ପୁଣି ଏକ ମାଈ ହାତୀର ମୃତଦେହ ଉଧାର , କାରଣ ଖୋଜୁଛି ବନବିଭାଗ
ଭଞ୍ଜନଗର -- ଗୋଟିଏ ହାତୀର ମୃତ୍ୟୁ କୁ ୪୮ ଘଣ୍ଟା ପୁରିନି । ପୁଣି ଆଉ ଗୋଟିଏ ହାତୀର ମୃତଦେହ କୁ ଠାବ କଲା ବନବିଭାଗ । ଗୋଟିଏ ପରେ ଗୋଟିଏ ହାତୀର ମୃତ୍ୟୁ କୁ ନେଇ ବନବିଭାଗ ଚିନ୍ତାରେ ପଡିଥିବା ବେଳେ , ଏହାର ନିରାକରଣ ମଧ୍ୟ ବିଭାଗ ପାଇଁ ସେତିକି ଦାୟିତ୍ଵ ବଢ଼ାଇଛି । ବୁଧବାର ସକାଳୁ ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳ ତିଲିକି ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ମଙ୍ଗଳବାର ରାତ୍ରି ରେ ଉକ୍ତ ଅଞ୍ଚଳରେ ୧୮ ଟିକିଆ ହାତୀପଲ ବିଚରଣ କରୁଥିବା ବେଳେ ଦୁଇ ହାତୀ ମଧ୍ୟରେ ଲଢେଇ ଯୋଗୁଁ ହାତୀଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ଖବର ପାଇ ବନ ବିଭାଗର ଅଧିକାରୀ ସୂଦର୍ଶନ ବେହେରା ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ମୁଜାଗଡ଼ ବନାଞ୍ଚଳରେ ୨୪ ଘଣ୍ଟା ମଧ୍ୟରେ ଦୁଇ ଟି ହାତୀର ମୃତ୍ୟୁ ହୋଇଛି । ସୋମବାର ଗମ୍ଭାରୀଗୋଚ୍ଛା ନିକଟରେ ଏକ ମାନକ ହାତୀର ମୃତ ଦେହ ଉଧାର ହୋଇଥିଲା । ଏକ ବର୍ଷ ମଧ୍ୟରେ ମୁଜାଗଡ ବନାଞ୍ଚଳ ରେ ୩ ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ , ଉତ୍ତର ଘୁମୁସର ବନଖଣ୍ଡ ରେ ହାତୀ ମୃତ୍ୟୁ ସଂଖ୍ୟା ୭ ରେ ପହଞ୍ଚିଛି । ବୁଧବାର ତିଲିକି ଜଙ୍ଗଲରେ ହୋଇଥିବା ହାତୀ ମୃତ୍ୟୁ ଘଟଣାରେ ଅପରାହ୍ନରେ ଭୁବନେଶ୍ବର ରୁ ଏକ ଟିମ୍ ଆସି ଅନୁଧ୍ୟାନ କରିବା ସହ ,ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଙ୍କ ସହାୟତାରେ ମୃତ ହାତୀ ର ବ୍ୟବଛେଦ କରାଯାଇଛି । ବ୍ୟବଛେଦ ପରେ ଜଙ୍ଗଲରେ ହିଁ ମୃତ ଦେହକୁ ପୋତି ଦିଆଯାଇଛି । ଘଟଣାର ପାରିପାର୍ଶ୍ବିକ ଅବସ୍ଥା ନିକଟରେ ରହିଥିବା ଭଙ୍ଗରୁଜା ବଡ଼ବଡ଼ ଗଛ ଏବଂ ମୃତ ହାତୀ ଦେହରେ ରହିଥିବା କ୍ଷତ ଚିହ୍ନ ରୁ ଅନୁମାନ କରାଯାଉଛି । ଜଙ୍ଗଲରେ ରହିଥିବା ହାତୀପଲ ମଧ୍ୟରୁ ଦୁଇଟି ହାତୀ ଙ୍କ ମଧ୍ୟରେ ଲଢେ଼ଇ ହୋଇ କୌଣସି ଏକ ଦନ୍ତାହାତୀ ର ଆକ୍ରମଣ ରେ ଆହତ ହୋଇ ସଂପୃକ୍ତ ହାତୀ ର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ବ୍ୟବଛେଦ ରିପୋର୍ଟ ଆସିବା ପରେ, ଘଟଣା ର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ପ୍ରକାଶ ଥାଉକି, ଗତ ପ୍ରାୟ ଏକ ବର୍ଷ ହେବ ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡ ରେ ହାତୀ ମୃତ୍ୟୁ କ୍ରମାଗତ ଭାବେ ଘଟି ଚାଲିଛି । ଏହା ବନବିଭାଗ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ ହୋଇଛି , ସେତିକି ଚିନ୍ତାଜନକ ହୋଇଛି । ଏକଥା ବି କୁହାଯାଉଛି, ବିଗତ ବର୍ଷ ମାନଙ୍କ ଅପେକ୍ଷା , ଗତ ପ୍ରାୟ ୧ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି , ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡ ରେ ହାତୀ ସଂଖ୍ୟା ବୃଦ୍ଧି ପାଇଛି । ଏବଂ ନିକଟସ୍ଥ ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର ବନଖଣ୍ଡରୁ ହାତୀ ମାନେ ଏହି ବନଖଣ୍ଡକୁ ପ୍ରାୟତଃ ଆସିଥାନ୍ତି । ଯେହେତୁ ହାତୀ ସଂଖ୍ୟା ବୃଦ୍ଧି ପାଉଛି ଏହା ବିଭାଗ ପାଇଁ ଶୁଭ ସଙ୍କେତ ନିଶ୍ଚିୟ । କିନ୍ତୁ ସେମାନଙ୍କ ସୁରକ୍ଷା ଓ ଖାଦ୍ୟ ବ୍ୟବସ୍ଥା , ଜଙ୍ଗଲ ଭିତରେ ସେତିକି କରାଯିବାର ମଧ୍ୟ ଆବଶ୍ୟକ ରହିଛି । କିନ୍ତୁ ଏସବୁ ରେ କିଛି ବ୍ୟତିକ୍ରମ ଦେଖାଦେବାରୁ ହୁଏତ ହାତୀ ମାନେ ଜଙ୍ଗଲ ଛାଡି ଗାଁ ଏବଂ ଜନବସତି ମୁହାଁ ହେଉଛନ୍ତି । ଏବଂ ବିଭିନ୍ନ ସମୟରେ ହାତୀ ମୃତ୍ୟୁ ର ପ୍ରାକୃତିକ ଓ ମନୁଷ୍ୟକୃତ କାରଣ ସୃଷ୍ଟି ହେଉଛି । ଏନେଇ ପରିବେଶବିତ୍ ଓ ପଶୁପ୍ରେମୀ ମାନେ ବନବିଭାଗର କାର୍ଯ୍ୟ ଦକ୍ଷତା ଉପରେ ଏବେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପକ୍ଷରେ ହାତୀ ମୃତ୍ୟୁର କାରଣ ଯାହାବି ହେଉ ସେମାନଙ୍କ ସୁରକ୍ଷା ଓ ମୃତ୍ୟୁ ନିରାକରଣ ପାଇଁ ବନ ବିଭାଗ କି ପଦକ୍ଷେପ ନେଇଛି ତାହାବି ତର୍ଜମା କରିବାର ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବୀ ମାନେ ମତେ ରଖିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୩/୨୦୨୩----୮,୫୫ Sakhigopal News,15/3/2023