ଗାଁ ଅଛି, ଲୋକ ନାହାଁନ୍ତି.... ନେତା ପ୍ରଚାର କରିବେ କାହାକୁ
ଭଞ୍ଜନଗର - ଆଗକୁ ନିର୍ବାଚନ । ଏବେଠୁ ଚଳଚଞ୍ଚଳ, ନେତା ଓ ଜନତା । ଗାଁ ଠୁ ସହର, ସବୁଠି ରାଜନୀତି ଆଲୋଚନା । ପ୍ରଚାର, ଘରକୁ ଘର ବୁଲୁଛନ୍ତି ପ୍ରାର୍ଥୀ । ଭୋଟ ପାଇଁ , ନିଜ ସପକ୍ଷରେ ଭୋଟରଙ୍କୁ ମନାଉଛନ୍ତି । ଏଭଳି ନିର୍ବାଚନୀ କୋଳାହଳ ଭିତରେ, ଏମିତି ଏକ ଗାଁ ର ଘଟଣା ଆମ ପ୍ରତିନିଧିଙ୍କ ନଜରକୁ ଆସିଛି । ଯାହା ସମସ୍ତଙ୍କୁ ଘଡ଼ିଏ ଭାବିବା ପାଇଁ ବାଧ୍ୟକରିବ । ବିଶେଷକରି ଆସନ୍ତା ନିର୍ବାଚନ ପାଇଁ ଗାଁ କୁ ଗାଁ ବୁଲି ପ୍ରଚାର କରୁଥିବା, ପ୍ରାର୍ଥୀଙ୍କ ପାଇଁ ଚିନ୍ତା ବଢାଇ ଦେଇଛି । ଗାଁ ଅଛି, ହେଲେ ଲୋକ ନାହାଁନ୍ତି । ଭଲ ରାସ୍ତା, ପିଇବା ପାଣିର ବ୍ୟବସ୍ଥା, ବିଜୁଳି ଆଲୁଅ ଭଳି ସମସ୍ତ ସୁବିଧା ରହିଛି । ହେଲେ ଏସବୁକୁ ବ୍ୟବହାର କରିବାକୁ, କୈାଣସି ଲୋକ ନାହାଁନ୍ତି । କାହା ଘର ତାଲା ପଡିଛି ତ’ , ଆଉ କାହାର ଘର ଭାଙ୍ଗିରୁଜି ଗଲାଣି । ଏହା ହେଉଛି, ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ବେଣିପଲ୍ଲୀ ପଞ୍ଚାୟତର ରାଜସ୍ୱ ଗ୍ରାମ ଛତାବର । କୁହାଯାଏ, ପ୍ରାୟ ଶହେ ବର୍ଷର ଏହି ଗାଁ । ଏବେ ଏହି ଗାଁରେ କେହି ଲୋକ ନାହାଁନ୍ତି । ଯାହାକି ଆସନ୍ତା ନିର୍ବାଚନ ପାଇଁ, ନେତା ଓ ପ୍ରାର୍ଥୀଙ୍କୁ ନିରାଶ ହେବାକୁ ପଡିବ । ଗାଁ ରେ ନା’ ପ୍ରଚାର-ଗାଡି ବୁଲିବ, ନା’ ଭୋଟରଙ୍କୁ ନେତାଙ୍କ ପ୍ରତିଶୃତି ମିଳିବ ? ।
ସୂଚନା ପ୍ରକାରେ, ପ୍ରାୟ ୧୦/୧୨ ଟି ପରିବାରର ୪୦ ରୁ ଉର୍ଦ୍ଧ୍ବ ସଦସ୍ୟ ଏଠାରେ ରହିଆସୁଥିଲେ । ବେଲଗୁଣ୍ଠା ବ୍ଳକ୍ ବେଣିପଲ୍ଲୀ ପଞ୍ଚାୟତର, ୧୦ ନମ୍ବର ଓ୍ବାର୍ଡରେ ରହିଛି, ଏହି ଗାଁ । ସେହି ଅନୁସାରେ ଲୋକଙ୍କ ମୈାଳିକ ଆବଶ୍ୟକତା କୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପକ୍କା ରାସ୍ତା, ପିଇବା ପାଣି ପାଇଁ ସୈାର ଯନ୍ତ୍ର ଚାଳିତ ପାନୀୟ ଜଳର ଯୋଗାଣ, ନଳକୂଅ ଏବଂ ବିଜୁଳି ଆଲୁଅ ଭଳି ବ୍ୟବସ୍ଥା ହୋଇଛି । ଏସବୁ ସତ୍ବେ, ଏଠାକାର ଲୋକେ ଏବେ, ଆଉ ଛତାବର ଗାଁ ରେ ରହିବାକୁ ଇଛା କଲେ ନାହିଁ । ଆଖପାଖ ଗାଁକୁ ସମସ୍ତେ ଚାଲିଗଲେ । ସବୁ ପରେ ବି, ଜଣେ ବ୍ରାହ୍ମଣ ପରିବାର ବସବାସ କରୁଥିଲେ । ଗତ ଦୁଇମାସ ପୂର୍ବରୁ, ଘରର ମୁଖିଆ ବ୍ୟକ୍ତି ଙ୍କ ଦେହାନ୍ତ ପରେ, ପୁଅ ମାନେ ପାଖ ଗାଁ ରେ ରହୁଛନ୍ତି । ଫଳରେ ଗାଁ ଏବେ ଜନଶୂନ୍ୟ ହୋଇପଡିଛି । ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ରହିଛି ଏହି ଗାଁ । ଅତୀତରେ ଯେତେ ବି ନିର୍ବାଚନ ଆସିଛି, ସମସ୍ତ ପ୍ରାର୍ଥୀ ଏହି ଗାଁ କୁ ଆସିଛନ୍ତି । ଗାଁ ରେ ପ୍ରଚାର ଗାଡ଼ି ବୁଲିଛି । ନିଜ ସପକ୍ଷରେ ଭୋଟରଙ୍କୁ ମନାଇଛନ୍ତି, ପ୍ରାର୍ଥୀ । ହେଲେ ଏବେ ପରିସ୍ଥିତି ଏମିତି ହୋଇଛି, ନା’ ଏଠାକୁ କୈାଣସି ଦଳର ପ୍ରଚାର ଗାଡ଼ି ଆସିବ, ନା’ ପ୍ରଚାର କରିବାକୁ ନେତା ଆସିବେ ।
ବୋଧହୁଏ, ଏ଼ହି ଗାଁର ବର୍ତମାନ ପରିସ୍ଥିତି ଓଡ଼ିଶା ଇତିହାସରେ ପ୍ରଥମ ଭଳି ମନେ ହେଉଛି । ଏକଥା ସ୍ପଷ୍ଟ, ଗୋଟିଏ ଗାଁ ଓ ସେଠାକାର ଲୋକଙ୍କ ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ଯାହା ଯାହା ହେବାର କଥା , ଆବଶ୍ୟକ ଅନୁଯାୟୀ ତାହା ଏଠାରେ ହୋଇଛି । କେବଳ ଲୋକଙ୍କ ମାନସିକତା ରେ ପରିବର୍ତନ ହୋଇଛି । ଗାଁ ଛାଡି ଆଖପାଖ ଗାଁ ରେ ରହିବାକୁ, ଏଠାକାର ଲୋକେ ପସନ୍ଦ କରିଛନ୍ତି । ଯାହା ଛତାବର ଗାଁ କୁ ଆଜି ଜନଶୂନ୍ୟ ର ପରିଚୟ ଦେଇଛି । କେବଳ ସେତିକି ନୁହେଁ, ଆସନ୍ତା ନିର୍ବାଚନ ପାଇଁ “ନେତା ଙ୍କୁ ନିରାଶ କରୁଛି” ଏହି ଛତାବର ଗାଁ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୪/୨୦୨୪----୮,୪୫ Sakhigopal News,15/4/2024