ସଡ଼କ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଉତ୍ତେଜନା ; କ୍ଷତିପୂରଣ ଦାବିରେ ରାସ୍ତାରୋକ,ପ୍ରତିଶ୍ରୁତି ମିଳିବା ପରେ ହଟିଲା ରାସ୍ତାରୋକ
ବାଲିଗୁଡ଼ା :ପ୍ରଶାସନର ପ୍ରତିଶୃତି ପାଇବା ପରେ ଦୀର୍ଘ ତିନି ଘଣ୍ଟା ପରେ ହଟିଲା ରାସ୍ତାରୋକ । ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁରୁବାଲି ବୁଲାଣି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ମୃତ ଯୁବକ ଦୁଇଜଣ ବଡ଼ଗାଁ ଅଞ୍ଚଳର ରାକେଶ ମଲ୍ଲିକ ଓ (ଲିଚୁ) ଅଚ୍ୟୁତାନନ୍ଦ ନାୟକ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଗତ କାଲି ରାତି ପ୍ରାୟ ୧୦ଟା ସମୟରେ ବଡ଼ଗାଁ ଅଞ୍ଚଳର ଦୁଇ ଜଣ ଯୁବକ ରାକେଶ ମଲ୍ଲିକ ଓ (ଲିଚୁ) ଅଚ୍ୟୁତାନନ୍ଦ ନାୟକ ମହାସିଙ୍ଗି ଆଡୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ବେଳେ ସୁରୁବାଲି ଗାଁ ନିକଟ ବୁଲାଣି ରାସ୍ତାରେ ଏକ ଗାଡ଼ି ଆଗପଟରୁ ଧକ୍କା ଦେଇଥିଲା । ଫଳରେ ଦୁଇ ଯୁବକ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିଲେ । ଖବରପାଇ ବାଲିଗୁଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସେପଟେ ଘଟଣାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଥିଲା। କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖ ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ସମ୍ପୃକ୍ତ ଠିକା ସଂସ୍ଥା ମୃତକଙ୍କ ପରିବାରକୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଦୀର୍ଘ ତିନି ଘଣ୍ଟା ପରେ ହଟିଲା ରାସ୍ତାରୋକ ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୦/୧୨/୨୦୨୨---୮,୨୦ Sakhigopal News,20/12/2022