ଅଳଗୁମର “ମା ଜାଗେଶ୍ୱରୀଙ୍କ”ପ୍ରସିଦ୍ଧ କାଠିଯାତ୍ରା ଶେଷ
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ସ୍ଥିତ ଆରଧ୍ୟ ଦେବୀ ମା’ଜାଗୁଳେଇଙ୍କ ପାରମ୍ପରିକ କାଠିଯାତ୍ରା ରବିବାର ସଂଧ୍ୟାରେ ମହାସମାରୋହ ପାଳିତ ହୋଇଯାଇଛି । ଭାଦ୍ରବ ମାସ ଷଷ୍ଠୀ ତିଥିରେ ମାଙ୍କ ଆଖିରୁ ଯାବ ଖୋଲାଯିବା ପରେ ପ୍ରଥମେ ମା ଖଣ୍ଡାୟତ ସାହିରେ ଭୋଗ ଖାଇଥାନ୍ତି । ଦୁଆରି ଭୋଗ ଲାଗିବା ସମୟରେ ମାଙ୍କୁ ଭୋଗ ଭାବରେ ନିଶ୍ଚିତ ଆମିଷ ଭୋଗ ଓ ମଣ୍ଡାପିଠା ଭୋଗ ଅର୍ପଣ କରାଯାଇଥାଏ । ଏହି ଯାତ୍ରାପର୍ବ ୧୨ ଦିନ ଧରି ଚାଲିଥାଏ । ଏଥିଯୋଗୁ ବାରଦିନ ଅଳଗୁମରେ ଭାଇଚାରର ସମ୍ପର୍କ ଯୋଡି ହୋଇଥାଏ । ମା’ଙ୍କର ବିଜେ ପ୍ରତିମା ରବିବାର ଦିନ ମଧ୍ୟାହ୍ନରେ ମନ୍ଦିରକୁ ଫେରିବା ପରେ କାଠିଯାତ୍ରା ଆରମ୍ଭ ହୋଇଥିଲା । ଘଣ୍ଟ, କାହାଳୀ, ଢୋଲ, ମହୁରୀ, ହରିବୋଲ, ହୁଳହୁଳି ଧ୍ୱନି ମଧ୍ୟରେ ମା’ଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଅଣାଯାଇ ୨୨ ହାତ ୨୨ ଆଙ୍ଗୁଳି ଲମ୍ବ ବିଶିଷ୍ଟ ଏକ ଶାଳ ଗଣ୍ଡ କାଠର ଅଗ୍ର ଭାଗରେ ଫୁଲମାଳ ବନ୍ଧା ଯାଇଥିଲା । ଶହଶହ ସଂଖ୍ୟାରେ ଶାଢ଼ୀ ଗୁଡିକ ମହାରଣା ସେବକମାନେ ସେହି କାଠିରେ ବାନ୍ଧିଥାନ୍ତି । ଭକ୍ତ ମାନଙ୍କ ଗହଣରେ କାଠିଟିକୁ ମନ୍ଦିର ଠାରୁ ଏକ କିଲୋମିଟର ଦୂର ବାରବାଟୀ ପଡିଆକୁ ବିରାଟ ପଟୁଆରରେ ନିଆଯାଇଥିଲା । ପଡିଆରେ କାଠିଯାତ୍ରା ଦେଖିବା ପାଇଁ ହଜାର ହଜାର ପୁରୁଷ ମହିଳା ଶ୍ରଦ୍ଧାଳୁ ଜମା ହୋଇଥିଲେ । ମା’ଙ୍କୁ ମହାପ୍ରସାଦ, ପଣା, ପଇଡ ପୂଜାରୀ ସେବକ ମାନେ ସମର୍ପଣ କରିଥିଲେ । ସେହି ୨୨ହାତ ଓ ୨୨ ଆଙ୍ଗୁଳି ବିଶିଷ୍ଟ କାଠିଉପରେ ବସି ଦେବୀଙ୍କ ଶକ୍ତିଧାରୀ କାଳେସି ଗୁହାରିଆ ପଡିଥିବା ବିଭିନ୍ନ ଅଞ୍ଚଳର ମାନସିକ ଧାରୀଙ୍କୁ ଆଶ୍ୱସନା ଦେବାସହ ପ୍ରସାଦ ଭାବରେ ଫୁଲ ଦେଇଥିବାର ପରମ୍ପରା ଚାଲିଆସୁଛି ।ଏ ବର୍ଷ ମାଙ୍କର ଚାରିଜଣ କାଳେସୀ ବିଜେ ହେଉଥିଲେ । ନୂତନ ଭାବେ ସୁରେନ୍ଦ୍ର ବରାଳ କାଳେସି ହୋଇଛନ୍ତି । ମାଙ୍କ ମହିମା ଏବେ ବି ଅତୁଟ ରହିଛି । ଏବେ ମାଙ୍କର ମୁଖ୍ୟ ସେବକ ସଚ୍ଚିକାନ୍ତ ବରାଳ । ମାଙ୍କ କାଳେସି ମାନେ ଗୁହାରିଆ ପଡିଥିବା ଓ କାଠିଯାତ୍ରା ପଡିଆରେ ଥିବା ଶ୍ରଦ୍ଧାଳୁ ମାନଙ୍କୁ ଫୁଲ, ପାଦୁକ ଦେଇ ମାଙ୍କର ଆର୍ଶିବାଦ ଦେଇଥାନ୍ତି । ସଂନ୍ଧ୍ୟାରେ କାଠି ବାରବାଟି ପଡିଆରୁ ମନ୍ଦିରକୁ ଫେରିଥିଲା । ମନ୍ଦିରରେ ମାଙ୍କର ନୀତିକାନ୍ତି ସରିବା ପରେ ମାଙ୍କ ବିଜେ ପ୍ରତିମା ସୁରାଲାଗି ନିମନ୍ତେ ସୁରାଲାଗି ବରଗଛ ମୂଳରେ ରାତ୍ରି ଯାପନ କରାଇଥିଲେ । ଏହି ଅବସରରେ ମନ୍ଦିର ଆଖପାଖରେ ଖୋଲିଥିବା ବଜାରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କିଣାବିକା ଲାଗିଥିଲା । ଅଳଗୁମ ଗ୍ରାମରେ ଗହଳ ଚହଳ ଲାଗିବା ସହ ଉତ୍ସବ ମୁଖର ହୋଇପଡିଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୯/୨୦୨୨---୮,୫୫ Sakhigopal News,11/9/2022