ବାଚ୍ଛରା ପାହାଡ଼ ଉପରେ ନିର୍ମାଣ ହେବ ମଡେଲ ପାର୍କ, ଏଥିପାଇଁ ଅନୁଷ୍ଠିତ ହୋଇଯାଇଛି ବୈଠକ
ଜଟଣୀ, ----- ବାଚ୍ଛରା ପାହାଡ଼ ଉପରେ ନିର୍ମାଣ ହେବାକୁ ଯାଉଛି ଏକ ବଡ଼ ମଡେଲ ପାର୍କ। ଏହି ପାର୍କ ନିର୍ମାଣ ହେଲେ ଅଞ୍ଚଳବାସୀ ବହୁ ଉପକୃତ ହେବେ। ବିଡିଏ ପକ୍ଷରୁ ନିର୍ମାଣ ହେବାକୁ ଯାଉଥିବା ଏହି ପାର୍କ ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରେଳବାଇ ଅଫିସର୍ସ କ୍ଲବ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜଟଣୀର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରକଳ୍ପ ନିର୍ମାଣ ପୂର୍ବରୁ ସ୍ଥାନୀୟ ଲୋକଙ୍କର କଣ ପ୍ରତିକ୍ରିୟା ରହିଛି ତାହା ମଧ୍ୟ ପଚାରି ବୁଝିଥିଲେ। ପାର୍କ ନିର୍ମାଣ ପାଇଁ ଜଟଣୀବାସୀ ଖୁସି ପ୍ରକଟ କରିଥିଲେ।
ଜଟଣୀ ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ ୧୧, ୧୨ ଓ ୧୩ ରେ ଅବସ୍ଥିତ ବାଚ୍ଛରା ପାହାଡ଼ ଉପରେ ପାର୍କ ନିର୍ମାଣ ପାଇଁ ୩୩ ଏକର ଜାଗା ଚିହ୍ନଟ କରାଯାଇଛି। ତେବେ ଏହି ପାର୍କ ନିର୍ମାଣ ହେଲେ ଜନସାଧାରଣ ମାନେ ବହୁ ଉପକୃତ ହେବେ। ବିଶେଷ କରି ଏହି ୩୩ ଏକର ପାର୍କ ମଧ୍ୟରେ ଜଙ୍ଗଲ ବିଭାଗ ପକ୍ଷରୁ ସୌନ୍ଦର୍ଯ୍ୟକରଣ ସହ ଭରପୁର ଅମ୍ଳଜାନ ପାଇଁ ୫ରୁ ୬ହେକ୍ଟର ସ୍ଥାନରେ ବିଭିନ୍ନ ପ୍ରକାର ଗଛ ଲଗାଯିବ। ଏଥିସହ ପାର୍କରେ ବିଭିନ୍ନ ଫଳନ୍ତି ଗଛ, ଔଷଧୀୟ ଗଛ, ବିଭିନ୍ନ ଫୁଲଗଛ ଲଗାହେବ। ଏହାସହ ରୋପୱେ ବ୍ୟବସ୍ଥା, ପିକ୍ନିକ୍ ସହ ଭୋଜିଭାତ, ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା, ମନ୍ଦିର ନିର୍ମାଣ, ଦୋକାନ ଘର ଆଦି ତିଆରି ହେବ। ସେହିପରି ପାର୍କରେ ବିଭିନ୍ନ ବର୍ଗର ଲୋକ ଯଥା ବରିଷ୍ଠ ନାଗରିକ, ମହିଳା, ଛୋଟ ପିଲାଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିବ। ଯେପରି ଲୋକମାନେ ସେଠାରେ କୌଣସି ଅସୁବିଧା ନ ହେବ । ମୌଳିକ ସୁବିଧା ଆଗ ତିଆରି କରାଯିବ। ଯାହାକି ରାଜଧାନୀ ଭୁବନେଶ୍ବରରେ ନିର୍ମାଣ ହୋଇଥିବା ଅନେକ ପାର୍କ ମଧ୍ୟରୁ ଏହା ଭିନ୍ନ ତଥା ଅତ୍ୟାଧୁନିକ ଉପାୟରେ ନିର୍ମାଣ କରାଯିବ ବୋଲି ପ୍ଲାନିଂ କରାଯାଇଛି।
ଅନ୍ୟପଟେ ପାର୍କ ନିର୍ମାଣ ପାଇଁ ୩୩ ଏକର ଜାଗାରୁ ବର୍ତ୍ତମାନ ୨୬ଏକର ଜାଗା ରହିଥିବା ବେଳେ ୭ ଏକର ଜାଗା ଜବରଦଖଲରେ ରହିଛି। ପ୍ରଥମେ ଜବର ଦଖଲକାରୀଙ୍କୁ ଉଚ୍ଛେଦ କରି ସେମାନଙ୍କୁ ଆଗ ଥଇଥାନ କରାଯିବ । ବିଳମ୍ବ ନ କରି ଅତିଶୀଘ୍ର ନିର୍ମାଣ କାମ ଆରମ୍ଭ କରିବା, ପାର୍କକୁ ପ୍ରବେଶ କରିବା ସମୟରେ ନିୟମାବଳୀ ରଖିବା, ପାର୍କରେ ନିଶାଦ୍ରବ୍ୟ ସେବନ ବାରଣ କରିବା, ସୁରକ୍ଷାକର୍ମୀ ନିୟୋଜିତ କରିବା, ମନ୍ଦିର ନିର୍ମାଣ କରିବା, ଯୋଗ କରିବା ପାଇଁ ବ୍ୟବସ୍ଥା କରାଯିବାକୁ ଅଞ୍ଚଳବାସୀ ପ୍ରସ୍ତାବ ଦେଇଥିଲେ। ସବୁଠୁ ବଡ଼ କଥା ହେଉଛି ହରିଜନ ସାହି ବସ୍ତିର ଯେଉଁ ୧୫୦ ପରିବାର ବସବାସ କରୁଛନ୍ତି ସେମାନଙ୍କୁ ଥଇଥାନ ବ୍ୟବସ୍ଥା କଣ କରାଯାଇଛି ତାହା ଜଣାପଡ଼ିନାହିଁ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜଟଣୀ ବିଧାାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ଡିଏଫ୍ଓ ପୂର୍ଣ୍ଣିମା ପି, ବିଡିଓ ସରୋଜ ରାଉତ, ତହସିଲଦାର ରୁମାନା ଜାଫ୍ରି, ପୌରପାଳିକା ଅଧ୍ୟକ୍ଷ ଅନନ୍ତ ବେହେରା, ପୌରନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତି, ବିଡିଏ କର୍ମଚାରୀ, ପୌରପାଳିକାର ସମସ୍ତ କାଉନ୍ସିଲର, ସମସ୍ତ ପୂର୍ବତନ କାଉନ୍ସିଲର, ଦଳୀୟ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମହାନ୍ତି ଧନ୍ୟବାଦ ଦେଇଥିଲେ।
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୫/୨୦୨୩----୯,୪୫ Sakhigopal News,23/5/2023
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୫/୨୦୨୩----୯,୪୫ Sakhigopal News,23/5/2023