Breaking News

ପୌରପ୍ରଶାସନର ସ୍ଥାଣୁତାର ସୁଯୋଗ ଉଠାଉଛନ୍ତି ଅସ୍ଥାୟୀ ବ୍ୟବସାୟୀ


ଜଟଣୀ : କରୋନା ମହାମାରୀ ସମୟରେ ସହରର କେତୋଟି ସ୍ଥାନରେ ପନିପରିବା ଇତ୍ୟାଦି ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କୁ  ଜନସାଧାରଣଙ୍କ ଦ୍ଵାରା ହେଉଥିବା ଭିଡ଼ ଓ ସଂକ୍ରମଣ ଆଶଙ୍କାରେ ପ୍ରଶାସନ ପକ୍ଷରୁ ମ୍ୟୁନିସିପାଲଟି ପଛରେ ଥିବା ଖୋଲା ପଡିଆରେ ଅସ୍ଥାୟୀଭାବେ ବ୍ୟବସ୍ଥା କରାଯାଇ ସେହି ସ୍ଥାନରେ ବ୍ୟବସାୟ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା l ଇତି ମଧ୍ୟରେ କରୋନା କଟକଣା ଉଠିବା ଦିର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ବ୍ୟବସାୟୀ ମାନେ ସ୍ଥାୟୀ ଭାବରେ ସେହି ସ୍ଥାନରେ ବିଦ୍ୟୁତ୍ ଓ ପାନୀୟ ଜଳ ବ୍ୟବହାର କରିଆସୁଛନ୍ତି ।ଏହା ମଧ୍ୟରେ ମାଙ୍କଡ଼ା ପଥରରେ ତିଆରି ବିଭିନ୍ନ ଗୋଦାମ ଘର ମଧ୍ଯ ଚାଲୁଥିବା ଦୃଷ୍ଟି ଗୋଚର ହେଉଥିବା ଦେଖିବାକୁ ମିଳିଛି l ସୂଚନା ଯୋଗ୍ୟ ଯେ ଓଭରବ୍ରିଜ ନିର୍ମାଣ କାର୍ଯ୍ଯ ପାଇଁ କୁଦିଆରି ବଜାର ଠାରୁ ସୀତାରାମ ଛକ ମଧ୍ୟରେ ମ୍ୟୁନିସିପାଲଟି ପକ୍ଷରୁ ନିର୍ମିତ ୧୦୭ ଦୋକାନରେ ବ୍ୟବସାୟ କରି ବିସ୍ଥାପିତ ହୋଇଥିବା ବ୍ୟବସାୟୀ ମାନଙ୍କୁ ଥଇଥାନ ପାଇଁ ସେତେବେଳେ ଏହି ମ୍ୟୁନିସିପାଲଟି ମୀନା ବଜାର ପଡ଼ିଆ ମଧ୍ୟରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ବଣ୍ଟନ କରାଯିବା ପାଇଁ ଶୁଭ ମଧ୍ୟ ଦିଆଯାଇଥିଲା l ଏପରିକି ମ୍ୟୁନିସିପାଲଟି ପକ୍ଷରୁ ଏକ କୋଟି ଟଙ୍କା ମଧ୍ୟ ସରକାରଙ୍କ ନିକଟରେ ଅଗ୍ରୀମ ଆକାରରେ ଜମା କରାଯାଇଥିଲା l ସେହିପରି ପରବର୍ତ୍ତୀ ସମୟରେ ଉକ୍ତ ଜମିର ଅନ୍ୟ ଏକ ପାର୍ଶ୍ୱରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା l ତେଣୁ ନିର୍ମାଣ ଆଦି କାର୍ଯ୍ୟ ସୁରୁଖୁରୁରେ କରିବା ପାଇଁ ଉକ୍ତ ଜମିକୁ ପ୍ରଥମେ ଖାଲି କରାଇବାର ଆବଶ୍ୟକତାର ଗୁରୁତ୍ଵକୁ ଅନୁଭବ କରି ପୌର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସାୟୀ ମାନଙ୍କୁ ନୋଟିସ ପାଇବାର ତିନିଦିନ ମଧ୍ୟରେ ଜାଗା ଖାଲି କରିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା l ହେଲେ ଉକ୍ତ ନୋଟିସ ଦିଆନିଆ ଆଜକୁ ପ୍ରାୟ ଏକ ବର୍ଷ ପାଖାପାଖି ହୋଇଯାଇଥିଲେ ହେଁ ପୌରପାଳିକା କେବଳ ନୋଟିସ କରିଦେଇ ହାତବାନ୍ଧି ବସିଯାଇଛି । ଅନେକ୍ ବିସ୍ଥାପିତ ବ୍ୟବସାୟୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି l ଅପରପକ୍ଷେ ଦେଖାଯାଇଛି କିଛି ଲୋକ ପ୍ରତିନିଧି ମାନଙ୍କ ସଲାସୁତୁରାରେ ବିଦ୍ୟୁତ୍ କାର୍ଯ୍ୟାଳୟ ପାଚେରୀ କଡ଼ ଠାରୁ ବାଳିକା ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ସରକାରୀ ରାସ୍ତାକୁ ମଡ଼ାଇ ବେଆଇନ୍ ଭାବେ ପକ୍କା ଦୋକାନ ଘର ସବୁ ନିର୍ମାଣ ହୋଇ ଟେଣ୍ଟ ହାଉସ୍ ଠାରୁ ଆରମ୍ଭ କରି ଅନେକ୍ ପ୍ରକାରର ଦୋକାନ ବଜାର ଖୋଲାଯାଇଛି । ସବୁ ଦେଖି ପ୍ରଶାସନ ଏ ଦିଗରେ ସମ୍ପୂର୍ଣ୍ଣ ଧୃତରାଷ୍ଟ୍ରଙ୍କ ଭୂମିକା ଗ୍ରହଣ କରିଥିବା ଲୋକମାନେ କହନ୍ତି।
  ଅତଏବ ଏଥିପ୍ରତି ପୌର ନିର୍ବାହୀ ଅଧିକାରୀ ଏବଂ ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୯/୪/୨୦୨୪----୯,୫୫ Sakhigopal News,19/4/2024

Blog Archive

Popular Posts