ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଆ ‘ଭାଷା ଆଇନ’ ପୁସ୍ତକ ଉନ୍ମୋଚନ କରିଛନ୍ତି
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଆ ‘ଭାଷା ଆଇନ’ ପୁସ୍ତକ ଉନ୍ମୋଚନ କରିଛନ୍ତି।ଭିଡିଓ କନ୍ଫରେନ୍ସିଂ ଜରିଆରେ ପୁସ୍ତକଟିକୁ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଭାଷା ହେଉଛି ଗୋଟିଏ ଜାତିର ଶ୍ରେଷ୍ଠ ସଂପଦ ଓ ସବୁଠାରୁ ବଡ ପରିଚୟ। ଓଡିଆ ଭାଷା ବହୁ ପୁରୁଣା ଭାଷା ଏବଂ ଓଡିଆ ଭାଷାକୁ ନେଇ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ, ଓଡିଶା ଗଠିତ ହୋଇଥିଲା। ଯୁବ ସମାଜ ମଧ୍ୟରେ ଓଡିଆ ଭାଷା ପ୍ରତି ଆଦର ବୃଦ୍ଧି ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ୨୦୩୬ରେ ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପାଳନ କରାଯିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ଏବଂ ଆଗକୁ ମଧ୍ୟ ନିଆଯିବ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଓଡିଆ ଭାଷା ଆନ୍ଦୋଳନର ଆବାହକ ଶ୍ରୀ ପବିତ୍ର ମହାରଥାଙ୍କ ଦ୍ବାରା ସଂପଦିତ ତଥା ପ୍ରକାଶିତ ଏହି ପୁସ୍ତକରେ ୧୯୪୮ରୁ ୨୦୧୯ ପର୍ଯ୍ୟନ୍ତ ଓଡିଆ ସରକାରୀ ଭାଷା ଆଇନ ପ୍ରସ୍ତାବ ଠାରୁ ଆରମ୍ଭ କରି ସଂଶୋଧିତ ଦଣ୍ଡବିଧାନ ପର୍ଯ୍ୟନ୍ତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଧେୟକ, ଅଧିନିୟମ, ବିଜ୍ଞପ୍ତି, ନଥି ଓ ଚିଠିପତ୍ର ସ୍ଥାନିତ ହୋଇଛି। ପୁସ୍ତକଟିରେ ସମୁଦାୟ ୨୦ଟି ବିଷୟ ସ୍ଥାନିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପ୍ରକାଶକ ଶ୍ରୀ ସରୋଜ ବଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଭାଷା ଆନ୍ଦୋଳନର ଆବାହକ ଶ୍ରୀ ପବିତ୍ର ମହାରଥା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଶ୍ରୀ ଆର. ବାଲକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ଉପସ୍ଥିତ ଥିଲେ। ବିଶିଷ୍ଟ ଭାଷାବିତ୍ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ଡଃ ଭଗବାନ ପ୍ରକାଶ, ପ୍ରମେୟର ସଂପାଦକ ଶ୍ରୀ ଗୋପାଳ ମହାପାତ୍ର, ପ୍ରଗତୀବାଦୀର ସଂପାଦକ ଶ୍ରୀ ବିରୁପାକ୍ଷ ତ୍ରିପାଠୀ ନବକିଶୋର ପ୍ରଧାନ, ସାରଦା ପ୍ରସାଦ ମହାପାତ୍ର, ନିରଞ୍ଜନ ସାହୁ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୨୪/୧୨/୨୦୨୨---୧୨,୩୦ Sakhigopal News 24/12/2022