 |
baragarh |
ବରଗଡ଼ ---- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟୁକୁରା ପଞ୍ଚାୟତର କୁଲିତା ଟୁକୁରା ଗ୍ରାମରେ ଅଷ୍ଟଧାତୁ ନିର୍ମିତ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ବହୁ ଧୁମଧାମରେ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରଥମ ଦିନ ଗ୍ରାମର ମହିଳାଭକ୍ତ ମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା ହୋଇଥିବାବେଳେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ କଳସ ଶୋଭା ଯାତ୍ରାରେ ସାମିଲ ହୋଇଥିଲେ। ପଣ୍ଡିତ ଶ୍ରୀ ରାଧାମୋହନ ତ୍ରିପାଠୀ ପୂଜାକାର୍ଯ୍ୟ ତୁଲାଇଥିଲେ | ପ୍ରଥମେ ପ୍ରଭୁ ଗ୍ରାମର ଜଗନ୍ନାଥ ମନ୍ଦିରରେ କାଠ ମୂର୍ତ୍ତିରେ ପୂଜା ପାଉଥିଲେ ତେଣୁ ତାଙ୍କର ନୂତନ ବିଗ୍ରହ ତିଆରିକରି କାଷ୍ଠ ମୂର୍ତ୍ତିକୁ ପାଖ ପୋଖରୀରେ ଭସାଣି କରାଯାଇଥିଲା । ଏହି ପ୍ରତିଷ୍ଠା ଗତ ଉଣେଇଶ ତାରିଖରୁ ଆରମ୍ଭ ହୋଇ ତେଇଶି ତାରିଖ ପର୍ଯ୍ୟନ୍ତ ହୋଇଥିଲା । ଏହି ଅବସରରେ ରାମଲୀଳା କାର୍ଯ୍ୟକ୍ରମ ହେବାସହିତ ପ୍ରତିଦିନ ପ୍ରବଚନ, ନାଟକ, ଭଜନ, କୀର୍ତନ, ମେଲୋଡି, ମିନାବଜାର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯାଇଥିଲା । ସମସ୍ତଙ୍କ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଜମିରହିଥିଲା | ଉତ୍ସବ ଦେଖିବାପାଇଁ ବହୁ ଦୂରରୁ ଭକ୍ତମାନେ ଆସି ଭିଡ଼ ହୋଇଥିଲା । ପ୍ରତିଦିନ ସମସ୍ତ ଭକ୍ତ ମାନଙ୍କପାଇଁ ଅନ୍ନଭୋଗର ମଧ୍ୟ ବ୍ୟବସ୍ଥା କରାହୋଇଥିଲା ଓ ସୁରକ୍ଷା ବ୍ୟବସ୍ଥା, ଚିକିତ୍ସା ଏବଂ ଯୋଗାଯୋଗ ପାଇଁ ସ୍ୱତନ୍ତ୍ର କମିଟି ଅଫିସ ଖୋଲାଯାଇଥିଲା | ଟୁକୁରା ଗ୍ରାମର ଏହି କିଛିଦିନ ବିଜୁଳି ଲାଇଟ ର ଆଲୁଅରେ ସୁନ୍ଦର ଦେଖାଯାଉଥିଲା । ପ୍ରତେକ ଦିନ ସନ୍ଧ୍ୟାରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ପ୍ରତିଦିନ ରାବଣ ମହାରାଜ ନିଜ ନଗରୀ ପରିକ୍ରମା କରୁଥିଲେ । ଶେଷରେ ଉତ୍ସବର ଅନ୍ତିମ ଦିନରେ ପ୍ରଭୁ ଶ୍ରୀରାମ ଙ୍କ ଦ୍ୱାରା ମୁକ୍ତି ପାଇଥିଲେ ଓ ବିଗ୍ରହ ଉତ୍ସବର ପୂର୍ଣ୍ଣାହୁତି ହୋଇଥିଲା।ହଜାର ହଜାର ଭକ୍ତଙ୍କ ଭିଡ଼ ଜମିରହିଥିଲା।କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଶେଷଦିନରେ ଆସି ଉକ୍ତ ବିଗ୍ରହ ଉତ୍ସବରେ ଯୋଗଦେଇ ମନ୍ଦିରରେ ପୂଜା କରିଥିଲେ | ପଶ୍ଚିମ ଓଡିଶାର ହାସ୍ୟଅଭିନେତା ଯୋଗେଶ ଯୋଯୋ, ଅସୀମା ପଣ୍ଡା, ପଦ୍ମଶ୍ରୀ ଶ୍ରୀ ହଳଧର ନାଗ ଏବଂ ଏ ଅଂଚଳର ଅନେକ ସୁନାମଧନ୍ୟ ଭଜନ, କୀର୍ତନ, ପ୍ରବଚନ, ନାଟକ କରୁଥିବା କଳାକାରଙ୍କ କଲା ଦେଖିବାକୁ ମିଳିଥିଲା |ପ୍ରତିଷ୍ଠା ମହୋତ୍ସବକୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତ ମାନଙ୍କର ସମାଗମ ହୋଇଥିଲା।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ