି ବ୍ୟକ୍ତି ଯେତେ ନିକଟରେ ଥିଲେ ମଧ୍ୟ ସେ ନିକଟତାକୁ ନିକଟ ବୋଲି ମଧ୍ୟ କହିହେବ ନାହିଁ । ତାପରେ ଏ ଘର କାହାରକି? ଭଡା ସୁତ୍ରରେ ଆମେ ଏଇଠି ରହି ଆସୁଛେ, ଆମ ଜେଜେ, ତାପରେ ଆମ ବାପା, ତାପରେ ଆମେ ତାପରେ ଆମ ପିଲାମାନେ । ନିର୍ମାଣ, ପୁନଃ ନିର୍ମାଣ ତ ଚାଲିଛି । ଚାଲିଥିବ, ଇଏତ ଇଶ୍ୱରଙ୍କର ସର୍ଜନାତ୍ମକକ୍ରୀୟା । ବୋଉ କହିଲା, ତମର କାଳକ ସେଇ କଥା । ବାପା ବୋଉକୁ ତାଗିଦ କରି କହିଲେ ଚୁପ୍ ରହ, ସେପଟେ ଥୁଂଟା ନଡିଆ ଗଛ ପଛରେ କିଏ ଜଣେ ଠିଆ ହେଲା ପରି ଦିଶୁଛି, କଥା ସେତିକି ରଖ---- “ । ମାଟି ଘଡିର ପାଣି ଚହଲି ଗଲା ଟିକିଏ”--- ପୁନଶ୍ଚ ନୀରବ । ଆଉ  ଘର ଭିତରେ ଶୁଭୁଥିଲା ଅନ୍ତୁଡି ସଜଡା ଏବଂ କୁଆଁ କୁଆଁର ମଧୁର ମିଶ୍ରରାଗ । ଆଉ ବିସ୍ତାରିତ ହେଉଥିଲା ପାପୁଲିଏ ଜାଗାର ଭାଗ । 
  ଜ୍ୟୋସ୍ନା ମହାରଣା, କଣ୍ଟିଲୋ ,୬/୪/୨୦୨୪---୭,୫୫ Sakhigopal News,6/4/2024

Blog Archive

Popular Posts