ଅଂଶୁଘାତରେ ନୂଆଗାଁ ଶନି ମନ୍ଦିର ପୂଜକଙ୍କ ମୃତ୍ୟୁ
ଭଞ୍ଜନଗର,- ଅଂଶୁଘାତରେ ନୂଆଗାଁ ଶନି ମନ୍ଦିର ପୂଜକଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ପ୍ରକାରେ ଭଞ୍ଜନଗର ଥାନା ଅନ୍ତର୍ଗତ ଲାଲାସି° ରାମ ମନ୍ଦିର ସାହିର ପ୍ରଫୁଲ୍ଲ ସାବତ (୭୦) ବେଲଗୁଣ୍ଠା ଥାନା ଅନ୍ତର୍ଗତ ନୂଆଗାଁ ଶନି ମନ୍ଦିର ପୂଜକ ଭାବେ ଦୀର୍ଘ ଦିନ ରୁ କାମ କରି ଆସୁଥିଲେ। ସବୁଦିନ ଭଳି ସେ ସୋମବାର ସକାଳୁ ନୂଆଗାଁ ଶନି ମନ୍ଦିର କୁ ଯାଇ ସେଠାରେ ଯଥାବିଧି ପୂଜାର୍ଚ୍ଚନା କରିଥିଲେ। ମଧ୍ୟାହ୍ନ ରେ ଠାକୁରଙ୍କ ଭୋଗ ଶେଷ ହେବା ପରେ ସେ ମନ୍ଦିର ପରିସରରେ ଥିବା ଫୁଲ ବଗିଚାରୁ କିଛି ମନ୍ଦାର ଫୁଲ ତୋଳିବାକୁ ଯାଇଥିଲେ। ହେଲେ ପ୍ରଚଣ୍ଡ ରୌଦ୍ରତାପ କାରଣରୁ ସେ ଫୁଲ ତୋଳିବା ସ୍ଥାନରେ ହିଁ ସଂଜ୍ଞାହୀନ ହୋଇ ପଡି ଯାଇଥିଲେ। ଆଉ ସେଠାରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ତେବେ ଅପରାହ୍ନ ୩ଟା ଯାଏଁ ସେ ଘରକୁ ନ ଫେରିବା ଦେଖି ପରିବାର ଲୋକମାନେ ତାଙ୍କୁ ନୂଆଗାଁ ଶନି ମନ୍ଦିର କୁ ଯାଇ ଖୋଜିବା ବେଳେ ସେ ମନ୍ଦିର ପରିସରରେ ମନ୍ଦାର ଗଛ ନିକଟରେ ପଡିଥିବା ଦେଖିବାକୁ ପାଇଥିଲେ। ସେଠାରୁ ତାଙ୍କୁ ତୁରନ୍ତ ଭଞ୍ଜନଗର ମେଡିକାଲକୁ ଅଣାଯାଇଥିବା ବେଳେ ଏଠାରେ ଡାକ୍ତର ପ୍ରଫୁଲ୍ଲ ଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଖବର ପ୍ରଚାରିତ ହେବା ମାତ୍ରେ ଲାଲ ସିଂ ସରପଞ୍ଚ ଶିବରାମ ସାହୁ ମେଡିକାଲ ରେ ପହଞ୍ଚି ଏସଂପର୍କରେ ବେଲଗୁଣ୍ଠା ଥାନାକୁ ସୂଚନା ଦେଇଥିଲେ। ପରେ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଥିବା ବେଳେ ମଙ୍ଗଳବାର ଶବ ବ୍ୟବଚ୍ଛେଦ କରାଯିବା ପରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ଦେଇଛନ୍ତି। ଅପରପକ୍ଷରେ ଏହା ଗଞ୍ଜାମ ଜିଲ୍ଲାର ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବାରୁ ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ଭାବେ କ୍ଷତିପୂରଣ ପ୍ରଦାନ କରିବାକୁ ଲାଲ ସିଂ ସରପଞ୍ଚ ଶିବରାମ ସାହୁ ଦାବି କରିଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୬/୨୦୨୩----୧୨,୨୫ Sakhigopal News,16/6/2023