Breaking News

ତିର୍ତୋଲ ବ୍ଲକର ତୁଳଙ୍ଗ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଜଟିଳ


  ଜଗତସିଂହପୁର--- ତିର୍ତୋଲ ବ୍ଲକର ତୁଳଙ୍ଗ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଜଟିଳ ହୋଇପଡିଛି । ୪ ଟି ଗାଁର ଲୋକ କୂଅ ପୋଖରୀ ଉପରେ ନିର୍ଭରଶୀଳ । ଆରଡେଇ,ପୋଇଓ,ନାଉଲ ଓ ନରସିଂହପୁର ଗ୍ରାମର ଜନସାଧାରଣ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁଳଙ୍ଗ ପଞ୍ଚାୟତର ଏହି ଚାରିଟି ଗାଁ କୁ ଗ୍ରାମ୍ଯ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ବିଭାଗ ପକ୍ଷରୁ ସ୍ବଚ୍ଛ ଏବଂ ପିଇବା ଉପଯୋଗୀ ପାଣି ଏପର୍ଯ୍ୟନ୍ତ ଯୋଗାଇ ଦିଆଯାଇ ପାରିନି। ଗ୍ରାମରେ ଯେଉଁ ନଳକୂପ ବସିଛି ତାହା ଅଗଭୀର ହେତୁ ସେଥିରୁ ଲୌହ ଗୁଣ୍ଡ ମିଶ୍ରିତ ହଳଦିଆ ପାଣି ବାହାରୁଛି । ଯାହାକି ରୋଷେଇ ଓ ପିଇବା ପାଇଁ ସଂପୂର୍ଣ୍ଣ ଅନୁପଯୋଗୀ । ବାଧ୍ୟ ହୋଇ ଗାଁର ଲୋକେ କୂଅ , ପୋଖରୀ ଉପରେ ନିର୍ଭର କରି ଚଳୁଛନ୍ତି । ବର୍ଷାଦିନେ କୂଅ ପୋଖରୀର ପାଣିକୁ ବ୍ୟବହାର କରି ବିଭିନ୍ନ ସ୍ବାସ୍ଥ୍ୟ ଗତ ସମସ୍ୟାର ସମ୍ମୁଖୀନ ହୋଉଥିବାର ନଜର ରହିଛି । ଏପରିକି ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ସରପଞ୍ଚ ଏସଂପର୍କରେ ବିଭାଗୀୟ ଯନ୍ତ୍ରୀ,ଏସଡିଓ ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ବହୁବାର ଅବଗତ କରାଇଥିଲେ ମଧ୍ୟ ପ୍ରଶାସନର ଶୁଭ ଦୃଷ୍ଟି ଏହି ଚାରିଟି ଗାଁ ଉପରେ ଏଯାବତ୍ ପଡି ପାରିନାହିଁ  । ଗ୍ରାମବାସୀ ମଧ୍ୟ ସ୍ଥାନୀୟ ବିଧାୟକ,ସାଂସଦ,ବିଭାଗୀୟ ପଦସ୍ଥ ଅଧିକାରୀ ଓ ଜଗତସିଂହପୁର ଜିଲ୍ଲାପାଳଙ୍କୁ ପାନୀୟ ଜଳ ସମସ୍ୟା ବାବଦରେ ଜଣାଇଥିବା ଆମ ସମ୍ବାଦଦାତାଙ୍କୁ ସୂଚନା ଦେଇଛନ୍ତି । ବସୁଧା ଯୋଜନାରେ ଓଡିଶାର କୌଣସି ଗ୍ରାମ ଯେପରି ସ୍ବଚ୍ଛ ପାନୀୟ ଜଳରୁ ବଞ୍ଚିତ ନହୁଏ ରାଜ୍ୟ ସରକାର କହୁଥିବା ବେଳେ ତୁଳଙ୍ଗ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଘଟିଛି । ସରକାରଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ନିକମା ଅଫିସର ଓ ରାଜନେତାଙ୍କ ପାଇଁ ଏହି ଅଞ୍ଚଳର ଲୋକଙ୍କ ପାଇଁ ସାତ ସପନ ହୋୋ ପଡିଛି। ବସୁଧା ଯୋଜନାରେ ଅମୃତ ପାନୀୟ ଜଳ ସରକାର ତୁଳଙ୍ଗ ପଞ୍ଚାୟତର ଏହି ଚାରି ଟି ଗ୍ରାମକୁ କେବେ ଯୋଗାଇଛନ୍ତି ତାହା ଦେଖିବାକୁ ବାକି ରହିଲା ।
ଜଗତସିଂହପୁର ଜିଲ୍ଲାରୁ ପ୍ରଳୟ କୁମାର ମହାପାତ୍ର

Blog Archive

Popular Posts