ମା ବାପା ଛେଉଣ୍ଡ ତିନି ପିଲା, ନାବାଳକ କାନ୍ଧରେ ଭାଇ ଭଉଣୀଙ୍କ ବୋଝ
ବରଗଡ଼ --- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲହଣ୍ଡା ପଞ୍ଚାୟତ ନିଲେଇପାଲି ଗାଁ ଖଜୁରଟିକ୍ରା ପଡାର ବାପା ମା ଛେଉଣ୍ଡ ତିନି ପିଲା । ଏମାନଙ୍କ ପାଇଁ ସରକାରଙ୍କ ଯୋଜନା ସାତ ସପନ ହୋଇ ପଡିଛି ।ଯାହା ଆମେ କହୁନାହୁଁ ସେଇ ମା ବାପା ଛେଉଣ୍ଡ ପିଲାଙ୍କ ଦୃଶ୍ୟକୁ ଦେଖିଲେ ଜଣାପଡେ।ଏହି ପଡ଼ାରେ ରାଏସିଂ ବରିହା (୫୦),ତାଙ୍କ ସ୍ତ୍ରୀ କକୟା ବରିହା ଓ ତିନି ପିଲାଙ୍କୁ ନେଇ ଥିଲା ସୁଖଦୁଃଖର ସଂସାର।ହେଲେ ଦଇବି ହେଲା କାଳ ଭାଙ୍ଗିଗଲା ସୁଖର ସଂସାର।ପାଖାପାଖି ଦୁଇ ହେବ ରାଏସିଂ ଲହଣ୍ଡା ଗ୍ରାମର ଟ୍ରାକ୍ଟର ମାଲିକ ବୀମା ଭୋଇଙ୍କ ଗାଡ଼ିରେ ଶ୍ରମିକ ଭାବେ କାମ କରିବା ସମୟରେ ଟ୍ରାକ୍ଟରଟି ଓଲଟି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଯୋଗୁଁ ଟ୍ରାକ୍ଟର ମାଲିକ ମୃତ ବରିହା ପରିବାରକୁ ଅଧ ଏକର ଜମି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ କେବଳ ପରିବାରଙ୍କୁ କ୍ରିୟା କର୍ମ ପାଇଁ ୧୦ହଜାର ଟଙ୍କା ରାସନ ସାମଗ୍ରୀ ଦେଇ ପ୍ରତିଶୃତି ଭୁଲିଯାଇଛନ୍ତି ବୋଲି ବଡ଼ଭାଇ ମାଧବ ବରିହା ପ୍ରକାଶ କରିଥିଲେ।ବାପାଙ୍କୁ ହରାଇ କୁନି କୁନି ପିଲାଙ୍କ ଦୁଃଖ ବୋଧେ କମ ଥିଲା ବୋଝ ଉପରେ ନଳିତା ବିଡା ସଦୃଶ ୫ଦିନ ତଳେ ପିଲାଙ୍କ ଠାରୁ ମାଁକୁ କିଡନୀ ରୋଗ ଛଡାଇ ନେଇ ମା ବାପା ଛେଉଣ୍ଡ କରି ଦେଇ ପିଲାଙ୍କ ମୁହଁରୁ ହସ ଉଭେଇ ଯାଇଥିଲା। ବଡ଼ପୁଅ ଶିବା ବରିହା(୧୨) କାନ୍ଧରେ ଦୁଇ ଭଉଣୀଭାଇ ଲକ୍ଷ୍ମୀ ୯ବର୍ଷକୁ ସାନନାଥ ୭ବର୍ଷ ବୟସ । ମାର କ୍ରିୟା କର୍ମ ସହ ଭଉଣୀଭାଇଙ୍କ ଭବିଷ୍ୟତ କେମିତି ଗଢିବେ ସେଇ ଚିନ୍ତାରେ ଶିବା। ଏହି ପରିବାର ହେଉଛନ୍ତି ଦାରିଦ୍ର୍ୟ ସୀମାରେଖା ତଳ(ବିପିଏଲ) ଶ୍ରେଣୀଭୁକ୍ତ।କେବଳ ସରକାରୀ ଦୃଷ୍ଟିରୁ ସାମାନ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ମିଳିଛି । ଘର ଖଣ୍ଡିଏ ହେଲେ ତାହା ମଧ୍ୟ ନିର୍ମାଣ କାରୀ ସଂପୃକ୍ତ ଠିକାଦାର ଅର୍ଦ୍ଧ ନିର୍ମିତରେ ପକାଇ ରଖିଛି । ଅବହେଳା କରୁଥିବା ଠିକାଦାରଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳୁନାହିଁ। ବାପା କଥା ତ ଭୁଲି ଗଲେଣି ମା ର ମୃତ୍ୟୁ ବେଳକୁ ଚାରିଦିନ ବିତିଗଲାପରେ ଗତକାଲି ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ପ୍ରଦାନ କରାଯାଇଛି । ତେବେ ଏଥିପ୍ରତି ତୁରନ୍ତ ଜିଲ୍ଲା ପ୍ରଶାସନ ସରକାରୀ ସହାୟତା ଲୋଡ଼ିବା ସହ ସ୍ଥାନୀୟ ଜନ ପ୍ରତିନିଧି ଏହି ନିରୀହ ବାପ ମାଁ ଛେଉଣ୍ଡ ପିଲାଙ୍କ ପ୍ରତି ଦୃଷ୍ଟି ଦେବା ପାଇଁ ପଡ଼ାବାସୀ ନିବେଦନ କରିଛନ୍ତି।
ନବୀନ ଦାଶଙ୍କ ରିପୋର୍ଟ