ସାକ୍ଷୀଗୋପିନାଥ ଆଜି ଠାରୁ ଶ୍ରଦ୍ଧାଳୁ ମାନଙ୍କୁ ଦୋଳପୂର୍ଣ୍ଣମୀ ପର୍ଯ୍ୟନ୍ତ ହୋଳି ବେଶରେ ଦର୍ଶନ ଦେଲେ
ସାକ୍ଷୀଗୋପାଳ --- ସାକ୍ଷୀଗୋପିନାଥ ମନ୍ଦିରରେ ମାଘ ମାସ ପଞ୍ଚମୀ ତିଥିରେ ବସନ୍ତୀ ପଞ୍ଚମି ନୀତି ପାଳିତ ହୋଇଯାଇଛି । ଶୀତ ଯୋଗୁ ପ୍ରଭୁ ଘୋଡଲାଗି ବେଶରେ ରେଶମ ଚନ୍ଦରରେ ଘୋଡି ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଉଥିଲେ । ଆଜି ସାକ୍ଷୀଗୋପିନାଥଙ୍କ ଗୋଧନ ବାହୁଡା ଭୋଗ ପରେ ଓଡଣି ଷଷ୍ଠିଠାରୁ ଲାଗି ହୋଇଥିବା ଘୋଡ ଓଲାଗି କରାଯାଇଥାଏ । ଆଜି ଠାରୁ ଦୋଳପୂର୍ଣ୍ଣମୀ ପର୍ଯ୍ୟନ୍ତ ଠାକୁର ହୋଳି ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି । ଠାକୁର ଘେର, ପାଇଜାମା, ପଗଡି ପରିଧାନ କରିବା ସହ ଗଜମୁକ୍ତା, ବଂଶି, କୁଣ୍ଡଳ ସହିତ ବିଭିନ୍ନ ସୁନା ଅଳଙ୍କାର ମାନ ପରିଧାନ କରିଥାନ୍ତି । ଯାତ ଭୋଗ ପରେ ସାକ୍ଷୀଗୋପିନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ଦୋଳଗୋବିନ୍ଦ ସୁସଜିତ ବିମାନରେ ବସନ୍ତପଞ୍ଚମି ବେଦୀକୁ ବିଜେ କରିବାପରେ ସେଠାରେ କେତକୀ ଓ ପଞ୍ଚ ପଲ୍ଲଭ ଲାଗି କରାଯାଇଥାଏ । ପରେ ପରେ ଖଇ, କେରା, ଚଣା, ସାକର, ପାଚିଲା କଦଳୀ ଭୋଗ କରାଯିବା ସହ ନୀତିକାନ୍ତି ଶେଷ ହେବାପରେ ପୁନଶ୍ଚ ମନ୍ଦିରକୁ ବିଜେ କରିଥାନ୍ତି । ପରେ ମନ୍ଦିରରେ ଥିବା ଅନ୍ୟ ନୀତିକାନ୍ତି ଶେଷ କରାଯାଇଥାଏ । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀଙ୍କ ତତ୍ୱବଧାନରେ ସମସ୍ତ ନୀତିକାନ୍ତି କରାଯାଇଥିଲା ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୨/୨୦୨୪---୬,୨୦ Sakhigopal News, 15/2/2024