୨୭ତମ ଶ୍ରୀରାମ ତାରକ ଓ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି
ସାକ୍ଷୀଗୋପାଳ ---- ୩୧୬ନଂ ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ବ୍ଲକଛକ ସ୍ଥିତ ବାଟ ମହାବୀର ମନ୍ଦିରରେ ୩ଦିନ ବ୍ୟାପି ଚାଲିଥିବା ଶ୍ରୀରାମ ତାରକ ବିଶ୍ୱଶାନ୍ତି ମହାଯଜ୍ଞ ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଯାଇଛି । ଅଙ୍କୁରାରୋପଣ, ଜଳଯାତ୍ରା, କର୍ମାରମ୍ଭ, ବ୍ରାହ୍ମଣବରଣ, ଆହୁତି ,ସୂର୍ଯ୍ୟପୂଜା, ଶାଳପୂଜା, ଗୋପୂଜା କରାଯାଇଥିଲା । ମହାବିଷ୍ଠୁବ ସଂକ୍ରାନ୍ତି ତଥା ମହାବିରିଙ୍କ ଜୟନ୍ତୀ ଅବସରରେ ଯଜ୍ଞରେ ପୂର୍ଣ୍ଣାହୂତି ହୋଇଥିଲା । ମହା ବିଷ୍ୁବ ସଂକ୍ରାନ୍ତି ଦିନ ରାତି ୩ଟାରେ ମନ୍ଦିର ଦୂଆର ଫିଟା, ମଙ୍ଗଳ ଆଳତୀ ,ଅବକାଶ,ମହାସ୍ନାନ, ଅଭିଷେକ, ବେଶ,ଚନ୍ଦନ,ସିନ୍ଦୁରଲାଗି, ସୂର୍ଯ୍ୟପୂଜା, ଅଖଣ୍ଡଦୀପ ପ୍ରଜ୍ୱଳନ, ବାଳଭୋଗ, ଦ୍ୱିପହର ଧୂପରେ ଶଙ୍କୁଡି ଭୋଗ, ସଂଧ୍ୟାରେ ବାଳଭୋଗ, ଆଳତୀ କରାଯାଇଥିଲା । ପୁରୀରୁ ପ୍ରତିଦିନ ମହାପ୍ରସାଦ ପ୍ରଭୁ ମହାବୀରଙ୍କ ପାଖରେ ସମର୍ପଣ କରାଯିବା ପରେ ବିଳମ୍ବିତ ରାତିରେ ପହୁଡ ପଡିଥିଲା ବୋଲି ମନ୍ଦିରର ମୁଖ୍ୟ ପୂଜକ ଲକ୍ଷ୍ମୀଧର କର କହିଥିଲେ । ଅନୁଷ୍ଠିତ ଯଜ୍ଞରେ ଶ୍ରୀରାମଙ୍କ ଷୋଡଶପୂଜା, ହନୁମାନଙ୍କ ଷୋଡଶପୂଜା, ଋୁଦ୍ରାଭିଷେକ,ଚଣ୍ଡିପାଠ, ହନୁମାନ ଚାଳିଶା , ସୁନ୍ଦର କାଣ୍ଡ, ବଜରଙ୍ଗ ବାଣ ପାଠ କରାଯାଇ ଆହୁତି ପ୍ରଦାନ କରାଯାଇଥିଲା । ବାଟ ମହାବୀର ଯଜ୍ଞ କମିଟିର ସଦସ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମନ୍ଦିରର ପୂଜକ ଲକ୍ଷ୍ମୀଧର କର ପୂଜାପାଠ କରିଥିଲେ । ସନ୍ଧ୍ୟାରେ ଶ୍ରୀରାମ ନାଟକ ସହିତ ପ୍ରାୟ ଦଶ ହଜାର ଭକ୍ତଙ୍କ ପାଇଁ ସମବେତ ପ୍ରସାଦ ସେବନ କରିଥିଲେ । ବିଜେଡି ଦଳର ବିଧାନସଭା ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମା ମହାବୀରଙ୍କୁ ଦର୍ଶନ କରି ଆର୍ଶିବାଦ କରିଥିଲେ ।ସେହିପରି ନୂଆସୋମୋଶ୍ୱରପୁର ସ୍ଥିତ ମା ଡୁବୁରେଇ ଠାକୁରାଣୀଙ୍କ ପୀଠରେ ଶ୍ରୀ ରାମଚରିତ ମାନସ ପାରାୟଣ ଓ ଅଖଣ୍ଡ ନାମଂଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ସାକ୍ଷୀଗୋପାଳର ଅଲଗଡ ମହାବୀର, ମଶାଣିଆ ମହାବୀର, ଜାଗା ମହାବୀର, ସଙ୍କଟ ମୋଚନ ଗଛ ମହାବୀର, ବକୁଳବନ ସ୍ଥିତ ମହାବୀର ଓ ବରାଳ ବାଲୁଙ୍କେଶ୍ୱର ମହାବୀର ଙ୍କ ସହିତ ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ମହାବୀରଙ୍କ ନିକଟରେ ହନୁମାନ ଜୟନ୍ତୀ ଅବସରରେ ପୂଜାର୍ଚ୍ଚନା ପାଇଁ ଗହଳି ଚହଳି ଲାଗିବା ସହ ପଣା ଓ ଚୁଡାଘଷା ଭୋଗ କରାଯାଇଥିଲା । ମହାବୀର ମନ୍ଦିର ସହିତ ବିଭିନ୍ନ ମହାଦେବଙ୍କ ମନ୍ଦିରରେ ଭକ୍ତ ମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ଘରେ ଘରେ ତୁଳସି ଚଉରା ରେ ବସୁନ୍ଧରା ବାନ୍ଧି ପଣା ଲାଗି କରାଯାଇଥିବାର ଦେଖାଯାଇଥିଲା ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୪/୨୦୨୪---୮,୧୦