ଅସରାଏ ବର୍ଷା ହେଲେ ରାସ୍ତାରେ ଲହଡି ଭାଙ୍ଗୁଛି ପାଣି
କୁରାଳ--- ରାଜ୍ୟ ସରକାର ଆମ ସରକାର ଯୋଜନାରେ ରାସ୍ତା, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଭାଗ ଗୁଡିକ ସାମିଲ କରିଛନ୍ତି । ମାତ୍ର ନୟାଗଡ ଜିଲ୍ଲାରେ ଏହାର ଠିକ ଓଲଟା କାର୍ଯ୍ୟ ଦେଖିବାକୁ ମିଳିଛି । କେଉଁଠି ରାସ୍ତା ଉପରେ ପାଣିର ସୁଅ ଚାଲିଛି ତ କେଉଁଠି ରାସ୍ତା ନାହିଁ । ରାଜ୍ୟ ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏବେ ନୟାଗଡ ଜିଲ୍ଲାର କୁରାଳ ଗ୍ରାମ ରାସ୍ତା ଏହାର ଏକ ନଗ୍ନ ନମୁନା ଭାବେ ଠିଆ ହୋଇଛି । ସୁଚନାଯୋଗ୍ୟ ଯେ ନୟାଗଡ ଜିଲ୍ଲାର କୁରାଳ ଗ୍ରାମ ଦ୍ୱିତୀୟ ବୃହତମ ଗ୍ରାମ ଭାବେ ବେଶ ପରିଚିତ । ଏହି ଗ୍ରାମରେ ବିଭିନ୍ନ ସମସ୍ୟା ଲାଗି ରହିଛି । କୁରାଳ କୋମଣ୍ଡ ମୁଖ୍ୟ ରାସ୍ତାର ଚଣ୍ଡୀଛକରେ ଅସରାଏ ବର୍ଷାରେ ଲହଡି ମାରୁଛି ପାଣି । ଦୁଇରୁ ତିନି ଫୁଟ ଉଚ୍ଚରେ ପାଣି ଜମି ରହିଥାଏ । ଏଠାରେ ପାଣି ନିଷ୍କାସନ ପାଇଁ ଡ୍ରେନେଜର ସୁବିଧା ନାହିଁ, ରାସ୍ତା କଥା ନ କହିଲେ ଭଲ । ଏପରିକି ପାଣି ଛିଟାକାକୁ ନେଇ ଜନସାଧାରଣଙ୍କ ସହିତ ପାଖରେ ଥିବା ପରିବାର ମୁହାଁମୁହିଁ ହେଉଛନ୍ତି । ଏ ସଂକ୍ରାନ୍ତରେ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନର ଦୃଷ୍ଟି ଗୋଚର କରାଯାଇଥିଲେ ମଧ୍ୟ ଏଥିପ୍ରତି କାହାରି ନଜର ନାହିଁ । କେବଳ ଜନସାଧାରଣଙ୍କୁ ନେତାଙ୍କ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ମିଳୁଛି ମିଥ୍ୟା ପ୍ରତିଶ୍ରୁତି ବୋଲି ସ୍ଥାନୀୟ ଅଞ୍ଚଳବାସୀ ମାନେ କହନ୍ତି । ଆଗାମୀ ବର୍ଷା ଦିନ ଆଗରୁ ପାଣି ନିଷ୍କାସନର ପାଇଁ ବ୍ୟବସ୍ଥା କରାନଗଲେ ରାଜରାସ୍ତା ଅବରୋଧ କରାଯିବ ବୋଲି ଜଣାପଡିଛି ।
କୁରାଳରୁ ଅର୍ଜୁନ ସାହୁଙ୍କ ରିପୋର୍ଟ