Breaking News

କୁଦିଆରୀ ରେ ପୋଖରୀ ପୁନଃ ଉଦ୍ଧାର କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ




ଜଟଣୀ --ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୨୧ କୁଦିଆରୀ ଗ୍ରାମର ଦୁଇ ଦୁଇଟି ପୋଖରୀ ପୁନଃ ଉଦ୍ଧାର କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା l ସୂଚନା ମୁତାବକ "ଆମ ପୋଖରୀ' ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଯୋଜନା ମାଧ୍ୟମରେ ଜଟଣୀ ପୌରପରିଷଦ ଅନ୍ତର୍ଗତ ୨୧ ନଂ ୱାର୍ଡର କୁଦିଆରୀ ଗ୍ରାମରେ ଥିବା "ମାଜଣା ପୋଖରୀ 'ର ପୁନଃ ଉଦ୍ଧାର କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ ହୋଇଛି l ୨.୫ ଏକର ପରିମିତ ପୋଖରୀର ପୁନଃ ଉଦ୍ଧାର ପାଇଁ ଓଡିଶା ସରକାରଙ୍କ ତରଫରୁ ୨୧ ଲକ୍ଷ ୩୭ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା l କିନ୍ତୁ ପୁରୁଣା କାମରେ ଚୂନ ମାରି,ଉପରେ ଉପରେ କାମ ସାରି ସ୍ଥାନୀୟ ୱାର୍ଡର ପୌରସଭ୍ୟ, କାର୍ଯ୍ୟକାରୀ ଗୋଷ୍ଠୀ "ମା ଭବାନୀ 'ଏସ. ଏଚଜି ଗ୍ରୁପ ଏବଂ ପୌରପରିଷଦ ଯନ୍ତ୍ରୀ ଦୀପକ କୁମାର ରଥ ପ୍ରଭୁତି ମିଳିତ ସହଯୋଗରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା l ସୂଚନା ଫଳକ ସ୍ଥାପିତ ହୋଇଛି କିନ୍ତୁ ଅଟକଳ ମୂଲ୍ୟ ଏବଂ ଶୁଭାରମ୍ଭ ତାରିଖ ଖଣ୍ଡିଆ କରାଯାଇଥିବା ସଙ୍ଗେ ସଙ୍ଗେ କାର୍ଯ୍ୟର ଶେଷ ତାରିଖ ଉଲ୍ଲେଖ ନ ଥିବା ଅଭିଯୋଗ ହୋଇଛି l ଆଜକୁ ଏକ ମାସ ହେବ ପୋଖରୀ କୁ ଶୁଖେଇ ଦିଆଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପଙ୍କ କାଢ଼ିବା କିମ୍ବା ସଫା କାର୍ଯ୍ୟ ଆରମ୍ଭ ହୋଇନାହିଁ l ଯାହା ଫଳରେ ସାଧାରଣ ଲୋକେ ଗାଧୋଇ ପାରୁ ନାହାନ୍ତି, ଗାଈଗୋରୁ ପାଣି ପିଇ ପାରୁନାହାନ୍ତି, ପୋଖରୀ ଶୁଖିଲା ପଡିଥିବାରୁ ଦଶାହ କାର୍ଯ୍ୟ ହୋଇପାରୁନାହିଁ ଏହିପରି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି  ଅଞ୍ଚଳ ବାସି l ସେହିପରି "ଗନ୍ଧ ଗାଡ଼ିଆ 'ପୋଖରୀ ପୁନଃ ଉଦ୍ଧାର ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡିଶା ସରକାର ତରଫରୁ 6 ଲକ୍ଷ 51 ହଜାର ଟଙ୍କା ମଞ୍ଜୁର କରାଯାଇଛି।ଉପରୁ ଉପରୁ କାମ କରି ସେଥିରୁ ୭୫ ଭାଗ ଟଙ୍କା ସମସ୍ତେ ମିଳିତ ଭାବେ ଚଳୁ କରିଥିବା ଅଭିଯୋଗ ହୋଇଛି l ଏହାର ଜ୍ୱଳନ୍ତ ଉଦାହରଣ  "ସୂଚନା ଫଳକ " ଅବସ୍ଥା ଦେଖିଲେ ଜଣା ପଡେ l ନୂତନ ସୂଚନା ଫଳକ ଟିଣ ପାତିଆରେ ତିଆରି ହୋଇ ପୁରୁଣା ପୋଖରୀ ହୁଡାରେ ସିମେଣ୍ଟ ମାରି ସେଥିରେ କଣ୍ଟା ମାରି ସ୍ଥାପିତ ହୋଇ ପରବର୍ତ୍ତୀ ସମୟରେ ଏହାର ସମ୍ପୂର୍ଣ୍ଣ ବିବରଣୀ ନଷ୍ଟ କରିବା ଉଦ୍ଦେଶ୍ୟରେ ଏହାକୁ ଖଣ୍ଡିଆ କରି ଅଳିଆ ଗଦାରେ ପଡ଼ିଥିବା ଦୃଷ୍ଟି ଗୋଚର ହୋଇଛି l ସେହି ପରି ୱାର୍ଡ ନଂ 14 ର ପୁରାତନ "ଖଳି ପୋଖରୀ " ଏହି ଖରାରେ ପାଣି ଶୁଖି ମଧ୍ୟ ଯେଉଁ ଅଳ୍ପ ପାଣି ଅଛି ତାହା ସମ୍ପୂର୍ଣ୍ଣ ନୀଳ ରଙ୍ଗ l ତଥାପି ସ୍ଥାନୀୟ ଲୋକେ ସେହି ପାଣି ବ୍ୟବହାର କରି ଚର୍ମ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି l ସ୍ଥାନୀୟ ବାସିନ୍ଦା କୁହନ୍ତି ବାରମ୍ବାର ପୋଖରୀ ପୁନଃଉଦ୍ଧାର ପାଇଁ ଅନେକ ଅଭିଯୋଗ କରିବା ସତ୍ୱେ ପୌରପରିଷଦ ତରଫରୁ କୌଣସି କାର୍ଯ୍ୟକାରୀ ହେଉନାହିଁ l ଆହୁରି ମଧ୍ୟ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ 10 ରେ ଥିବା "ମିଲ'ପୋଖରୀ  ବିନା ଫଳକରେ ଚାଲିଛି ପୁନଃ ଉଦ୍ଧାର କାର୍ଯ୍ୟ l ଫଳକ ଅଛି କିନ୍ତୁ ସୂଚନା ପ୍ରକାଶ ହୋଇନାହିଁ l ତେଣୁ ସାଧାରଣ ଲୋକଙ୍କ ମତରେ ସ୍ଥାନୀୟ ପ୍ରଶାସନ, ୱାର୍ଡ ସଦସ୍ୟ, ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କ ମିଳିତ ମଧୁଚନ୍ଦ୍ରିକାରେ ପୋଖରୀର ପୁନଃ ଉଦ୍ଧାର କାର୍ଯ୍ୟ ଚାଲୁଅଛି l ଏହି ପରି ଦୁର୍ନୀତି ଖୋର ବ୍ୟକ୍ତି ବିଶେଷଙ୍କ ବିରୋଧରେ ଏବଂ ତାଙ୍କୁ ସହଯୋଗ କରୁଥିବା ସ୍ଥାନୀୟ ପ୍ରଶାସନ ବିରୋଧରେ ସିବିଆଇ ତଦନ୍ତ କରାଯାଇ ଦୋଷୀ ବିରୁଧରେ କଠିନ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି l ପୌରାଞ୍ଚଳର ଅଧିବାସୀ ମାନେ କୁହନ୍ତି ଜଟଣୀ ପୌରପରିଷଦ ହେଉଛି ଦୁର୍ନୀତିର ଗନ୍ତାଘର l ଦେଖାଯାଉ ଏହି ଅଭିଯୋଗ ପ୍ରକାଶ ପରେ ତଦନ୍ତ ହେଉଛି ନା ନାଲି ଫିତା ତଳେ ଚାପି ହେଉଛି। ଅନ୍ୟ ପକ୍ଷରେ ଏହି ସମସ୍ୟାକୁ ନେଇ ବିରୋଧୀ ଦଳ ନିର୍ବାଚନ ପାର ହେଉଛନ୍ତି ନାଁ ମିଳିତ ହୋଇ ଚୁପ୍ ହେଉଛନ୍ତି ତାହା ସମୟ କହିବ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୪/୨୦୨୪----୭,୪୦ Sakhigopal News,13/4/2024

Popular Posts