ଆଇଆଇଟି କ୍ୟାମ୍ପସ୍ ରୁ ବି. ଟେକ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ପୋଲିସ ଖୋଜୁଛି
ଜଟଣୀ, ---: ଜଟଣୀ ଅରଗୁଳ ସ୍ଥିତ ଆଇଆଇଟି ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଇଆଇଟିରେ ପଢୁଥିବା ବି. ଟେକ୍ ର ତୃତୀୟ ବର୍ଷର ଛାତ୍ରୀଙ୍କ ମୃତଦେହ କ୍ୟାମ୍ପସ୍ ପରିସରରୁ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ହେଲେ ଦିଲ୍ଲୀର କ୍ରିତିକା ରାଜ(୨୧)। ତେବେ କ୍ରିତିକା କ୍ୟାମ୍ପସ୍ ହଷ୍ଟେଲରେ ରହୁଥିଲେ। କିନ୍ତୁ ଗତକାଲି ରାତିରେ ପ୍ରଶାସନିକ ଭବନ ତଳୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଛାତ୍ରୀଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ମାନସିକ ରୋଗ ଜନିତ ଔଷଧ ଖାଉଥିବା ପୁଲିସ କହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଆଇଆଇଟି କ୍ୟାମ୍ପସ୍ ରେ ଥିବା ପାଞ୍ଚ ମହଲା ବିଶିଷ୍ଟ ପ୍ରଶାସନିକ ଭବନ ନିକଟରେ ଏକ ଶବ୍ଦ ହୋଇଥିଲା। ଶବ୍ଦ ଶୁଣି ପାଖରେ ନିୟୋଜିତ ଥିବା ସିକ୍ୟୁରିଟି ଗାର୍ଡ ଘଟଣାସ୍ଥଳରେ ପହଞ୍ଚି ଜଣେ ଛାତ୍ରୀ ମୁହଁ ମାଡ଼ି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ଅନ୍ୟ ସିକ୍ୟୁରିଟିଙ୍କୁ ଅବଗତ କରାଇଥିଲେ। ଘଟଣାସ୍ଥଳରେ କର୍ତୃପକ୍ଷ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ହସ୍ପିଟାଲରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା। ତେବେ ଛାତ୍ରୀ ଜଣଙ୍କ ମାନସିକ ରୋଗ ଜନିତ ମେଡିସିନ୍ ଖାଉଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି। ତେବେ ଏହାରି ମଧ୍ୟରେ ଗତକାଲି ଛାତ୍ରୀଙ୍କ ମୃତଦେହ କ୍ୟାମ୍ପସ୍ ପରିସରରୁ ଉଦ୍ଧାର କରାଯାଇଛି। ପ୍ରଶାସନିକ ଭବନ ଉପର ମହଲା ଝରକା ବାଟେ ତଳକୁ ଡେଇଁ ପଡ଼ିଥିବା ପୁଲିସ ସନ୍ଦେହ କରୁଛି। ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍ କୁ ପଠାଇ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିଛି ପୁଲିସ। ଏ ନେଇ ଥାନାରେ ଏକ କେସ୍ ନଂ ୩୦/୨୪ ରେ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି ପୁଲିସ। ଛାତ୍ରୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ମୃତ୍ୟୁ ପଛରେ ପ୍ରକୃତ କ’ଣ କାରଣ ରହିଛି ତାହା ତଦନ୍ତ କଲେ ଜଣାପଡ଼ିବ ବୋଲି ପୋଲିସ କହିଛି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୯/୨୦୨୪--- ୧୧,୪୦ Sakhigopal News,5/9/2024