ପାରମ୍ପରିକ ରୀତିନୀତି ଅନୁଯାୟୀ ଶେଷ ହେଲା ରଏବାରିଏନ ଯାତ୍ରା
ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ଝିଲିମିଣ୍ଡା ଓ କାଦୋବାହାଳ ପଞ୍ଚାୟତ ମଧ୍ୟରେ ଯାଇଥିବା ଝାଉଁଜୋର ନିକଟରେ ତଥା ଝିଲିମିଣ୍ଡା ଗାଁରୁ ୧କିଲୋମିଟର ଦୁରତାରେ ଥିବା ନାଳିଆ ଡେଇଁ ୪ଏକର ୨୫ ଡିସମିଲ ଥିବା ଏକ ଖୋଲା ଜମିରେ ଏହି ରଏବାରିଏନ ଦେବୀ ପୂଜା ପାଇଥାନ୍ତି । ପୂଜା ପୂର୍ବରୁ ଜମିର କେଉଁ କୋଣରେ ଦେବୀ ପୂଜା ପାଇବେ ମୁଖ୍ୟ ପୂଜକଙ୍କୁ ସ୍ୱପ୍ନାଦେଶ ହେବା ପରେ ଦେବୀଙ୍କ ପୂଜା ଆରମ୍ଭ ହେଇଥାଏ। ଏହି ପୂଜା ପର୍ବଟି ପ୍ରତିବର୍ଷ ଭଳି ବର୍ଷର ପୌଷ ମାସରେ ହେଇଥାଏ। ଏହି ପୂଜାଟି ରାତ୍ର ୧୨ଟାରୁ ଆରମ୍ଭ ହେଇ ସକାଳ ୫ଟା ପର୍ଯ୍ୟନ୍ତ ଚାଲିଥାଏ ।ଏହି ପୂଜା ଦୀର୍ଘ ୪୦ବର୍ଷରୁ ଉର୍ଦ୍ଧ୍ବ ଗାଁର ଝାଙ୍କର ପୂଜକ ଚୈତନ୍ୟ ଜଗତ କରିଆସୁଥିଲେ। ହେଲେ ଗତ ୨୦୧୨ ମସିହାରେ ପୂଜକଙ୍କ ଦେହାନ୍ତ ପରେ ତାଙ୍କର ଭଣଜା ଗୋପୀନାଥ ମରାଇ ଦୀର୍ଘ ପାଞ୍ଚବର୍ଷ ହେବ ଏହି ପୂଜା କରିଆସୁଛନ୍ତି।ହଜାର ହଜାର ଶ୍ରଦ୍ଧାଳୁ ନିଜ ନିଜ ମନୋକାମନାକୁ ନେଇ ପୂର୍ବପ୍ରଚଳିତ ପ୍ରଥା ଅନୁଯାୟୀ ମାନସିକ ଧାରୀ ମାନେ ମାଇ କୁକୁଡ଼ା ଓ ମାଈ ଛେଳି ମା ଙ୍କୁ ଅର୍ପଣ କରି ନିଜ ନିଜ ଘରକୁ ଫେରି ଯାଇଥାନ୍ତି । ତା ପରଦିନ ପୁଣି ସେଇ ଭକ୍ତମାନେ ପ୍ରସାଦ ପାଇବା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତ ମାନଙ୍କର ଭିଡ଼ ଜମିଥାଏ। ରାତ୍ରିରେ କେବଳ ମୁଖ୍ୟ ପୂଜକ ଙ୍କ ସହ ତାଙ୍କ ସହଯୋଗୀ ଭାବରେ ୪ଜଣ ତଥା ରହେମାନ ମରାଇ,କୃଷ୍ଣ ମରାଇ ଓ କର ଗହୀର ପମୁଖ ରହିଥାନ୍ତି। ପୂର୍ବକାଳରୁ ପୂଜା ହେଉଥିବା ଅଞ୍ଚଳରେ ହିଁ ଲୋକେ ପ୍ରସାଦ ପାଇବାର ନିୟମ ରହିଥିଲେ ହେଁ ୮/୯ବର୍ଷର ପିଲାମାନେ ଖେଳିବା ବାଟରେ ଯାଇ ପ୍ରସାଦ ଆଣି ଖାଇଦେବା ଫଳରେ ସେମାନେ ଉଭାନ ହୋଇଯାଇଥିଲେ ବୋଲି ଜନ ମାନସରୁ ଶୁଣିବାକୁ ମିଳେ । ପରଦିନ ପୂଜକଙ୍କୁ ଡାକି ଦେବୀଙ୍କୁ ହାରିଗୁହାରୀ କରି ପୂଜାପାଠ କରିବା ପରେ ସେଇ ପିଲାମାନେ ନଜରକୁ ଆସିଥିବାର ଗାଁର ବୟେଜ୍ୟେଷ୍ଠ ବ୍ୟକ୍ତିମାନେ କହନ୍ତି। ସେଇ ଦିନଠାରୁ ଅବିବାହିତ ମାନଙ୍କୁ ଏହି ପୂଜାକୁ ଯିବା ପାଇଁ ସମ୍ପୂର୍ଣ୍ଣ ବାରଣ ହେଇଥାଏ। ପ୍ରକାଶ ଥାଉକି ଏହି ଜମିଟି କାଦୋବାହାଳ ଗାଁର ଜନୈକ ଖରରା ର ଜମି । ଦେବୀଙ୍କୁ ସେ ମାନିଆସୁଥିଲେ। ପୂଜାରେ ପ୍ରତ୍ୟେକ ବର୍ଷ ପରି ପଶ୍ଚିମ ଓଡିଶା ତଥା ଅନ୍ୟ ବାହାର ରାଜ୍ୟରୁ କଲିକତା,ଛତିଶ ଗଡ଼,ମଧ୍ୟପ୍ରଦେଶ ପ୍ରମୁଖ ରାଜ୍ୟରୁ ମେହେର ଭକ୍ତ ମାନଙ୍କର ଭିଡ ଜମି ରହିଥାଏ। ଏହି ଝାଉଁଜୋର ନଦୀ ଉପରୁ କେଉଁ କାଳରୁ ହଜାର ହଜାର ଭକ୍ତ ଡେଇଁ ଯିବାଆସିବା କରି ଆସୁଛନ୍ତି।କିନ୍ତୁ ଏହି ଝାଉଜୋର ନଦୀଟିର ପୋଲ ଯଦି ଜିଲ୍ଲା ପ୍ରଶାସନ ନିର୍ମାଣ କରିଦିଏ ତେବେ ପର୍ଯଟକ ମାନଙ୍କର ସୁବିଧା ସୁଯୋଗ ସାଙ୍ଗକୁ ଯିବାଆସିବାରେ ସାହାଯ୍ୟ ହେବ ବୋଲି ଅଞ୍ଚଳରେ ଦାବି ହୋଇ ଆସୁଛି । ପ୍ରତିବର୍ଷ ପରି ଗାଁ କମିଟି ପକ୍ଷରୁ ଜେସିବି ସାହାଯ୍ୟରେ ଲୋକଙ୍କ ସୁବିଧା ତଥା ପୂଜାପର୍ବ ପାଇଁ ଜମି ସଜବାଜ କରାଯାଇଥାଏ। ଏହି ପୂଜାପର୍ବରେ ଝିଲିମିଣ୍ଡା ଗାଁ କମିଟିର ଓଁକାରନାଥ ବାବୁ,ଯାଦବ ଭୋଇ,ରାଜେଶ ବଢ଼େଇ,ରମେଶ ବଢ଼େଇ,ରମେଶ ପ୍ରଧାନ,ଟିକେଶ ପ୍ରଧାନ,ଅସିତ ମହାପାତ୍ର,ଗଙ୍ଗା ମରାଇ ତଥା ପ୍ରମୁଖ ଗ୍ରାମବାସୀ ସହଯୋଗ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ