ଅବ୍ୟବସ୍ଥା ମଧ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ବେଗୁନିଆ---- ବେଗୁନିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଭୀମଭୋଇ ସାମର୍ଥ୍ୟ ଶିବିର ବହୁ ଅବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ଶିବିରରେ ୨୦୦ ଭିନ୍ନକ୍ଷମ ମାନେ ଯୋଗ ଦେଇଥିଲେ । ମାତ୍ର ସେମାନଙ୍କ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ସୁବିଧା ସୁଯୋଗ କରାଯାଇ ନଥିବା ଯୋଗୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପ୍ରଚାର ପ୍ରସାର ଅଭାବ ଯୋଗୁଁ ବିଭିନ୍ନ ପଞ୍ଚାୟତରେ ବହୁ ଭିନ୍ନକ୍ଷମ ବ୍ୟକ୍ତି ଏହି ଶିବିରରେ ଯୋଗ ଦେଇ ପାରି ନଥିବା ପଞ୍ଚାୟତ ପ୍ରତିନିଧି ମାନେ କହିଛନ୍ତି । ସରକାରଙ୍କ ଅନଲାଇନ କାମ ଯୋଗୁଁ ବହୁ ଭିନ୍ନକ୍ଷମ ସେମାନଙ୍କର ନାମ ତାଲିକାଭୁକ୍ତ କରି ପାରି ନଥିବାରୁ ଅସନ୍ତୋଷ ଦେଖା ଦେଇଥିଲା । ଗାଁ ଗହଳିର ଭିନ୍ନକ୍ଷମ ବ୍ୟକ୍ତି ମାନେ ବ୍ଲକକୁ ଆସି କେଉଁଠାରେ ନାମ ତାଲିକାଭୁକ୍ତ କରିବା ଓ କେଉଁଠାରେ ଡାକ୍ତରଙ୍କୁ ପରାମର୍ଶ କରିବେ ତାହା ଜାଣି ନପାରି ନିଃସହାୟ ହୋଇ ଘରକୁ ଫେରିଯାଇଛନ୍ତି । ଏପରିକି ମାନୁଆଲ ସାର୍ଟିଫିକେଟରେ ୮୫% ଭିନ୍ନକ୍ଷମ ପ୍ରମାଣପତ୍ର ପାଇଥିବା ବୋତଳମା ଗ୍ରାମର ସ୍ୱର୍ଗତ ଦାମୋଦର ସାମନ୍ତରାୟଙ୍କ ଭିନ୍ନକ୍ଷମ ଅବିବାହିତ କନ୍ୟା ବାସନ୍ତୀ ସାମନ୍ତରାୟ(୬୦) ଅନ ଲାଇନରେ ଆବେଦନ କରିବା ପରେ ତାଙ୍କୁ ୬୫% ଭିନ୍ନକ୍ଷମ ସାର୍ଟିଫିକେଟ ମିଳିଛି । ସେ ଜଣେ ସମ୍ପୂର୍ଣ୍ଣ ଅକ୍ଷମ ମହିଳା । ଚାଲି ପାରୁ ନଥିବା ବେଳେ ଏହା କିପରି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ବ୍ଲକ ପ୍ରଶାସନ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ କୌଣସି ସାମ୍ବାଦିକଙ୍କୁ ଖବର ଦେଇ ନଥିବା ବେଳେ ଏ ସଂକ୍ରାନ୍ତରେ ଦାୟିତ୍ୱରେ ଥିବା ଅଧିକାରୀ ଦିପିକା ରାଉତରାୟ ଙ୍କୁ ପଚାରିବାରେ ସେ ବିଭିନ୍ନ ମିଛ ବାହାନାର ଆଶ୍ରୟ ନେଇଛନ୍ତି । ଏପରିକି ଯେଉଁ ମାନେ ଅଧିକାରୀଙ୍କୁ ହାତଗୁଞ୍ଜା ଦେଇଛନ୍ତି ସେମାନଙ୍କର କାର୍ଯ୍ୟ ଆଗ ଓ ପ୍ରମାଣପତ୍ରରେ ଅଧିକ ହୋଇ ଆସିଛି । ଯେଉଁମାନେ ହାତଗୁଞ୍ଜା ଦେଇ ପାରି ନାହାନ୍ତି ସେମାନଙ୍କର ନୂତନ ପ୍ରମାଣପତ୍ରରେ କମ ହୋଇ ଆସିଛି ବୋଲି ଦିବ୍ୟାଙ୍ଗ ମାନେ ଅଭିଯୋଗ ଆଣିଛନ୍ତି । ତୁରନ୍ତ ଜିଲ୍ଲାପାଳ ଏ ଦିଗରେ ନଜର ଦେବାକୁ ଦାବି ହେଉଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା