ଜାଗରଯାତ୍ର ପାଇଁ ବିଭିନ୍ନ ଶୈବ ପୀଠ ଗୁଡିକ ଚଳଚଞ୍ଚଳ
ସାକ୍ଷୀଗୋପାଳ ----- ସତ୍ୟବାଦୀ ଅଞ୍ଚଳରେ ଥିବା ବିଭିନ୍ନ ଶୈବ ପୀଠ ଗୁଡିକ ଜାଗରଯାତ୍ରା ପାଇଁ ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି । ମନ୍ଦିର ଗୁଡିକ ଧଉଳା ଯିବା ସହ ସଜାସଜି ଆରମ୍ଭ ହୋଇଯାଇଛି । କେତକ ଶୈବ ପୀଠଗୁଡିକରେ ରାମଲୀଳା, ପାଲା, ଯାତ୍ରା, ଭଜନ ସମାରୋହ ଆଦି କାର୍ଯ୍ୟକ୍ରମ କରାଯିବା ପାଇଁ ଯୋରସୋର ପ୍ରସ୍ତୁତି ଚାଲିଛି । ସେହିପରି ଠାକୁରଙ୍କ ପାଖରେ ନାମଯଜ୍ଞ, ବିଶ୍ୱଶାନ୍ତି ମହାଯଜ୍ଞର ମଧ୍ୟ ଆୟୋଜନ କରାଯାଇଛି । କେତକ ପୀଠରେ ଏବେ ଠାରୁ ଜାଗର ଭୋଗ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏ ବର୍ଷ ବାତ୍ୟ ଯୋଗୁ କେତକୀଫୁଲ ମିଳିବା କଷ୍ଠକର ହୋଇପଡିଛି । ଲୋକମାନେ କେତକୀ ଯାଗାରେ କିଆ ଫୁଲ ସଂଗ୍ରହ ପାଇଁ ଲାଗିପଡିଛିନ୍ତି । ଜାଗର ଦିନରେ ବାବା ଶୀପଙ୍କୁ କେତକୀ ଫୁଲ ଲାଗି କଲେ ବହୁ ପୁଣ୍ୟ ମିଳେ ବୋଲି ପୁରାଣରେ ବର୍ଣ୍ଣିତ ରହିଛି । ପ୍ରତିବର୍ଷ ପରି ବରାଳ ସ୍ଥିତ ବାଲୁଙ୍କେଶ୍ୱରମହାଦେବଙ୍କ ପୀଠରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅ ବୁଧବାର ପଙ୍କୋଧାର ଏକାଦଶୀରେ ଶିବଲିଙ୍ଗ ଚତୁଃପାଶ୍ୱର୍ ସଫା ସୁତରା କରାଯିବ । ପାନୁକା କୁଣ୍ଡ ମଧ୍ୟ ସଫା କରାଯିବ । ମନ୍ଦିର ପରିଚାଳନା କମିଟି ,ସେବାୟତ, ଯୁବକସଂଘ ଓ ଗ୍ରାମବାସୀଙ୍କ ଦ୍ୱାରା ମନ୍ଦିର ଚତୁଃପାଶ୍ୱର୍ ସଫେଇ କାର୍ଯ୍ୟକୁ ତ୍ୱରାନିତ କରାଯାଉଛି । ମନ୍ଦିର ଗୁଡିକକୁ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ସୁସଜିତ କରାଯାଉଛି । ମନ୍ଦିର ପରିଚାଳନା ଓ ସେବାୟତ ମାନଙ୍କ ମଧ୍ୟରେ ମିଳିତ ବୈଠକ ବସି ଠାକୁରଙ୍କ ନୀତିନିଘଣ୍ଟ କରାଯାଇଛି । ବରାଳ ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ ରାତି ୧୦ଟାରେ ମହାଦ୍ୱୀପ ଉଠିବ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି । ହଜାର ହଜାର ଭକ୍ତଙ୍କର ଗହଳିକୁ ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ ଏଠାରେ ପାନୀୟ ଜଳ, ଟ୍ରାଫିକ, ଗାଡି ପାର୍କିଂ ସ୍ଥଳ, ଉଠା ଦେକାନ ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ସାକ୍ଷୀଗୋପାଳର କୋଶେଳେଶ୍ୱର, ସାଣ୍ଢରା ନୀଳକଣ୍ଠେଶ୍ୱର, ବୀରରାମଚନ୍ଦ୍ରପୁରର ଧବଳେଶ୍ୱର,ଲୋକନାଥ, ଇଷାଣେଶ୍ୱର, ମୁଆଁଖିଆ ମହାଦେବ, ଅଙ୍କୁରେଶ୍ୱର, ରତ୍ନଶ୍ୱେର, ଅନନ୍ତେଶ୍ୱର, ବାଲୁଙ୍କେଶ୍ୱର, ଖଜୁରେଶ୍ୱର, ବିଦ୍ୟାଧରପୁର ଗ୍ରାମର କୁଣ୍ଡେଳେଶ୍ୱର, ବଳପୁର ବାଲୁଙ୍କେଶ୍ୱର, ପାରକେଣାର ବିଲକପିଳେଶ୍ୱର, ସୁଆଣ୍ଡୋର ଲୋକେଶ୍ୱର, ରାୟଚକ୍ରଧରପୁରର ନୀଳକଣ୍ଠେଶ୍ୱର, ନୂଆଗାଁ, ଶ୍ରୀରାମଚନ୍ଦ୍ରପୁର, ସେମେଶ୍ୱରପୁର, ବନପୁର, ଅଳସା, ବୀରଗୋବିନ୍ଦପୁର ଆଦି ଗ୍ରାମ ମାନଙ୍କରେ ପୁଜିତ ମହାଦେବଙ୍କ ପୀଠରେ ଜାଗରଯାତ୍ରା ବା ଶିବରାତ୍ରି ପାଇଁ ବିଭିନ୍ନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି