୩୪ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ-୨୦୨୦
କୋଣାର୍କ ---- ଉତ୍କଳୀୟ କଳା, ସ୍ଥାପତ୍ୟ ଓ ସଂସ୍କୃତିର ଅନବଦ୍ୟ ନିଦର୍ଶନ ବିଶ୍ୱ ଐତିହ୍ୟ କୋଣାର୍କ । ସୂର୍ଯ୍ୟମନ୍ଦିର ଗାତ୍ରରେ ଖୋଦିତ ପ୍ରତିଟି ଭାସ୍କର୍ଯ୍ୟରେ ଓଡ଼ିଆ ଜନଜୀବନର ନିଛକ ଛବି ପ୍ରତିଫଳିତ । କାଳର କରାଳ ସ୍ରୋତରେ କୋଣାର୍କର କଥାକୁହା ସୂକ୍ଷ୍ମ କାରୁକାର୍ଯ୍ୟ ଆଜି ଭୂଲୁଣ୍ଠିତ । ଓଡ଼ିଆ ସଂସ୍କୃତିର ମହାକାବ୍ୟ ସୂର୍ଯ୍ୟମନ୍ଦିରର ଭଗ୍ନ ଅବୟବ ତାର ପୂର୍ବ ଚମକ ହରାଇ ସ୍ମୃତିଚିହ୍ନ ସଦୃଶ ପ୍ରତୀୟମାନ । ତେବେ ଏହି ଅପରୂପ ଭାସ୍କର୍ଯ୍ୟର ମହନୀୟ ସନ୍ଦେଶକୁ ବାସ୍ତବ ରୂପଦେବାର ସ୍ୱପ୍ନ ଦେଖିଥିଲେ ସ୍ୱର୍ଗୀୟ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଡଃ. ଗୁରୁ ଗଙ୍ଗାଧର ପ୍ରଧାନ । ଜୀବନ୍ତ କୋଣାର୍କର ସ୍ୱପ୍ନକୁ ସାକାର କରି ୧୯୮୫ ମସିହା ପେଂବୃୟାରୀ ୧୯ରୁ୨୧ ତାରିଖ ତିନିଦିନ ବ୍ୟାପି ଏହି ମୁକ୍ତାକାଶ ନାଟ୍ୟମଣ୍ଡପରେ ଆୟୋଜିତ ହେଲା ପ୍ରଥମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ । ମୁକ୍ତାକାଶ ରଙ୍ଗମଞ୍ଚରେ ଭାରତୀୟ ଶାସ୍ତ୍ରୀ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଆୟୋଜନର ଏହାଥିଲା ଓଡ଼ିଶାର ପ୍ରଥମ କାର୍ଯ୍ୟକ୍ରମ । ଏହି ଉତ୍ସବକୁ ଅନୁକରଣ କରି ୧୯୮୯ମସିହାରେ ଓଡ଼ିଶା ସରକାର ଆରମ୍ଭ କଲେ କୋଣାର୍କ ନୃତ୍ୟ ଉତ୍ସବ (ଡ଼ିସେମ୍ବର ୧ରୁ୫), ଯାହାକୁ ପରବର୍ତ୍ତୀ ଅବସ୍ଥାରେ କୋଣାର୍କ ଉତ୍ସବ ନାମରେ ନାମିତ କରାଯାଇଛି । ସରକାରୀ ପ୍ରାୟୋଜିତ ଉତ୍ସବ ୧୯୯୯ ମସିହାରେ ମହାବାତ୍ୟା ଯୋଗୁଁ ବର୍ଷକ ପାଇଁ ବନ୍ଦ ହୋଇଥିବା ବେଳେ ଉତ୍ସବର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ମାତ୍ର ଗୁରୁ ଗଙ୍ଗାଧରଙ୍କର ମାନସ ପ୍ରସୂତ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ନିର୍ଦ୍ଧାରିତ ସମୟରେ ପ୍ରାରମ୍ଭରୁ ଏଯାବତ ନିରବଛିନ୍ନ ଭାବରେ ଚାଲୁରହିଛି । ସମୟକ୍ରମେ ୨୦୦୭ ମସିହାରୁ ଏହି ଉତ୍ସବର ଅବଧି ୩ଦିନରୁ ୫ଦିନକୁ ବୃଦ୍ଧିପାଇଲା । ୨୦୧୦ ମସିହାରେ ଏହି ଉତ୍ସବର ରୌପ୍ୟ ଜୟନ୍ତୀ ପାଳନ ପରେ ଅକ୍ଟୋବର ୧୦ ତାରିଖରେ ଗୁରୁ ଗଙ୍ଗାଧର ଇହଲୀଳା ସମ୍ବରଣ କଲେ । ଗୁରୁଙ୍କ ଅନୁପସ୍ଥିତିରେ ତାଙ୍କର ପୁତ୍ର ତଥା ନାଟ୍ୟମଣ୍ଡପର ସମ୍ପାଦକ ଶିବାଶିଷ ପ୍ରଧାନ ଏହି ଉତ୍ସବର ମାନ ଓ ମର୍ଯ୍ୟାଦାକୁ ବଜାୟ ରଖିଛନ୍ତି । ଗଙ୍ଗାଧରଙ୍କ ଗୁରୁ ତଥା ପ୍ରଥିତଯଶା ଗୋଟିପୁଅ ନୃତ୍ୟଗୁରୁ ସ୍ୱର୍ଗତ ବୀରବର ସାହୁ, ସୁଭେଛୁ, ନାଟ୍ୟମଣ୍ଡପର ଅନ୍ତେବାସୀ ଗୁରୁ ଓ ଶିଷ୍ୟମାନଙ୍କର ଅକ୍ଳାନ୍ତ ପରିଶ୍ରମ ଓ ଆନ୍ତରିକତା ମଧ୍ୟ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବକୁ ପରିପୁଷ୍ଟ କରିଆସିଛି । ଏତଦ ବ୍ୟତିତ ୧୯୮୭ ମସିହାଠାରୁ କୋଣାର୍କ ନାଟ୍ୟମଣ୍ଡପ ପରିସରରେ ୩୩ ବର୍ଷ ଧରି ନିରବଛିନ୍ନ ଭାବରେ ଆୟୋଜିତ ହୋଇ ଆସୁଛି ୫ଦିନିଆ ଉତ୍ସବ । ଏହି ଉତ୍ସବରେ ଦେଶ ବିଦେଶର ଲବ୍ଧତିଷ୍ଠିତ କଳାକାରମାନେ ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ କରିଥାନ୍ତି । କୋଣାର୍କ ନାଟ୍ୟମଣ୍ଡପର ଅନ୍ତେବାଶୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ବାରମାସର ତେର ପର୍ବକୁ ନେଇ ଆୟୋଜିତ ହୋଇଥାଏ ବିଭିନ୍ନ ଉତ୍ସବ । କଳା, ସଂସ୍କୃତିର ବୃଦ୍ଧି ପାଇଁ ସରକାରୀ ଓ ବେସରକାରୀ ସଂସ୍ଥାରୁ ଅନୁଦାନ ମିଳୁଥିବା ବେଳେ ଗତ ୯ବର୍ଷ ଧରି ଆଉ ମିଳୁ ନାହିଁ । ଯାହା ଫଳରେ କି ଏତବେଡ ଉତ୍ସବ ଆୟୋଜନ କରିବାରେ ପ୍ରତିବନ୍ଧକ ଦେଖାଦେଲାଣି । ୨୦୧୫ ମସିହାର ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ହଠାତ ନାଟ୍ୟମଣ୍ଡପର ସମ୍ପାଦକ ଶିବାଶିଷ ପ୍ରଧାନ ବ୍ରେନଷ୍ଟ୍ରକ ଓ ପକ୍ଷାଘତ ରୋଗାର ଆକ୍ରାନ୍ତ ହୋଇଥିଲେ । ଫଳରେ ସେହି ବର୍ଷ ଉତ୍ସବ ଆୟୋଜନ ହୋଇପାରି ନଥିଲା । ନାଟ୍ୟମଣ୍ଡପର ସମ୍ପାଦକ ଶିବାଶିଷ ପ୍ରଧାନ ଏଯାବତ ଚିକିତ୍ସିତ ହୋଇନ ଥିବା ବେଳେ ତାଙ୍କ ଅସୁସ୍ଥତାର ସୁଯୋଗ ନେଇ କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଟି ଓ କେତେକ ପ୍ରଶାସନିକ ଅଧିକାରୀଙ୍କ ମଧୁଚିନ୍ଦ୍ରକା ପାଇଁ ଗତ ବର୍ଷ ୨୦୧୯ ଫେବେୃୟାରୀ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା କୋଣାର୍କ ନୃତ୍ୟ ସଙ୍ଗୀତ ଉତ୍ସବକୁ ବନ୍ଦ କରି ଦେଇଥିଲେ । ଫଳରେ ଏହି ଉତ୍ସବ ଦେଖିବା ପାଇଁ ଆସିଥିବା ଦେଶ ବିଦେଶର କଳାପ୍ରେମୀମାନେ ନିରାଶ ହୋଇଥିବା ବେଳେ ପ୍ରଶାସନର ଅପାରଗତା ପ୍ରତି ଅଙ୍ଗୁଳି ନିର୍ଦେଶ କରିଥିଲା । କେତେକ ସମସ୍ୟା ପାଇଁ ଚଳିତ ବର୍ଷ ମଧ୍ୟ କୋଣାର୍କ ନାଟ୍ୟମଣ୍ଡପ ପରିସରରେ ପାଞ୍ଚ ଦିନ ପରିବର୍ତ୍ତେ ୩ଦିନ ବ୍ୟାପି ଆୟୋଜିତ ହେବ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ-୨୦୨୦ । ଏହି ଉତ୍ସବରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ ଯନ୍ତ୍ର ସଙ୍ଗୀତର ଅପୂର୍ବ ସମାରୋହ ମଧ୍ୟରେ ଅନୁଷ୍ଠିତ ହେବ । କୋଣାର୍କ ନାଟ୍ୟମଣ୍ଡପର ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତ୍ୟହ ସନ୍ଧ୍ୟା ୬ଟା ୩୦ରୁ ରାତି ୧୦ଟା ପର୍ଯ୍ୟନ୍ତ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ତିନୋଟି ପର୍ଯ୍ୟାୟରେ ନୃତ୍ୟ ସଙ୍ଗୀତ ପରିବେଷଣ କରାଯିବ । ପ୍ରତେହ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପାରମ୍ପରିକ ରୀତିରେ ଶଙ୍ଖଧ୍ୱନି ଓ ଘଣ୍ଟ ମର୍ଦ୍ଦଳର ତାଳେତାଳେ ବାବା ବାଲୁଙ୍କେଶ୍ୱର ମହାଦେବଙ୍କ ଆଜ୍ଞାମାଳ ମଞ୍ଚରେ ପ୍ରବେଶ କରିବା ପରେ ସୂର୍ଯ୍ୟ ମନ୍ଦିର ସଦୃସ୍ୟ କୋଣାର୍କ ନାଟ୍ୟମଣ୍ଡପର ଚୂଡ଼ାରୁ ପାଦଦେଶ ପର୍ଯନ୍ତ ଅପୂର୍ବ ଠାଣିରେ ନାଟ୍ୟମଣ୍ଡପର ନୃତ୍ୟଶିଳ୍ପୀମାନେ ପରିବେଷଣ କରିବେ ପଞ୍ଚଦେବ ସ୍ତୁତ (ଗଣେ ନାରୟଣେ ରୂଦ୍ରେ ଅମ୍ବିକେ...) ଉତ୍ସବର ପ୍ରଥମ ସନ୍ଧ୍ୟାରେ ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ