ବିବାହ ପାଇଁ ପ୍ରତିଶ୍ରୁତି ଦେଇ ନ ରଖିବାରୁ ପ୍ରେମିକ ଘରେ ପଶିଲା ପ୍ରେମିକା
ଓଡ଼ଗାଁ ----ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରଂଗଣିପାଟଣା କୋଠସାହିର ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ର +୨ ପ୍ରଥମ ବର୍ଷ କଳାରେ ଅଧ୍ୟୟନ କରୁଥିବା ଛାତ୍ରୀ ଜନୈକ ନାବାଳିକା (୧୬)ସେହି ଗ୍ରାମରେ ଥିବା ତା ପ୍ରେମିକଠାରୁ ବାହାଘର ପାଇଁ ପ୍ରତିଶ୍ରୁତି ପାଇଥିଲେ । କିଛି ଦିନ ପରେ ପ୍ରେମିକ ବାହା ହେବାକୁ ମନା କରିଦେଇଥିଲା । ପ୍ରେମିକା ନା ବାଳିକା ଜଣଙ୍କ ପ୍ରେମିକ ରହୁଥିବା ତା ମଉସା ଘରେ ବଳପୂର୍ବକ ପଶିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେବା ସହ ଥାନାରେ ଅଭିଯୋଗ ହୋଇଅଛି ।ସୂଚନା ଅନୁଯାୟୀ ରଂଗଣିପାଟଣା କୋଠସାହିର ବାସିନ୍ଦାତଥା ଓଡ଼ଗାଁ ପରିବା ମାର୍କେଟର ବ୍ୟବସାୟୀ ଧନେଶ୍ୱର ସାହୁଙ୍କର ପୁତୁରା କାଳିଆ ସାହୁ (୨୦) ବାପା ଓ ମା ସୁଦୂର ଝାଂସି ରେ ରହୁଛନ୍ତି ।କାଳିଆ ଦୀର୍ଘଦିନ ଧରି ମଉସା ଘରେ ରହୁଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ୧ ବର୍ଷ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।ବାହାହେବାକୁ ପ୍ରତିଶୃତି ମଧ୍ୟ ଦେଇଥିଲା ପ୍ରେମିକା ।କିନ୍ତୁ ବର୍ତ୍ତମାନ ୧ ସପ୍ତାହ ଧରି କାଳିଆ ନାବାଳିକାଙ୍କୁ ବିବାହ କରିବାକୁ ରୋକଠୋକ ଭାବେ ମନା କରିଦେଇଥିଲା । ତେବେ ଏଥିରେ ମ୍ରିୟମାଣ ହୋଇ କାଳିଆ ରହୁଥିବା ଘରେ ବଳପୂର୍ବକ ପଶି ପତ୍ନୀ ହେବାର ମର୍ଯ୍ୟାଦା ଦାବି କରିଥିଲା ପ୍ରେମିକା । ଏହି ସମୟରେ କାଳିଆ ଅନ୍ୟତ୍ର ଫେରାର ହୋଇଯାଇଥିଲା । ବହୁତ ବୁଝାବୁଝି ପରେ ମଧ୍ୟ ନାବାଳିକା ତା ଜିଦରେ ଅଟଳ ରହିଥିଲା । ନିରୁପାୟ ହୋଇ ରାତି ୧୧ ଟାରେ ଧନେଶ୍ୱର ଲିଖିତ ଅଭିଯୋଗ କରିଥିଲେ ।ଅଭିଯୋଗ ଅନୁଯାୟୀ ଓଡ଼ଗାଁ ଥାନାର ଭାରପ୍ରାପ୍ତ ନିରୀକ୍ଷକ ବଂଶୀଧର ବିଶ୍ୱାଳ ,ମହିଳା ଶିଶୁ ଡେସ୍କ ଅଧିକାରିଣୀ ସ୍ନେହଲତା ପ୍ରଧାନ ସଦଲବଳେ ସମ୍ପୃକ୍ତ ନାବାଳିକାଙ୍କୁ ଧନେଶ୍ୱର ଘରୁ ଆଣି ନୟାଗଡର ଶିଶୁ ମହିଳା ସୁରକ୍ଷା ସେଲରେ ରାତି ୨ ଟା ବେଳେ ଛାଡିଥିଲେ ।ତେବେ ନାବାଳିକା ତରଫରୁ କୌଣସି ବି ଅଭିଯୋଗ ଏ ଯାବତ କରାଯାଇନଥିବାରୁ ସମ୍ପୃକ୍ତ ପ୍ରେମିକ ବିରୋଧରେ କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ଥାନା ସୂତ୍ରରୁ ଜଣାପଡିଛି।
ଓଡ଼ଗାଁ ଅର୍ଜ୍ଜୁନ ସାହୁ