ଅଗ୍ନିକାଣ୍ଡ ଘଟି ୩ଟି ଗାଇ ଜୀବନ୍ତ ଦଗ୍ଧ
ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଅରିଶଲ ଗ୍ରାମ ପଞ୍ଚାୟତର ରଇଂଶଲ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ପୂର୍ଣ୍ଣଚନ୍ଦ୍ର ରାଉତଙ୍କର ୩ଟି ଗାଇ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ପୂର୍ଣ୍ଣଚନ୍ଦ୍ରଙ୍କ ଘର ଠାରୁ ଅଳ୍ପ ଦୁରରେ ଏକ ବାରିରେ ଗୁହାଳ ଘର ରହିଛି । ପ୍ରତିଦିନ ପରି ପୂର୍ଣ୍ଣଚନ୍ଦ୍ର ରାତିରେ ଗୁହାଳ ଘରକୁ ଯାଇ ଗାଇ ମାନଙ୍କୁ ଦେଖିବା ସହ କୁଟା ପକାଇ ଆସିଥିଲେ । ମାତ୍ର ଆଜି ଭୋର ସମୟରେ ଗୁହାଳରେ ଅଗ୍ନିକାଣ୍ଡ ଘଟି ଗାଇ ତିନୋଟି ମରି ପଡିଥିବା ଲୋକମାନେ ଦେଖିଥିଲେ । ସଙ୍ଗେ ସଙ୍ଗେ ପିପିଲି ଅଗ୍ନିଶମ ବିଭାଗକୁ ଖବର ଦେବା ସହ ପୁର୍ଣ୍ଣଚନ୍ଦ୍ରଙ୍କୁ ଖବର ଦେଇଥିଲେ । ପିପିଲି ଅଗ୍ନିଶମ ବିଭାଗର ଅଧିକାରୀ ଅଜିତ ଗୌଡଙ୍କ ସହିତ ଦୁଖିଶ୍ୟାମ ରଥ, ସୁଜିତ ଭୋଇ, ମଳୟ ପ୍ରଧାନ, ସଂଜିବ କୁମାର ଜେନା, ନରେଶ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ଅଗ୍ନିଶମ କର୍ମଚାରୀ ମାନେ ସେଠାରେ ପହଞ୍ଚିବା ବେଳେକୁ ଗାଇ ତିନୋଟି ଜୀବନ୍ତ ଦଗ୍ଧ ହୋଇ ସାରିଥିଲେ । ପ୍ରାଥମିକ ଆକଳନରୁ ବିଦ୍ୟୁତ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି