ଓଡ଼ଗାଁ ତହସିଲ ଅଫିସ ସମ୍ମୁଖରେ ଓଡିଶା କୃଷକ ସଙ୍ଗଠନ ପକ୍ଷରୁ ୧୨ଦଫା ଦାବି ନେଇ ବିକ୍ଷୋଭ
ନୟାଗଡ---- ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା କୃଷକ ସଙ୍ଗଠନ ଓଡ଼ଗାଁ ବ୍ଲକ କମିଟି ତରଫରୁ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିରେ ଶତାଧିକ ପୁରୁଷ ଏବଂ ମହିଳା ଓଡ଼ଗାଁ ଦଲକ ଠାରୁ ଏକ ଶୋଭାଯାତ୍ରାରେ ଆସି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଏବଂ ଗଣଧାରଣା ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ପବିତ୍ର ଇନ୍ଦ୍ରଜିତଙ୍କ ସଭାପତିତ୍ବରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ଏବଂ ଶ୍ରମିକ ନୀତି ବିରୁଦ୍ଧରେ ଆଲୋଚନା କରାଯାଇଥିଲା। ସେମାନେ ୧୨ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଓଡ଼ଗାଁ ତହସିଲଦାରଙ୍କୁ ପ୍ରଦାନ କରିଥିଲେ। କୃଷକମାନଙ୍କ ଧାନର ସହଜ ଏବଂ ସୁବିଧା ବିକ୍ରୀ ପାଇଁ ଧାନ ମଣ୍ଡି ଖୋଲିବା,ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୧୮୧୫ ଟଙ୍କା ଧାର୍ଯ୍ୟ କରିବା,ଧାନର ଏଫ. ଏ.କ୍ୟୁ. ମାନଦଣ୍ଡ କୋହଳ କରିବା,ଧାନବିକ୍ରି କଳାବଜାରୀ ବନ୍ଦ କରିବା,କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ ନିର୍ଦ୍ଧାରଣ କରିବା,କୃଷିଋଣ ଛାଡ଼ କରିବା,ଚାଷୀମାନଙ୍କୁ ବୀମାଭୁକ୍ତ କରିବା,ଫସଲକୁ ବିମାଭୁକ୍ତ କରିବା,ଶିତଳଭଣ୍ଡାର ନିର୍ମାଣ କରିବା,ସ୍ୱୀକୃତି ଏବଂ ଅଣସ୍ୱିକୃତିପ୍ରାପ୍ତ ମଦଦୋକାନକୁ ବନ୍ଦ କରିବା,ରାସନ କାର୍ଡ଼ ସମସ୍ୟାର ସମାଧାନ ଭଳି ଦାବୀକୁ ତହସିଲଦାରଙ୍କ ସମ୍ମୁଖରେ ଉପସ୍ଥାପନ କରିବା ସହ ଦାବୀପତ୍ର ପ୍ରଦାନ କରିଥିଲେ।ଏଥିରେ କୃଷକ ସଭାର ଜିଲ୍ଲା ସଭାପତି ଗୋଲକ ବିହାରୀ ମୁଦୁଲି,ଶ୍ରମିକନେତା ବିଶ୍ୱନାଥ ମହାପାତ୍ର,ଯୁବନେତା ସରୋଜ ନାୟକ,ଆଲୋକ ପ୍ରଧାନ,ମହିଳା ନେତ୍ରୀ ଜ୍ୟୋତିପ୍ରଭା ଜେନା,କୃଷକ ନେତା ଭାଗିରଥି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ