ଭକ୍ତଙ୍କ ଗହଣରେ ମା ମଣ୍ଡପଙ୍କୁ ବିଜେକଲେ, ବାଣ ପଟୁଆରରେ ଦୁଲୁକିଲା ଠାକୁରାଣୀ ଯାତ୍ରା ର ପ୍ରଥମ ଦିନ
ଭଞ୍ଜନଗର – ଆରମ୍ଭ ହେଲା ବହୁ ପ୍ରତିକ୍ଷିତ ଭଞ୍ଜ ନଗର ଠାକୁରାଣୀ ଯାତ୍ରା । ଯାତ୍ରାର ବିଶେଷତ୍ବ ଥିଲା ଭଞ୍ଜ ପୀଠ କୁଲାଡ ଗାଁ ର ଅଧିଷ୍ଠାତ୍ରୀ ଦେବୀ ମା’ ବାଗଦେବୀ ଙ୍କୁ ନିମନ୍ତ୍ରଣ । ମା’ଙ୍କ ମଥାରୁ ଆଜ୍ଞାମାଳ ଖସିବା ଏବଂ ପରମ୍ପରା ଅନୁଯାୟୀ ଶଗଡ଼ରେ ବିଜେ ହୋଇ ବାପଘର ଭଂଜନଗର ର ଅସ୍ଥାୟୀ ପୀଠକୁ ଆସିବା । ଦୀର୍ଘ ଆଠ କିଲୋମିଟର ଦୂର ଶଗଡ଼ରେ ମା’ ଆସିବା ସମୟରେ ରାସ୍ତାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଭଞ୍ଜନଗର ର ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ଦିନରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ସଜେଇ ହୋଇଥିବା ଶଗଡ଼ କୁ ଧରି , ଭଂଜନଗର ଠାକୁରାଣୀ ଯାତ୍ରାର ଅସ୍ଥାୟୀ ପୀଠରୁ , କୁଲାଡ଼ ଗାଁ ସ୍ଥିତ ମା’ବାଗଦେବୀଙ୍କ ପୀଠକୁ ବାହାରିଥିଲେ ଆୟୋଜକ କମିଟି ଓ ଭକ୍ତ । ମା’ଙ୍କୁ ନିମନ୍ତ୍ରଣ କରିଥିଲେ । ମା' ଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିବା ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା , ନିମନ୍ତ୍ରଣ ପାଇ ଯାତ୍ରାକୁ ଯିବାପାଇଁ ଚାହିଁ ରହିଥିବା , ମା’ ବାଗଦେବୀଙ୍କ ସମ୍ମତି । ଘଣ୍ଟ-ଘଣ୍ଟା ଓ ଜୟ ଜୟକାର ଧ୍ବନିରେ ଭିତରେ , ମା’ଙ୍କ ମଥାରୁ ଆଜ୍ଞାମାଳ ଖସିବାର ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଜ୍ଞାମାଳ ପାଇବା ପରେ , ମା’ବାଗଦେବୀ ଙ୍କୁ ଶଗଡ଼ରେ ବିଜେ କରାଇ ଭଂଜନଗର ଅସ୍ଥାୟୀ ପୀଠ ଅଭିମୁଖେ ବାହାରିଥିଲେ ଭକ୍ତ । ମା'ଙ୍କ ଏହି ଅଲୌକିକ ଗସ୍ତ କୁ ଦର୍ଶନ କରିବା ପାଇଁ ,ରାସ୍ତା ରେ ଜଗି ରହିଥିଲେ ହଜାର ହଜାର ସଂଖ୍ୟକ ପୁରୁଷ ଓ ମହିଳା ଭକ୍ତ । ସଂଧ୍ୟାରେ ଭଂଜନଗର ନିକଟ “ମା'ବାଟ ବାଗଦେବୀ” ଙ୍କ ପୀଠରେ ପହଞ୍ଚି, କିଛି ସମୟ ବିଶ୍ରାମ ନେବାପରେ , ଅଧର ପଣା ଓ ସନ୍ଧ୍ୟା ଆଳତି ସମ୍ପନ୍ନ ହୋଇଥିଲା । ସେଠାରୁ ଅସ୍ଥାୟୀ ପୀଠ ଅଭିମୁଖେ ବିରାଟ ବାଣ-ପଟୁଆର ରେ ବାହାରିଥିଲେ ମା’ ବାଗଦେବୀ । ପରମ୍ପରା ଅନୁଯାୟୀ ଭଂଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ପୁରୋଧା ଭାବେ ଦାୟିତ୍ଵ ତୁଲାଇଥିଲେ । ଏହା ସହ ସ୍ଥାନୀୟ ବିଧାୟକ ତଥା ଓଡ଼ିଶାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ , ମା’ଙ୍କ ଆଗମନ ଯାତ୍ରା ରେ ସାମିଲ ହୋଇଥିଲେ । ବିଳମ୍ବିତ ରାତିରେ ଅସ୍ଥାୟୀ ପୀଠରେ ପହଞ୍ଚିଥିଲେ ମା’ ବାଗଦେବୀ । ସେଠାରୁ, ଠାକୁରାଣୀ ଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲେ ଭକ୍ତ । ସେଠି ପୁଣି ମା’ ଠାକୁରାଣୀଙ୍କ ମଥାରୁ ଆଜ୍ଞାମାଳ ଖସିବାପରେ ତାହା ଗ୍ରହଣ କରି ମା’ ଙ୍କୁ ନିମନ୍ତ୍ରଣ କରି ଆଣିଥିଲେ , ଦେଶୀବେହେରା ପରିବାର ର ମହିଳାମାନେ । ପ୍ରଥମ ଦିନରେ ଉଭୟ ମା’ବାଗଦେବୀ ଏବଂ ମା'ଠାକୁରାଣୀ ଙ୍କୁ ନିମନ୍ତ୍ରଣ ଏବଂ ଅସ୍ଥାୟୀ ପୀଠରେ ବିଜେ ନୀତି ମହା ଆଡ଼ମ୍ବରରେ ରେ ଗୁରୁବାର ଭୋର ସମୟରେ ଶେଷ ହୋଇଛି । ଗୋଟିଏ ଦିନ ମା’ ଙ୍କ ବିଶ୍ରାମ ପରେ , ଶୁକ୍ରବାର ଠାରୁ ଆରମ୍ଭ ହେବ ମା'ଙ୍କ ନଗରଭ୍ରମଣ ଯାତ୍ରା । ଯାହା ଗତ ୬ ବର୍ଷଧରି ଭଞ୍ଜନଗର ତଥା ଓଡିଶା ଏବଂ ଓଡିଶା ବାହାରର ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଚାହିଁ ରହିଥିଲେ ଏହି ଯାତ୍ରା ଦେଖିବା ପାଇଁ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୫/୨୦୨୩----୧,୪୫ Sakhigopal News,5/5/2023