ପୋଲିସ ବିଭାଗ କର୍ମଚାରୀ କହି ଚିକେନ୍ ବ୍ୟବସାୟୀଙ୍କ ଠାରୁ ଫୋନ୍-ପେ ଆପ୍ ଜରିଆରେ ଠକେଇ
ବାଲିଗୁଡ଼ା/ଦାରିଙ୍ଗବାଡି:ଚିକେନ୍ କିଣିବା ଆଳରେ ଚିକେନ୍ ବ୍ୟବସାୟୀଙ୍କୁ ଠକେଇ । ଫୋନ୍ ପେ ଆପ୍ ରେ ଠକି ନେଲେ ଅନ ଲାଇନ ଲୁଟେରା । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ଗ୍ରାମରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ଠକେଇର ଶିକାର ହୋଇଥିବା ବ୍ୟବସାୟୀ ଜଣକ ଶିଶିର ପରିଛା । ସୂଚନା ପ୍ରକାରେ ରବିବାର ରାତ୍ର ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ସିମନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଅମ୍ବାନୀ ଚିକେନ୍ ସେଣ୍ଟରର ମାଲିକ ଶିଶିର ପରିଛାଙ୍କୁ ଜଣେ ବ୍ୟକ୍ତି ନିଜକୁ ଦାରିଙ୍ଗବାଡ଼ି ପୋଲିସ୍ ରିଜର୍ଭ କ୍ୟାମ୍ପର ପୋଲିସ କର୍ମଚାରୀ (ଅମନ କୁମାର) ବୋଲି ପରିଚୟ ଦେଇ ୮୭୨୩୯୭୨୦୧୨ ନମ୍ବରରୁ ଫୋନ୍ କରି ସୋମବାର ସକାଳ ପାଇଁ ୨୫ କିଲୋ ଚିକେନ୍ ପାଇଁ ଅର୍ଡର ଦେଇଥିଲେ । ସକାଳ୮ଟା ରେ ସେ ଆସି ଚିକେନ୍ ନେବେ ବୋଲି ଫୋନରେ କହିଥିଲେ । ସୋମବାର ସକାଳୁ ଚିକେନ୍ ଅର୍ଡର ଦେଇଥିବା ଲୋକ ଜଣକ ନିଜେ ପୁଣି ଶିଶିରଙ୍କୁ ଫୋନ୍ କରି ଚିକେନ୍ କଟା ପ୍ରସ୍ତୁତ ହେଲାଣି କି ବୋଲି ପଚାରି ଥିଲେ । ବ୍ୟବସାୟୀ ଜଣକ ଚିକେନ୍ ପ୍ରସ୍ତୁତ ହୋଇଯାଇଥିବା କହିଥିବା ବେଳେ ଠକ ଵ୍ୟକ୍ତି ଜଣକ ଆମର ପୋଲିସ ଗାଡ଼ି ଯାଉଛି ସେ ଗାଡ଼ିରେ ଚିକେନ ଆଣିବେ । ନଗଦ ଟଙ୍କା ନାହିଁ କହି ଫୋନ୍ ପେ ନମ୍ବର ମାଗିଥିଲେ । ବ୍ୟବସାୟୀ ଜଣକ ଏହାପରେ ନିଜର ଫୋନ୍ ପେ ନମ୍ବର ଦେଇଥିଲେ । ଏହା ପରେ ଠକ ଜଣକ ପ୍ରଥମେ ବ୍ୟବସାୟୀ ଙ୍କୁ ଫୋନ-ପେ ୱାଲେଟକୁ ୫ଟଙ୍କା ଲିଙ୍କରେ ପଠାଇ ବ୍ୟବସାୟୀଙ୍କୁ ସେହି ୫ଟଙ୍କା ଲିଙ୍କ ରେ କ୍ଲିକ୍ କଲେ ୫ଟଙ୍କା ଆକାଉଣ୍ଟକୁ ଆସିବ କହିଲେ । ଲିଙ୍କରେ କ୍ଲିକ୍ କରିବାରୁ ୫ଟଙ୍କା ଶିଶିରଙ୍କ ଆକାଉଣ୍ଟ କୁ ଆସିଥିଲା l ଏହାପରେ ଶିଶିର ଉକ୍ତ ବ୍ୟକ୍ତିଙ୍କ ବିଶ୍ୱାସଭାଜନ ହୋଇଥିବା ବେଳେ ସେ ସମ୍ପୃକ୍ତ ଠକ ବ୍ୟକ୍ତି ର ମାୟା ଜାଲରେ ପଡ଼ି ଯାଇଥିଲେ । ଠକ ଜଣକ ଏହାପରେ ୬ହଜାର ଟଙ୍କାର ଲିଙ୍କ ଫୋନ ପେ ୱାଲେଟକୁ ପଠାଇ ପୁଣି କ୍ଲିକ୍ କରିବାକୁ କହିଥିଲେ । ତେବେ ବ୍ୟବସାୟୀଙ୍କ ଆକାଉଣ୍ଟରେ ୬ହଜାର ଟଙ୍କାରୁ କମ ବାଲାନ୍ସ ଥିବାରୁ ତାହା ଫେଲ ହୋଇ ଯାଇଥିଲା । ଏହାପରେ ଠକ ଜଣକ ୧ହଜାର ଲେଖାଏଁ କ୍ଲିକ କରିବାକୁ କହିବାରୁ ଶିଶିରଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପରିବର୍ତ୍ତେ ୪ଥରରେ ୪ହଜାର ଟଙ୍କା ଓ ଗୋଟିଏ ଥର ୮୦୦ ଟଙ୍କା, ମୋଟ ୪୮୦୦ଟଙ୍କା ଲୁଟି ନେଇ ଯାଇଥିଲେ ଲୁଟେରା । ଏହା ପର ଠାରୁ ସେହି ଫୋନ ନମ୍ବର ଟି ସ୍ୱିଚ ଅଫ୍ ଥିବା ଜଣାପଡ଼ିଛି। ଏହା ପରେ ଶିଶିର ଅନଲାଇନ୍ ଫ୍ରଡ୍ ର ଶିକାର ହୋଇଥିବା ଜାଣି ପାରିଥିବା ବେଳେ ଟଙ୍କା ଯିବା ସହିତ ୨୫କିଲୋ ଚିକେନ୍ ମାଂସ ନଷ୍ଟ ହେବା ଯୋଗୁଁ ସେ ଚିନ୍ତାରେ ପଡ଼ି ଯାଇଥିଲେ । ବର୍ତ୍ତମାନ ସାଇବର ଠକ ମାନେ ଦିନକୁ ଦିନ ନୂଆ ନୂଆ ଉପାୟରେ ଠକେଇ କରିଥିବା ବେଳେ ବିଭିନ୍ନ ଉପାୟରେ ଠକ ମାନେ ଲୁଟ୍ କରୁଥିବା ସାମ୍ନାକୁ ଆସିଛି । ଏନେଇ ଦାରିଙ୍ଗବାଡ଼ି ଥାନା ଅଧିକାରୀଙ୍କ ସହିତ ଆଲୋଚନା କରିବାରୁ ଏହି ଭଳି ଦାରିଙ୍ଗବାଡ଼ିରେ ପ୍ରଥମ ଥର ପାଇଁ ଘଟିଛି ତେଣୁ ଏଭଳି ଠକଙ୍କ ଠାରୁ ଯଥା ସମ୍ଭବ ସତର୍କତା ଅବଲମ୍ବନ କରି କୌଣସି ଓଟିପି କିମ୍ବା ଫୋନ ପେ ଓ ବିଭିନ୍ନ ପେମେଣ୍ଟ ଆପରେ ଆସୁଥିବା ଲୋଭନୀୟ ଅଫର ଲିଙ୍କରେ କ୍ଲିକ୍ ନକରିବାକୁ ପରାମର୍ଶ ଦେଇଛନ୍ତି ଥାନା ଅଧିକାରୀ କୌଶିକ ମାଝୀ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୫/୬/୨୦୨୩---୯,୨୫ Sakhigopal News,5/6/2023