ଅବ୍ୟବସ୍ଥାରେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ, କଟକ ସି.ଡି.ଏମ୍ଙ୍କୁ ଭେଟିଲା ବାଙ୍କୀ ଯୁବକଂଗ୍ରେସ ଟିମ୍ , ସମାଧାନ ନହେଲେ ଆନ୍ଦୋଳନ
ବାଙ୍କୀ--- ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ଓ ଏହା ଅଧିନରେ ରହିଥିବା ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଚାଳନା ତ୍ରୁଟି ଯୋଗୁଁ ଏବେ ଅତ୍ୟନ୍ତ ଅବ୍ୟବସ୍ଥା ଦେଇ ଗତିକରୁଛି ଚିକିତ୍ସାଳୟ ଗୁଡିକ । ଏହାର ପ୍ରତିବାଦ ଓ ତୁରନ୍ତ ସମାଧାନ ନେଇ ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ.ସ୍ମୃତିରଞ୍ଜନ ଲେଙ୍କାଙ୍କ ନିର୍ଦ୍ଦେଶକ୍ରମେ ବାଙ୍କୀ ବିଧାନ ସଭା ଯୁବକଂଗ୍ରେସ ପକ୍ଷରୁ ବିଧାନ ସଭା ଯୁବକଂଗ୍ରେସ ସଭାପତି ବିଭୂତି ଭୂଷଣ ଦଳସିଂହ ରାୟଙ୍କ ନେତୃତ୍ୱରେ ଏକ ୬ଜଣିଆ ପ୍ରତିନିଧି ମଣ୍ଡଳୀ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସତ୍ୟବ୍ରତ ଛୋଟରାୟଙ୍କୁ ସାକ୍ଷାତ କରି ୧୦ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯୋଗ୍ୟ ପ୍ରଶାସନିକ ଅବହେଳା ପାଇଁ ବାଙ୍କୀର ମୁଖ୍ୟ ଚିକିତ୍ସାଳୟ ନିଜର ସତ୍ତା ହରାଇବାରେ ଲାଗିଛି । ବାଙ୍କୀ ନିର୍ବାଚନୀ ମଣ୍ଡଳୀର ଏହା ସବୁଠାରୁ ବଡ ଡାକ୍ତରଖାନା ହୋଇଥିବା ବେଳେ ଏଠାରେ ଲୋକଙ୍କୁ ଉପଯୁକ୍ତ ସେବା ମିଳିପାରୁ ନାହିଁ । ଏହା ବ୍ୟତିତ ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ୍ୱ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ କୌଣସି ଭେଷଜ ବିଶେଷଜ୍ଞ ନାହାଁନ୍ତି । ଯେଉଁ ଡାକ୍ତରଙ୍କ ବିନା କୌଣସି ଚିକିତ୍ସା ଚାଲିବା ସମ୍ଭବ ନୁହେଁ । ୧୪ଟି ବିଭାଗର ଡାକ୍ତରଙ୍କ ନିଯୁକ୍ତି ସତ୍ତ୍ୱେ ୨୪ଘଣ୍ଟିଆ ସେବା ମିଳିପାରୁ ନାହିଁ । ଏହା ବ୍ୟତିତ ଉପଖଣ୍ଡ ଚକିତ୍ସା ଅଧିକାରୀଙ୍କୁ ଚିକିତ୍ସାଳୟରେ ଦେଖିବାକୁ ମିଳୁ ନାହିଁ । ଯାହା ଦ୍ୱାରା କୌଣସି ସମସ୍ୟା ନେଇ ତାଙ୍କ ସହ ଆଲୋଚନା ମଧ୍ୟ ହୋଇ ପାରୁନାହିଁ । ଉପଖଣ୍ଡ ଚିକିତ୍ସା ଅଧିକାରୀ ଏଠାକୁ ଡେପୁଟେସନରେ ଆସିବା ଫଳରେ ତାଙ୍କର କୌଣସି ଆର୍ଥିକ କ୍ଷମତା ନଥିବାରୁ ପ୍ରଶାସନିକ ଅବ୍ୟବସ୍ଥା ଦେଖାଦେଇଛି । ନିଶ୍ଚେତକ ପାଇଁ ଯେଉଁ ଡାକ୍ତର ଏଠାକୁ ଡେପୁଟେସନରେ ଆସିଛନ୍ତି ସେ ଅନ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଛନ୍ତି । ଯାହା ଦ୍ୱାରା ରୋଗୀମାନେ ମାତ୍ରାଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚିକିତ୍ସାଳୟରେ ୭ଟି ଫାର୍ମାସିଷ୍ଟ ରହିଥିବା ବେଳେ ଏବେ ୫ଜଣ କାର୍ଯ୍ୟ କରୁଛନ୍ତି । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ରହିଥିବା ଡାକ୍ତର ରାତିରେ କାର୍ଯ୍ୟ କରୁନାହାଁନ୍ତି । ଡାକ୍ତରଙ୍କ ପାଇଁ ସରକାରୀ କ୍ୱାଟର୍ସ ରହିଥିବା ବେଳେ କେହିବି ଡାକ୍ତର ସେଠାରେ ରହୁନାହାଁନ୍ତି । ସେମାନଙ୍କ ସ୍ଥାନରେ ଅନ୍ୟକର୍ମଚାରୀମାନେ ଡାକ୍ତରଙ୍କ କ୍ୱାଟରେ ରହୁଛନ୍ତି । ଡାକ୍ତରଙ୍କ ଅବହେଳା ଯୋଗୁଁ ଚିକିତ୍ସାଳୟରେ ରହିଥିବା ବ୍ଲଡ୍ ବ୍ୟାଙ୍କ କାର୍ଯ୍ୟକ୍ଷମ ହେଉନାହିଁ । ସରକାରଙ୍କ ପକ୍ଷରୁ ଡାକ୍ତରଖାନା କାନ୍ଥରେ ମରାଯାଇଥିବା ଔଷଧ ଚିକିତ୍ସାଳୟରେ ଉପଲବ୍ଧ ହେଉନଥିବା ଅଭିଯୋଗ କରାଯାଇଛି । ସମାନ୍ୟତମ ଔଷଧ ପାଇଁ ବାହାରୁ କିଣିବା ପାଇଁ ପଠା ଯାଉଛି । ଚିକିତ୍ସା ପାଇଁ ଯେଉଁ ସବୁ ଅତ୍ୟାଧୁନିକ ଯନ୍ତ୍ର ଚିକିତ୍ସାଳୟରେ ରହିଛି ସେ ସବୁର ବ୍ୟବହାର କରାଯାଉନଥିବାରୁ କଳଙ୍କି ଲାଗିଗଲାଣି । ଯାହାଦ୍ୱାରା ବାହାରେ ଲୋକମାନେ ଅଧିକ ଅର୍ଥ ବ୍ୟୟ କରି ସମସ୍ତ ପ୍ରକାର ପରୀକ୍ଷା କରି ରିପୋର୍ଟ ଆଣୁଛନ୍ତି । ଚିକିତ୍ସାଳୟରେ କର୍ମଚାରୀମାନଙ୍କର ରୋଗୀମାନଙ୍କ ପ୍ରତି ବ୍ୟବହାର ଠିକ୍ ରହୁନାହିଁ । ଅତିରୁ ଅତି ସାମାନ୍ୟ ଚିକିତ୍ସା ପାଇଁ ଏଠାରୁ ରୋଗୀମାନଙ୍କୁ କଟକ କିମ୍ବା ଅନ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ଉପସ୍ଥିତ ଥିବା ଡାକ୍ତରମାନେ ପରାମର୍ଶ କରୁଛନ୍ତି । ଯାହା ଦ୍ୱାରା ଅନେକାଂଶରେ ରୋଗୀଙ୍କ ଜୀବନ ଚାଲିଯିବାର ଆଶଙ୍କା ଦେଖାଯାଉଛି । ଏ ସବୁ ସମସ୍ୟାର ସମାଧାନ ପାଇଁ ଯୁବ କଂଗ୍ରେସ ପ୍ରତିନିଧି ଦଳ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଛୋଟରାୟ ସମସ୍ୟା ଗୁଡିକର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଜଣାଇବା ସହ ତାଙ୍କ ସ୍ତରରେ ଯାହା ସମ୍ଭବ ସେ ସବୁକୁ ଯଥା ଶୀଘ୍ର ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ଏ ସମସ୍ୟା ଗୁଡିକର ଯଦି ସମାଧାନ ନହୁଏ ତେବେ ବାଙ୍କୀ ଯୁବକଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଛୋଟରାୟଙ୍କୁ ଜଣାଇଛନ୍ତି । ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଭେଟିଥିବା ପ୍ରତିିନିଧି ଦଳରେ ବାଙ୍କୀ ବିଧାନ ସଭା ଯୁବକଂଗ୍ରେସ କାର୍ଯ୍ୟକାରୀ ସଭାପତି ସୋମନାଥ ପଣ୍ଡା, ଡମପଡ଼ା ବ୍ଲକ ଯୁବକଂଗ୍ରେସ ଉପସଭାପତି ଆକାଶ ବେଉରା, କଟକ ଜିଲ୍ଲା ଯୁବକଂଗ୍ରେସର ପୂର୍ବତନ ସଂପାଦକ ରଶ୍ମିରଞ୍ଜନ ପଣ୍ଡା, ସୌମ୍ୟ ରଞ୍ଜନ ବେଉରା ଓ ଗଗନ ବେହେରା ପ୍ରମୁଖ ସାମିଲ୍ ହୋଇଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୪/୧୨/୨୦୨୨---୧୨,୫୫ Sakhigopal 4/12/2022