ବାଲିଗୁଡ଼ାରେ ବଡ଼ ଧରଣର ଲୁଟ; ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଲୁଟେରା
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁନାପାଙ୍ଗା ସାହିରେ ବଡ଼ ଧରଣର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସୁନାପାଙ୍ଗା ସାହିର ସ୍ବପ୍ନେଶ୍ବର ସାହୁଙ୍କ ଘରୁ ବଡ଼ ଧରଣର ଲୁଟ୍ ହୋଇଥିବା ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ସ୍ବପ୍ନେଶ୍ବର ସାହୁ ନିଜ ପରିବାର ସହ ଦୁଇଦିନ ପାଇଁ ଭଞ୍ଜନଗର ସ୍ଥିତ ନିଜ ସମ୍ପର୍କୀୟଙ୍କ ଏକ ଭୋଜିରେ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ସେ ଭୂବନେଶ୍ବର ଯାଇଥିଲେ । ଦୁଇଦିନ ପରେ ଅର୍ଥାତ୍ ଗତକାଲି ସନ୍ଧ୍ୟା ସମୟରେ ଘରକୁ ଫେରିଥିବା ବେଳେ ଘରର ମୁଖ୍ୟ କବାଟ ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ଏହାପରେ ବାଲିଗୁଡ଼ା ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ସନ୍ଧାନି କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି । ଗତ କିଛି ଦିନ ହେବ ବାଲିଗୁଡ଼ା ଅଞ୍ଚଳରେ ଚୋରି, ଡକାୟତି ଘଟଣା ବୃଦ୍ଧି ପାଉଥିବା ବେଳେ ଅଞ୍ଚଳବାସୀ ଏକ ପ୍ରକାର ଭୟଭୀତ ଅବସ୍ଥାରେ ଥିବା ଜଣାପଡ଼ିଛି । ସ୍ବପନେଶ୍ବରଙ୍କ ଘରୁ ପ୍ରାୟ ୪୨ ଭରି ସୁନା, ପାଖାପାଖି ୫କେଜିର ରୂପା ଓ ନଗଦ ଅଢ଼େଇ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିବା ଜଣାପଡ଼ିଛି । ସେପଟେ ପୋଲିସ୍ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଦିନରାତି ପେଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ସହ ଅଞ୍ଚଳବାସୀଙ୍କ ଧନଜୀବନ ପ୍ରତି ଗୁରୁତ୍ବ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଥିବା ଜଣାପଡ଼ିଛି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୪/୨/୨୦୨୩---୮,୫୦ Sakhigopal News,24/2/2023