ନୟାଗଡ ଚିନିକଳ ପଦଯାତ୍ରୀଙ୍କୁ ବେଗୁନିଆରୁ ସ୍ୱାଗତ
ବେଗୁନିଆ---ନୟାଗଡ ଚିନି କଳକୁ ତୁରନ୍ତ ଚାଲୁ କରିବା ଦାବୀରେ ଜାନୁଆରୀ ୩୦ ତାରିଖରୁ ବାହାରିଥିବା ନୟାଗଡରୁ ନବୀନ ନିବାସକୁ ପଦଯାତ୍ରା କରୁଥିବା ପଦଯାତ୍ରୀ ଦଳ ଶନିବାର ଅପରାହ୍ନରେ ବେଗୁନିଆରେ ପହଞ୍ଚିଛନ୍ତି । ସେମାନଙ୍କୁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯିବାପରେ ବାଘମାରୀ ଠାରେ ରାତ୍ର ରହଣୀର ବ୍ୟବସ୍ଥା ହୋଇଥିଲା ।ଆଜି ପୂର୍ବାହ୍ନରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ସାରୁଅ ଗ୍ରାମରେ ପହଞ୍ଚିବା ପରେ କଂଗ୍ରେସ ନେତା ପ୍ରଦୀପ କୁମାର ସାହୁ,ସ୍ଥାନୀୟ ସରପଞ୍ଚ ସୁଦର୍ଶନ ବେହେରା,ସମାଜସେବୀ ଶଶୀଭୂଷଣ ବେହେରା,ସଦାଶିବ ବରିଶଲ,ରାମ ନାରାୟଣ ପାଣିଗ୍ରାହୀ,ରୁଦ୍ର ନାରାୟଣ ପାଣିଗ୍ରାହୀ,କାଳନ୍ଦୀ ବଳବନ୍ତରାୟ,ନିତ୍ୟାନନ୍ଦ ମହାଭୋଇ,ଶିଶିର ଆଚାର୍ଯ୍ୟ,ବାବୁଲି ପାତ୍ର ସମେତ ଶତାଧିକ ଲୋକ ଉପସ୍ଥିତ ରହି ସ୍ୱାଗତ କରିଥିଲେ । ପରେ ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥଲା । ପରେ ଖୋର୍ଦ୍ଧା ଅଭିମୁଖେ ପଦଯାତ୍ରୀ ଦଳ ବାହାରିଥିଲେ । ନୟାଗଡ ଜିଲ୍ଲାର ଭାତହାଣ୍ଡି ଭାବରେ ପରିଚିତ ଚିନିକଳ ସରକାର ଓ ଶିଳ୍ପପତିଙ୍କ ମଧୁଚନ୍ଦ୍ରିକାରେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କୁ ଶାଗମାଛ ଦରରେ ବିକ୍ରୀ କରାଯାଇଥିଲା । କିନ୍ତୁ ୨୦୧୫ ମସିହାରୁ ସଂପୃକ୍ତ କମ୍ପାନୀ ମିଲରେ ତାଲା ପକାଇ ହଜାରହଜାର ଆଖୁଚାଷୀ ଓ ଚିନିକଳ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ନଦେଇ ଏଠାରୁ ଚାଲିଯାଇଛନ୍ତି । ଏହା ସତ୍ୱେ ଜିଲ୍ଲା ପ୍ରଶାସନ ଓ ସରକାର ସଂପୃକ୍ତ ଶିଳ୍ପପତିଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଇ ତାଙ୍କୁ ସୁରକ୍ଷା ଯୋଗାଇ ଆସୁଛନ୍ତି ।ନୟାଗଡ ଚିନି କଳକୁ ପୁନଃ ଚାଲୁ କରିବା ଓ ହଜାରହଜାର ଆଖୁ ଚାଷୀ ଏବଂ କର୍ମଚାରୀଙ୍କ ଜୀବନଜୀବିକା ବଞ୍ଚାଇବା ଦାବୀ ନେଇ ନୟାଗଡ ଜିଲ୍ଲାର ଚାଷୀ,ଶ୍ରମିକ,ଛାତ୍ର,ଯୁବକମାନେ ଦଳମତ ନିର୍ବିଶେଷରେ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ଜଣାଇବା ପାଇଁ ପଦଯାତ୍ରାରେ ବାହାରିଛନ୍ତି ।ଏହି ପଦଯାତ୍ରାରେ ଚିନିକଳ କ୍ରିୟାନୁଷ୍ଠାନ କମିଟିର ଆବାହକ ତଥା ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର ନୟାଗଡ ଚିନିକଳ ସଂଘର ସଭାପତି ଯୋଗେନ୍ଦ୍ର ଖୁଣ୍ଠିଆ,ସନ୍ତୋଷ କୁମାର ପ୍ରଧାନ,ମନୋଜ କୁମାର ସାହୁ ଓ ଛାତ୍ର ନେତା ଶିବରାମ ସାହୁ ପ୍ରମୁଖ ସାମିଲ ହୋଇଥିବାର ଦେଖାଯାଇଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା