କାର ଧକ୍କାରେ ମଟର ସାଇକେଲ ଆରେହୀଙ୍କର ମୃତ୍ଯୁ; ଅନ୍ଯ ଜଣେ ଗୁରୁତର
ସାକ୍ଷୀଗୋପାଳ------ ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥନଂ-୩୧୬ର ସତ୍ୟବାଦୀ ଥାନା ଅନ୍ତର୍ଗତ କାହୁଆ ଛକରେ ଏକ କାର ଦୁଇଟି ମଟର ସାଇକେଲକୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇ ସାକ୍ଷୀଗୋପାଳ ଡାକ୍ତରଖାନାରେ ଚିକିତ୍ସା ହୋଉଥିବା ଜଣାପଡିଛି । ସତ୍ୟବାଦୀ ପୋଲିସ ସୁତ୍ରରୁ ପ୍ରକାଶ ଯେ ବଳଙ୍ଗା ଥାନା ଅନ୍ତର୍ଗତ ଭୀମ ବଜାରର ବାଲିଗାଁର ଜଟାଧାରୀ ବେହେରା ( ୫୦) ଗ୍ୟାସ ପାଇଁ ସାକ୍ଷୀଗୋପାଳ ଆସିଥିଲେ । ମାତ୍ର ବାଟରେ ତାଙ୍କର ସମୁଦି ତଥା ଯଦୁପୁର ଗ୍ରାମର କୁମର ପାଣି ( ୪୮) ଦେଖା ହେବାରୁ ଦୁଇଜଣ ଯାକ କାଦୁଆ ଛକରେ ଗାଡି ରଖି ଚା ପିଇଥିଲେ । ଚା ପିଇ ନିଜ ନିଜ ମଟର ସାଇକେଲରେ କିଛି ବାଟ ଆସିବା ପରେ ଭୁବନେଶ୍ୱରରୁ ଆସୁଥିବା ଏକ କାର ଦ୍ରୁତ ଗତିରେ ଏମାନଙ୍କୁ ଧକ୍କା ଦେଇ ପଳେଇଥିବାର ଜଣାପଡିଛି । ସ୍ଥାନୀୟ ଲୋକମାନେ ଦୁଇଜଣଙ୍କୁ ସଙ୍ଗେ ସଙ୍ଗେ ସାକ୍ଷୀଗୋପାଳ ମେଡିକାଲକୁ ଆଣିଥିଲେ । ଡାକ୍ତର ଜଟାଧାରୀଙ୍କୁ ମୃତ୍ୟୁ ଘୋଷଣା କରିବା ସହ ସତ୍ୟବାଦୀ ଥାନାକୁ ଖବର ଦେଇଥିଲେ । ଖବର ପାଇ ସତ୍ୟବାଦୀ ଥାନା ୧୨/୧୯ରେ ଏକ କେସରୁଜ କରି ଶବ ଜବତ କରିଥିବା ସେକେଣ୍ଡ ଅଫିସର ରବୀନ୍ଦ୍ର କୁମାର ନନ୍ଦଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି