ରାସ୍ତାରେ ବାଟୋଇଙ୍କ ଠାରୁ ଛୀନତାଇ ମାମଲା, ୨ ଗିରଫ
ଜଟଣୀ---- ଜଟଣୀ ଥାନା ଅନ୍ତର୍ଗତ ବଡ଼ତୋଟା -ଜଟଣୀ ମୁଖ୍ୟ ରାସ୍ତାରୁ ଜଣେ ବାଟୋଇଙ୍କ ଠାରୁ ମୋବାଇଲ ଫୋନ ଓ ନଗଦ ୧୨୦୦ ଟଙ୍କା ଛୀନତାଇ କରିଥିବା ଅଭିଯୋଗରେ ପୁଲିସ ୨ ପେଷାଦାର ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ଅନ୍ତର୍ଗତ ବଡ଼ତୋଟା ନାୟକ ସାହିର ରାଜୁ ଓରଫ ରାଜୁ କିଶୋର ନାୟକ(୩୨) ଏବଂ ଅନ୍ୟଜଣେ ସେହି ଗ୍ରାମର ଶମ୍ଭୁ ଓରଫ ଶମ୍ଭୁନାଥ ନାୟକ(୪୦) ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଗତ ୧୪ ତାରିଖ ରାତିରେ ସରୋଜ ଦାସ ନାମକ ଜଣେ ବ୍ୟକ୍ତି ବଡ଼ତୋଟା ଗ୍ରାମକୁ ଚନ୍ଦନ ଯାତ୍ରା ଦେଖିବାକୁ ଯାଉଥିଲେ।ମାତ୍ର ଏହି ସମୟରେ ଉପରୋକ୍ତ ଦୁଇ ଜଣ ଅଭିଯୁକ୍ତ ଜଟଣୀ-ବଡ଼ତୋଟା ମୁଖ୍ୟ ରାସ୍ତାରେ ସରୋଜଙ୍କୁ ଅଟକାଇ ମାଡ଼ ମାରିଥିଲେ। ଫଳରେ ସରୋଜ ତଳେ ପଡି ଆହତ ହୋଇଯାଇଥିବା ବେଳେ ସେହି ସମୟରେ ତାଙ୍କ ଠାରୁ ମୋବାଇଲ ଫୋନ ଓ ନଗଦ ୧୨୦୦ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ।ତେବେ ଏ ନେଇ ସରୋଜ ଜଟଣୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ତଦନ୍ତରେ ରହିଥିବା ବେଳେ ଉକ୍ତ ଅଭିଯୁକ୍ତ ମାନେ ବଡ଼ତୋଟା ଅଞ୍ଚଳରେ ଚୋରି ମୋବାଇଲ ଫୋନ ବିକ୍ରି କରିବାକୁ ଗ୍ରାହକ ଖୋଜୁଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତମାନଙ୍କୁ କାବୁ କରିଥିଲା। ପଚରାଉଚରା ପରେ ସେମାନେ ଏହି ଛୀନ ତାଇ ଘଟଣାରେ ସଂପୃକ୍ତ ଥିବା ସ୍ୱୀକାର କରିଛନ୍ତି। ଅନ୍ୟ ପକ୍ଷରେ ଅଭିଯୁକ୍ତ ରାଜୁଆ ନାମରେ ଜଟଣୀ ଥାନାରେ ପୂର୍ବରୁ ଗୋଟିଏ ମାମଲା ରହିଥିବା ବେଳେ ଶମ୍ଭୁ ନାମରେ ୨ଟି ମାମଲା ରହିଥିବା ଜଟଣୀ ଥାନା ଆଇଆଇସି ସୌମ୍ୟକାନ୍ତ ବଳିୟାରସିଂହ କହିଛନ୍ତି। ଏନେଇ ଅଭିଯୁକ୍ତ ଦ୍ୱୟଙ୍କ ନାମରେ ଜଟଣୀ ଥାନାରେ ୧୭୭/୨୩ରେ ମାମଲା ରୁଜୁ କରାଯାଇଛି। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୫/୨୦୨୩----୮,୩୦ Sakhigopal News,22/5/2023