୧୦ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନ
ଜଟଣୀ---- -୧୦ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ମହାସଂଘ। ଜଟଣୀ ଡ୍ରାଇଭର ମହାସଂଘ ପକ୍ଷରୁ ବହୁ ସଂଖ୍ୟାରେ ଡ୍ରାଇଭରମାନେ ହରିଭାଇନା ଛକ ନିକଟରେ ଏକତ୍ରିତ ହୋଇ ନାରାବାଜି ଦେବା ସହ ପ୍ରତିବାଦ କରିଛନ୍ତି। ପୂର୍ବରୁ ଡ୍ରାଇଭର ମହାସଂଘ ବିଭିନ୍ନ ଦାବି ସଂପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ ମଧ୍ୟ ଫଳପ୍ରଦ ନ ହେବାରୁ ଆଜିଠାରୁ ସବୁ ବ୍ଲକ, ସଦର ମହକୁମା ଓ କିଛି ମୁଖ୍ୟ ରାସ୍ତାରେ ଆନ୍ଦୋଳନ କରିଛି ମହାସଂଘ। ତେବେ ଆନ୍ଦୋଳନ ବେଳେ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ଯଥା ଆମ୍ବୁଲାନ୍ସ ସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ବାଦ୍ ଦିଆଯାଇଛି। ଏପରିକି ପିଲାଙ୍କ ପରୀକ୍ଷା ଚାଲୁଥିବାରୁ ସେମାନଙ୍କୁ ନେଇ ଯାଉଥିବା ଗାଡ଼ିକୁ ମଧ୍ୟ ସଂଘ ପକ୍ଷରୁ ବାଦ୍ ଦିଆଯାଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି। ଆଜିର ଆନ୍ଦୋଳନରେ ମହାସଂଘ ପକ୍ଷରୁ ଦାବି କରାଯାଇଛି ଯେ, ଜନସାଧାରଣଙ୍କ ଆକ୍ରୋସର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯାଉ। ସେହିପରି ପ୍ରତ୍ୟେକ ୧୦୦କିମି ଅନ୍ତରରେ ଗାଡ଼ି ପାର୍କିଂ ବ୍ୟବସ୍ଥା ସହ ଡ୍ରାଇଭରଙ୍କ ନିମନ୍ତେ ବିଶ୍ରାମଗାର ଏବଂ ଶୌଚାଳୟର ବ୍ୟବସ୍ଥା। ୫୫ବର୍ଷ ପରେ ମାସକୁ ପେନସନ୍ ଦେବା। ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରଙ୍କ ପାଇଁ ୨୦ଲକ୍ଷ ଟଙ୍କାର ବୀମା ରାଶି ଏବଂ ଦୁର୍ଘଟଣାରେ ଅକର୍ମଣ୍ୟ ହେଲେ ୧୦ଲକ୍ଷ ଟଙ୍କାର ବୀମାରାଶି ସହିତ ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ଡ୍ରାଇଭରଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ପ୍ରଦାନ। ନିର୍ଦ୍ଧାରିତ ମୂଲ୍ୟାଙ୍କନ ଓ ସମୟ ସୀମା ଧାର୍ଯ୍ୟ ସହ ଡ୍ରାଇଭର ମାନଙ୍କୁ ଦ୍ଵିତୀୟ ସୈନ୍ୟ ମାନ୍ୟତା ପ୍ରଦାନ। ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ପ୍ରଦାନ। ଡ୍ରାଇଭର ମାନଙ୍କ ପିଲାଙ୍କ ପାଇଁ ଉଚ୍ଚ ଶିକ୍ଷା ନିମନ୍ତେ ବ୍ୟବସ୍ଥା ସହ ରାଜରାସ୍ତାରେ ପ୍ରଶାସନ ପକ୍ଷରୁ ଡ୍ରାଇଭର ମାନଙ୍କୁ ହଇରାଣ କରା ନ ଯାଉ। ସେପ୍ଟେମ୍ବର ୧ତାରିଖକୁ ସରକାର ଡ୍ରାଇଭର ଦିବସ ରୂପେ ଘୋଷଣା ଭଳି ୧୦ ଦଫା ଦାବି ନେଇ ଆନ୍ଦୋଳନର ଡାକରା ଦେଇଛି ମହାସଂଘ। ଆଜିର ଆନ୍ଦୋଳନରେ ସଂଘର ସଭାପତି ଅନିଲ ହାତୀ, ଉପ ସଭାପତି ସୁଶାନ୍ତ ପଟ୍ଟନାୟକ, ନନ୍ଦ କିଶୋର ରାଉତରାୟ, ସମ୍ପାଦକ ମୁନା ବେହେରା, ପ୍ରତାପ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୩/୨୦୨୩----୮,୫୫ Sakhigopal News,15/3/2023