Breaking News

ପୁରୀ ରଥ ନିର୍ମାଣ ପାଇଁ , କାଳାଆମ୍ବା ଜଙ୍ଗଲରୁ ଗଛକଟା କାର୍ଯ୍ୟ ଆରମ୍ଭ ହେଲା



 ଭଞ୍ଜନଗର - ପୁରୀ ଶ୍ରୀଜଗନ୍ନାଥ ଙ୍କ ଆସନ୍ତା ରଥଯାତ୍ରା ପାଇଁ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା କାଠ କାଳିଆମ୍ବା ଜଙ୍ଗଲରୁ ଚିହ୍ନଟ କରାଯାଇଛି। ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ  ଗଛ କଟା ଆରମ୍ଭ ହୋଇଛି ।  ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରୁ ପ୍ରଥମେ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ କାଳିଆମ୍ବା ଜଙ୍ଗଲରୁ ଗଛକଟା ଆରମ୍ଭ ହୋଇଛି । ସ୍ଥାନୀୟ ପୁରୁଣା ପାଣି ଗାଁ ର ବହୁ ସଂଖ୍ୟକ ପୁରୁଷ, ମହିଳା  ଏବଂ ବନ ବିଭାଗ କର୍ମଚାରୀ ଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ଚିହ୍ନଟ ହୋଇଥିବା ଗଛ କଟା  ।
ଏଥିପାଇଁ ଗାଁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଭକ୍ତିମୟ ପରିବେଶ । ଗଛକଟା କାର୍ଯ୍ୟ ଆରମ୍ଭରୁ ବହୁସଂଖ୍ୟକ ମହିଳା ରାସ୍ତାରେ ଝୋଟି ପକାଇ ସ୍ବାଗତ କରିଥିଲେ ବନ କର୍ମଚାରୀଙ୍କୁ । ଘଣ୍ଟ, ମୃଦଙ୍ଗ ବଜାଇ ଜଙ୍ଗଲ ଭିତରକୁ ପାଛୋଟି ନେଇଥିଲେ । ଜୟ ଜଗନ୍ନାଥ ଧ୍ବନିରେ ଉଛୁଳି ଉଠିଥିଲା  ସମୁଦାୟ ଜଙ୍ଗଲାଞ୍ଚଳ । ସପ୍ତାହକ ପୂର୍ବରୁ ,ପୁରୀ ଶ୍ରୀମନ୍ଦିର ପକ୍ଷରୁ ଏକ ପ୍ରତିନିଧି ଦଳ ଆସି  ସ୍ଥାନୀୟ ବନଖଣ୍ଡିୟ ଅଧିକାରୀ ସୁଦର୍ଶନ ବେହେରା ଙ୍କ ତତ୍ବାବଧାନରେ କେନ୍ଦ୍ରୀୟ ବନାଞ୍ଚଳ ତାରାସିଙ୍ଗି ଓ ମୁଜାଗଡ ବନାଞ୍ଚଳ ଗସ୍ତକରି ୨୯ ଟି ଗଛ ଚିହ୍ନଟ କରିଥିଲେ । ସେଥିମଧ୍ୟରୁ  ୯ ଟି ଫାସି ଗଛ ଏବଂ ୨୦ ଟି ଢଉରା ଗଛ ଚିହ୍ନଟ ହୋଇଥିଲା । ସେହି କ୍ରମରେ କେନ୍ଦ୍ରୀୟ ବନାଞ୍ଚଳର ପୁରୁଣାପାଣି ଗାଁ ନିକଟ କାଳିଆମ୍ବା ଜଙ୍ଗଲରୁ ଆରମ୍ଭ ହୋଇଛି ଗଛକଟା କାର୍ଯ୍ୟ । ପରବର୍ତ୍ତୀ ସମୟରେ ଅନ୍ୟ ଜଙ୍ଗଲ ମାନଙ୍କରେ ଚିହ୍ନଟ ହୋଇଥିବା ଗଛ ଗୁଡ଼ିକୁ କଟାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।
ପୂର୍ବରୁ ଏହି ବନଖଣ୍ଡରୁ ଗତ ଦୁଇବର୍ଷ ଧରି ରଥକାଠ ପୁରୀ କୁ ଯାଇଛି । ଚଳିତବର୍ଷ ତୃତୀୟ ଥର ପାଇଁ, ପୁଣି କାଠ ଯିବ । ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ଫାସି ଏବଂ ଢଉରା କାଠ ଉତ୍ତର ଘୁମୁସର ବନଖଣ୍ଡର ଅଧିକାଂଶ ଜଙ୍ଗଲରେ ରହିଛି । ମନ୍ଦିର ପ୍ରଶାସନ ପକ୍ଷରୁ ଏବେ ଏହି ବନଖଣ୍ଡ ପ୍ରତି ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଥିବା କୁହାଯାଉଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୩/୨୦୨୩---୭,୨୫ Sakhigopal News,30/3/2023

Popular Posts