୨୦୧୩ ରୁ ଧୋଇ ଯାଉଛି ଅନୁଦାନ ଟଙ୍କା, ବିଛିନ୍ନ ହେଉଛି ଅଞ୍ଚଳ
ବରଗଡ଼----ସରକାର ଲୋକଙ୍କ ଗମନାଗମନ ସୁବିଧା ପାଇଁ ଚାରିଆଡେ ରାସ୍ତା ଘାଟ ତିଆରି କରିଛନ୍ତି ଏଥିପାଇଁ ବିଭିନ୍ନ ଯୋଜନା ତିଆରି କରିଛନ୍ତି । କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମାତ୍ର ତାହା ପ୍ରତିବର୍ଷ ଧୋଇଯାଉଛି । ବରଗଡ଼ ଜିଲ୍ଲାରେ ଠିକାଦାର ପୋଷାନୀତିରେ କାମ ଚାଲିଛି । କେଉଁଠି କାର୍ଯ୍ୟ ନସରୁଣୁ ରାସ୍ତା ମାନଙ୍କରେ ଗର୍ତ୍ତ ମାନ ସୃଷ୍ଟି ହୋଇ ଜୀବନ ନେବା ଅବସ୍ଥାରେ ମୁଣ୍ଡ ଟେକିଲାଣି ତ ଆଉ କୋଉଠି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ଅନେକ ରାସ୍ତା ଅଳିଆ ଆବର୍ଜନା ହେଇ ପଡିରହିଛି।ରକ୍ଷଣାବେକ୍ଷଣ ପାଇଁ ସରକାରୀ ଅନୁଦାନ ରହିଛି ହେଲେ ଅନେକ ରାସ୍ତା ରକ୍ଷଣାବେକ୍ଷଣ ଓ ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ତଥା ସ୍ୱାର୍ଥ ଲାଳସା ଯୋଗୁଁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ରାସ୍ତା ଦୁଇକଡ଼ରେ ମାଟି ଫିଲିଙ୍ଗ ନହେବା ଯୋଗୁଁ ଯିବାଆସିବା ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ସେହିପରି "ସରକାର କା ମାଲ ଦରିଆ ମେ ଡାଳ"ଭଳି ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାର ଅତାବିରା ବାବେବିରା-ଅମସ୍ତଲା ଝାଉଁ ଜୋର ଅସ୍ଥାୟୀ ଫେଆର ୱେଦର ରାସ୍ତା। ଏହି ରାସ୍ତାରେ ଦିନକୁ ପ୍ରାୟ ହଜାର ହଜାର ସ୍କୁଲ,କଲେଜ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଲୋକ ଯିବାଆସିବା କରିଥାନ୍ତି ।ଏବେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଯାହା ୨୦୧୩ ରୁ ଯାତାୟାତ ପାଇଁ ବର୍ଷକୁ ଥରେ ଅନୁଦାନ ମିଳୁଛି । ଏହି ଅର୍ଥ ପାଣିରେ ଭସାଇ ଦିଆଯାଉଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଅନ୍ୟ ପକ୍ଷେ ନେତା ମାନଙ୍କ ର ଚେଲା ଚାମୁଣ୍ଡା ଓ ବ୍ଲକ ଅଧିକାରୀ ମାନଙ୍କୁ ପୋଷିବା ପାଇଁ ଏହି ପ୍ରକଳ୍ପ ଟି ରଖାଯାଇଛି ବୋଲି ଲୋକମାନେ କହନ୍ତି । ତେବେ କାହା ସ୍ୱାର୍ଥରେ ବର୍ଷକୁ ଥରେ ଏଇ ସରକାରୀ ଟଙ୍କା ଭାସୁଛି ତାହା ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବର୍ଷାଦିନ ତ ଦୂର ସାମାନ୍ୟ ବର୍ଷା ହେଲେ ଏପରି ଅବସ୍ଥା ସୃଷ୍ଟି ହେଉଥିବାର ଲୋକେ କହନ୍ତି।ଜଳ ବିହୁନେ ସର୍ବନାଶ,ଜଳ ବହୁଲେ ସର୍ବନାଶ ଭଳି ବର୍ଷା ଯେମିତି ଅଞ୍ଚଳ ପାଇଁ ସାଜିଯାଏ ବଇରୀ। ୮ରୁ ୯ଟି ପଞ୍ଚାୟତର ଲୋକଙ୍କ ଯାତାୟାତ ହୋଇପଡେ ଠପ। ଏଇତ ହେଉଛି ରାଜ୍ୟ ବିଜେଡି ସରକାରଙ୍କ ଆମ ବିକାଶ ଓ ୫ଟି ବିକାଶର ଏକ ନମୁନା ।ଏଇ ବାଟ ଦେଇ ନେତା ମନ୍ତ୍ରୀ,ପ୍ରଶାସନ ଅଧିକାରୀ ଯିବା ସମୟରେ ଲୋକ ମାନଙ୍କୁ ପ୍ରତିଶୃତି ମଧ୍ୟ ଦେଇଥାନ୍ତି। ହେଲେ ପ୍ରତିଶୃତି ପାଣିର ଗାର ହୋଇ ରହିଯାଇଛି । "ଖଜୁରୀ ଗଛର କି ଗୁଣ ଗାଇବି ସେ ତ ମୂଳରୁ ପାହାଚ ପାହାଚ" ଅତାବିରା ଅଞ୍ଚଳରେ ଏହିପରି ସମସ୍ୟା ରହିଛି।ତେବେ ଦେଖଯାଉ ଆଉ କେତେ ଅନୁଦାନ ପାଣିରେ ଭାସିଲେ ସରକାରଙ୍କ ନିଦ ଭାଙ୍ଗିବ। ଦେଖିବାକୁ ଅପେକ୍ଷା କରିଛନ୍ତି ଲୋକମାନେ ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ