ଘରୁ ଡ଼ାକିନେଇ ହତ୍ୟା ଘଟଣାରେ , ୩ ଗିରଫ , ୨ ବାଇକ୍ ଜବତ
ଭଞ୍ଜନଗର - ପୂର୍ବ ଶତ୍ରୁତାକୁ ସମାଧାନ କରିବାକୁ କହି , ଘରୁ ଡାକି ନେଇ ଜଣକୁ ହତ୍ୟା ଏବଂ ଆଉ ମରଣାନ୍ତକ ଆକ୍ରମଣ ଘଟଣାରେ ୩ ଜଣକୁ ଗିରଫ କରିଛି ଗାଙ୍ଗପୁର ଥାନା ପୋଲିସ । ଘଟଣା ସମୟରେ ବ୍ୟବହୃତ ଗୋଟିଏ ବୁଲେଟ୍ ଏବଂ ଗୋଟିଏ ମୋଟରସାଇକେଲ ଜବତ ହୋଇଛି । ସୁଚନା ଯୋଗ୍ୟ ଯେ ଗତ ୧୩ ତାରିଖ ରାତିରେ ବଡବୋରସିଙ୍ଗି - ଖାରିଗୁଡା ରାସ୍ତା ରେ ଘଟିଥିଲା ଏଭଳି ଘଟଣା । ଭଂଜନଗର ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ କାଳିଆଗୁଡା ଗାଁ ର ଅମର ରାଉତଙ୍କ ର ମୃତ୍ୟୁ ହୋଇଥିବା ବେଳେ , ସେହି ଗାଁ ର ଶିବ ପ୍ରଧାନ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର ହୋଇଥିଲା । ପୂର୍ବ ଶତ୍ରୁତା ଏବଂ ଉଭୟ ଙ୍କ ମଧ୍ୟରେ ହୋଇଥିବା ଗାଳିଗୁଲଜ ଓ ଆକ୍ରମଣ ଘଟଣାର ସମାଧାନ କରିବାକୁ ,କାଳିଆଗୁଡା ଗାଁ ର ଅମର ଓ ଶିବ କୁ ଡ଼ାକିନେଇ ଥିଲେ ବଡ଼ବୋରସିଙ୍ଗି ଗାଁ କିଛି ଯୁବକ । ସେମାନେ ବଡବୋରସିଙ୍ଗି - ଖାରିଗୁଡା ରାସ୍ତାରେ , ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ୧୦ ରୁ ଉର୍ଦ୍ଧ୍ବ ଯୁବକ ମିଶି ଅମର ଓ ଶିବ କୁ ଅମାନୁସିକ ଭାବେ ଠେଙ୍ଗା ରେ ଆକ୍ରମଣ କରି ରାସ୍ତାରେ ପକାଇଦେଇ ଚାଲିଯାଇଥିଲେ । ପରେ ଅମର ର ବାପା ଡାକ୍ତର ରାଉତ ଘଟଣା ସ୍ଥଳରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅମର ରାଉତଙ୍କର ମୃତ୍ୟୁ ହୋଇଥିଲା । ଶିବ ପ୍ରଧାନ ର ଅବସ୍ଥା ଗୁରୁତର ଥିବାରୁ , ତାକୁ ବ୍ରହ୍ମପୁର ମେଡିକାଲ ପଠାଯାଇଥିଲା । ଏନେଇ ଗାଙ୍ଗପୁର ଥାନାରେ ୬୦୬/୨୨ ରେ ଏକ ମାମଲା ରୁଜୁ ହୋଇଥିଲା । ଘଟଣା ପରେ ବିଭିନ୍ନ ସ୍ଥାନରେ ଚଢାଉ କରି ବଡବୋରସିଙ୍ଗି ଗ୍ରାମର ରାଜା ମାଳି ଓରଫ୍ ସୈ।ମ୍ୟରଞ୍ଜନ ମହାପାତ୍ର , ମୁନା ଓରଫ୍ ସୁରେଶ କୁମାର ଭୋଳ , ପିଣ୍ଟୁ ଓରଫ୍ ଦୀପକ କୁମାର ପ୍ରଧାନଙ୍କୁ ପୋଲିସ ଗିରଫ କରିଥିଲା । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତ ଦିନରେ ହୋଇଥିବା ନିର୍ବାଚନୀ ଅସନ୍ତୋଷ ଓ ଦଳ ପରିବର୍ତ୍ତନକୁ ନେଇ ଉଭୟ ମୃତକ ଓ ଆକ୍ରମଣକାରୀଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା । ଏହି ସବୁ ଅସନ୍ତୋଷକୁ ନିଶାଣ କରି ଉଭୟେ ଉଭୟ ଙ୍କୁ ରାସ୍ତାରୁ ହଟାଇବା ପାଇଁ ଛକାପଞ୍ଝା ଚାଲିଥିଲା । ଏବଂ ଏହାକୁ ସଫଳ କରିବାକୁ ଛଳନା ଆରମ୍ଭ ହୋଇଥିଲା । ସମାଧାନ ବଦଳରେ ହେଲା ସଂଘବଦ୍ଧ ଆକ୍ରମଣ । ତେବେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ , ପୋଲିସ୍ ଚଢ଼ାଉ ଜାରି ରଖିଥିବା ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୧୨/୨୦୨୨---୮,୨୦ Sakhigopal News,20/12/2022