Breaking News

ତଥାପି ଭୁଲି ହେଉନି . ଗସମାହା ମାଓ ଅପରେସନ କୁ ୧୬ ବର୍ଷ ପୁରିଲା



ଭଞ୍ଜନଗର / ଗଞ୍ଜାମ - କନ୍ଧମାଳ ସୀମାନ୍ତରେ ହୋଇଥିବା “ଗସମାହା” ଅପରେସନ୍ କୁ ୧୬ ବର୍ଷ ପୁରିଲା  । ଏ‌ହି ଘଟଣା , ସମଗ୍ର ରାଜ୍ୟକୁ  ଚହଲାଇ ଦେଇଥିଲା । ଫେବୃଆରୀ ୧୫ ତାରିଖ ସନ୍ଧ୍ୟାରେ ,ନୟାଗଡ଼ ପୋଲିସ ବେରେକ୍ , ଥାନା ଓ ପୋଲିସ ଅସ୍ତ୍ରାଗାରକୁ , ଯୋଜନାବଦ୍ଧ ଭାବେ ଘେରି ଯାଇଥିଲେ ସଶସ୍ତ୍ର ମାଓବାଦୀ । ଦୀର୍ଘ ସମୟ ଧରି ନୟାଗଡ଼ ସହରର ବିଭିନ୍ନ ସ୍ଥାନକୁ ନିଜ ଅବଦାନ ରେ ରଖିଥିଲେ ସେମାନେ । ପୋଲିସ ଅସ୍ତ୍ରାଗାର ରୁ ବହୁସଂଖ୍ୟାକ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ ସଶସ୍ତ୍ର ମାଓବାଦୀ । ଲୁଟ୍ ଅସ୍ତ୍ରଶସ୍ତ୍ର କୁ ନେଇ ଚାଲିଆସିଥିଲେ ଗଂଜାମ – କନ୍ଧମାଳ ସୀମାନ୍ତରେ ରହିଥିବା “ଗସମାହା” ଜଙ୍ଗଲକୁ । ସେଠି ଉଭୟ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ  ଘମାଘୋଟ ଲଢେଇ ହୋଇଥିଲା । ସେହି ଘଟଣାର ଦୀର୍ଘ ୧୬ ବର୍ଷ ପରେ ଗସମାହା ଅଞ୍ଚଳର ପରିସ୍ଥିତି ଏବେ ବି ମନରୁ ଲିଭିନି  ।
ଗତ ୨୦୦୮ ଫେବୃଆରୀ ୧୬ । ଦିନ ପ୍ରାୟ ୩ ଟା । ଗଂଜାମ – କନ୍ଧମାଳ  ସୀମାନ୍ତ ଗସମାହା ଜଙ୍ଗଲରେ ରହିଥିବା ମାଓବାଦୀଙ୍କୁ ଘେରି ଯାଇଥିଲେ ସଶସ୍ତ୍ର ପୋଲିସ୍ ବାହିନୀ । ସାମିଲ ହୋଇଥିଲେ ସିଆରପିଏଫ୍ ଏବଂ ଏସଓଜି ବାହିନୀ ।  ମାଓବାଦୀଙ୍କୁ ଲକ୍ଷ୍ୟକରି ଆରମ୍ଭ ହେଲା ଗୁଳିମାଡ଼ । ପାହାଡ଼ ଉପରେ ରହିଥିବା ମାଓବାଦୀଙ୍କ ପକ୍ଷରୁ ମଧ୍ୟ  ପାଲଟା ଆକ୍ରମଣ ହେଲା । ଦୀର୍ଘ ସମୟଧରି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଲା । ୩ ଜଣ ଜବାନ ଶହୀଦ୍ ହୋଇଗଲେ । ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । 
ଏହି ଘଟଣାର ସୂତ୍ରପାତ ଘଟିଥିଲା ପୂର୍ବଦିନ ଅର୍ଥାତ୍ ୧୫ ଫେବୃଆରୀ ରାତିରେ । ଲୁଟ୍ ଅସ୍ତ୍ରଶସ୍ତ୍ର କୁ ଦୁଇଟି ୪୦୭ ଗାଡ଼ିରେ ନେଇ  ଗଂଜାମ -କନ୍ଧମାଳ ସୀମାନ୍ତ ଗସମାହା ଜଙ୍ଗଲ ଅଭିମୁଖେ ଆସିଥିଲେ । 
ଆସିବା ରାସ୍ତାରେ ଗଂଜାମ ଓ ନୟାଗଡ଼ ଜିଲ୍ଲାର ୫ ଟି ଥାନା ଉପରେ ଆକ୍ରମଣ କରିଥିଲେ ମାଓବାଦୀ । ଶେଷରେ ଗଂଜାମ ଗାଲେରୀ ଗାଁ ଠାରେ ରହିଥିବା ପୋଲିସ ଫାଣ୍ଡି କୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ । ସେଠାରୁ ଚାଲିଆସିଥିଲେ ଗସମାହା ଜଙ୍ଗଲକୁ । ସେତେବେଳେ ଗାଲେରୀ ଓ ଆଖପାଖ ଗାଁ ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡ଼ିଥିଲେ । ସେହି ସମୟରେ ମାଓବାଦୀଙ୍କ ବର୍ବର କାଣ୍ଡକୁ ଦେଖିଥିଲେ ସ୍ଥାନୀୟ ଅଞ୍ଚଳର କିଛି ପ୍ରତ୍ୟକ୍ଷଦର୍ଶୀ ।
ଗସମାହା ଅପରେସନ ସମୟରେ ନୟାଗଡ଼ ପୋଲିସ ଅସ୍ତ୍ରାଗାରରୁ ଲୁଟ୍ ହୋଇଥିବା ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଏବଂ ମାଓବାଦୀ ମାନେ ବ୍ୟବହାର କରୁଥିବା କିଛି ଅସ୍ତ୍ରଶସ୍ତ୍ର ସମେତ ମାଓ ସରଞ୍ଜାମ ଜଙ୍ଗଲ ଭିତରୁ ଉଧାର କଲା ପୋଲିସ ।  ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ଏକପ୍ରକାର ଭୟଭୀତ କରିଦେଇଥିଲା । ଲୋକେ ଘରୁ ପଦାକୁ ବାହାରି ପାରିନଥିଲେ । ବିସ୍ଫୋରଣରେ ନଷ୍ଟ ହୋଇଥିବା ଗାଲେରୀ ଫାଣ୍ଡି ର ଜରାଜୀର୍ଣ୍ଣ ଦୃଶ୍ୟ ।  ଏବେ ସ୍ଥାନୀୟ ଅଞ୍ଚଳର ରାସ୍ତାଘାଟ ଠାରୁ ଆରମ୍ଭ କରି ଲୋକଙ୍କ ମୌଳିକ ଆବଶ୍ୟକତା ରେ ବ‌ହୁ ଉନ୍ନତି ହୋଇଛି । ରାସ୍ତା ଘାଟ , ବିଜୁଳି , ପିଇବା ପାଣି ଏବଂ ସରକାରୀ ଯୋଜନା ସମୁଦାୟ ଅଞ୍ଚଳରେ ପହଞ୍ଚି ପାରିଛି । ଯେଉଁ ଉପାନ୍ତ ଅଞ୍ଚଳର ବିକାଶ ଏବଂ ଆଦିବାସୀ ଓ ଗରୀବ ଲୋକଙ୍କ ମୌଳିକ ଅଧିକାରକୁ ନେଇ ମାଓ ସଂଗଠନ ଗୁଡିକ ସଶସ୍ତ୍ର ସଂଗ୍ରାମ କରୁଥିଲେ , ସେହି ଆବଶ୍ୟକତା ଏବେ ଲୋକଙ୍କର ପ୍ରାୟତଃ ପୁରଣ ହୋଇପାରିଛି । ସ୍ଥାନୀୟ ଲୋକଙ୍କ ଭିତରେ ମଧ୍ୟ , ସକରାତ୍ମକ ମନୋଭାବ ସୃଷ୍ଟି ହୋଇପାରିଛି । ସେହି ଦୃଷ୍ଟିରୁ , ସଂପୃକ୍ତ ଅଞ୍ଚଳବାସୀ ଏବେ ମାଓ ଆତଙ୍କକୁ ଆଉ ପସନ୍ଦ କରୁନଥିବା ଲକ୍ଷ କରାଯାଉଛି । 
ହେଲେ , ବେଳେବେଳେ ଗସମାହା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ରହିଥିବା ଆଶଙ୍କା ଏଯାଏଁ  ଲୋକଙ୍କ ମନରୁ ଦୂର ହୋଇପାରିନି  । ଯଦିଓ ଏ ସଂକ୍ରାନ୍ତରେ ପୋଲିସ ବିଭାଗ ପକ୍ଷରୁ କୋୖଣସି ସୂଚନା ମିଳିନାହିଁ , ତଥାପି ଅଞ୍ଚଳରେ ଶାନ୍ତିର ବାତାବରଣ ରହିଥିବା ଅନୁମାନ କରାଯାଉଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୨/୨୦୨୪---୧୦,୨୫ Sakhigopal News,17/2/2023

Blog Archive

Popular Posts